ହୋଲି ପୂର୍ବରୁ ଉତ୍ତରଭାରତ ସମେତ ଦିଲ୍ଲୀ ଏବଂ ନାଏଡାରେ ଆଜି ପାଗରେ ହେଲା ପରିବର୍ତ୍ତନ

ହୋଲି ପୂର୍ବରୁ ଦିଲ୍ଲୀ-ଏନସିଆର ସମେତ ବହୁ ସ୍ଥାନର ପାଣିପାଗ ବଦଳିଛି। ଯେଉଁଥିରେ ଲୋକଙ୍କୁ ଗରମରୁ ଆଶ୍ବସ୍ତି ମିଳିଛି। ଦକ୍ଷିଣ ଦିଲ୍ଲୀ ଏବଂ ଗ୍ରେଟର ନୋଏଡାରେ ଗୁରୁବାର ସନ୍ଧ୍ୟାରେ ହଠାତ ପାଗରେ ପରିବର୍ତ୍ତନ ହୋଇଥିଲା। ଥଣ୍ଡା ପବନ ସାଙ୍ଗକୁ ମୂଷଳ ଧାରାରେ ବର୍ଷା ଦିଲ୍ଲୀବାସୀଙ୍କୁ ଥଣ୍ଡା କରି ଦେଇଛି। ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ମଧ୍ୟ ହୋଇଥିଲା। ପୁଣି ଥରେ ପାଗରେ ପରିବର୍ତ୍ତନ ହୋଇଥିବା କାରଣରୁ ଦିଲ୍ଲୀରେ ପୁଣି ଶୀତର ଲେଉଟାଣି ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ସୂଚନା ମୁତାବକ ପଶ୍ଚିମା ଲଘୁଚାପ ବଳୟ କାରଣରୁ ପାଗରେ ଏଭଳି ପରିବର୍ତ୍ତନ ଘଟିଛି। କିଛିଦିନ ହେଲା ଦିଲ୍ଲୀ ସହ ପୁରା ଉତ୍ତରଭାରତରେ ତାପମାତ୍ରା ଅଧିକ ରହୁଥିଲା।
ଗରମରେ ଲୋକ ସନ୍ତୁଳି ହେଉଥିଲେ। ପ୍ରଦୂଷଣ ସାଙ୍ଗକୁ ଗରମ ସହି ହେଉ ନ ଥିଲା। କିନ୍ତୁ ହଠାତ ପାଗରେ ପରିବତ୍ତନ ଯୋଗୁ ଲୋକଙ୍କୁ ଗରମରୁ ତ୍ରାହି ମିଳିଛି। ହୋଲି ଚଳିତବର୍ଷ ଦିଲ୍ଲୀରେ ଥଣ୍ଡାରେ କଟିବ। ଯୁବପିଢ଼ିଙ୍କୁ ନିଶ୍ଚିତ ଏହି ପାଗ ରଙ୍ଗ ଖେଳିବାକୁ ସୁହାଇବ। ପାଣିପାଗ ବିଭାଗର ଆକଳନ ହିସାବରେ କିଛି ଦିନ ଦିଲ୍ଲୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସାଧାରଣ ଲୋକଙ୍କୁ ଏହି ବର୍ଷା ଆନନ୍ଦ ଦେବ। କିନ୍ତୁ କୃଷକଙ୍କୁ ଏହି ବର୍ଷା କ୍ଷତି ପହଞ୍ଚାଇବ। କାରଣ ଚାଷୀମାନେ ଏବେ ବିଭିନ୍ନ ପ୍ରକାର ଫସଲ ଅମଳ କରିବାକୁ ବସିଥିଲେ। ଏହି ଅଦିନିଆ ବର୍ଷା ଫସଲ ନଷ୍ଟ କରିବ। ଆଜିର ବର୍ଷାରେ କିଛି ସ୍ଥାନରେ ଜଳାର୍ଣ୍ଣବ ହେବାସହ ଯାନବାହନ ଯାତାୟତରେ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା।