Ahmedabad plane crash: ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Key Points
ଭୟାନକ ବିମାନ ଦୁର୍ଘଟଣା
ମେଘାନିନଗରରେ ସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ
ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ
ଗତକାଲି ଭୟାନକ ବିମାନ ଦୁର୍ଘଟଣାପରେ ଗୁଜରାଟର ମେଘାନିନଗର ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାପରେ ଅହମ୍ମଦାବାଦ ସିଭିଲ ହସ୍ପିଟାଲ ଯାଇ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଗତକାଲି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟକର ସମୀକ୍ଷା କରିଥିଲେ ।
ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ବିମାନ ଯାତ୍ରୀ ସୌଭାଗ୍ୟବଶତଃ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଦୁର୍ଘଟଣାର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାରଇଣ୍ଡିଆର ବିମାନ ଉଡାଣର ମାତ୍ର ୫ମିନିଟଟ୍ ପରେ ଭୟଙ୍କର ଦୁର୍ଘଟଣା ହୋଇଥିଲା । ପ୍ରଚଣ୍ଡ ବିସ୍ଫୋରଣ କରି ମେଘାନିନଗରର ଜନବସତିରେ ଖସି ପଡିଥିଲା ।
📱 Get Argus News App
✨ଅହମ୍ମଦାବାଦର ଭୟଙ୍କର ବିମାନ ଦୁର୍ଘଟଣାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏତେ ବଡ଼ ଦୁର୍ଘଟଣା ସତ୍ତ୍ବେ ଜଣେ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଛି । ସେ ହେଉଛନ୍ତି ବିହାରର ରମେଶ ବିଶ୍ବାସ କୁମାର । ଆଜି ସିଭିଲ୍ ହସ୍ପିଟାଲରେ ତାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଦୁର୍ଘଟଣାର ଲୋକ ଟାଙ୍କୁରା କାହାଣୀ କହିଛନ୍ତି ରମେଶ ବିଶ୍ବାସ କୁମାର ।
ଅନୁଧ୍ୟାନ ପରେ ଏକ୍ସରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ, ବିମାନ ଦୁର୍ଘଟଣାକୁ ନେଇ ଆମେ ସମସ୍ତେ ମର୍ମାହତ । ପୀଡ଼ିତ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି । ଏତେ ଲୋକଙ୍କ ଜୀବନ ଯିବା ଶବ୍ଦ ବାହାରେ ଏବଂ ହୃଦୟ ବିଦାରକ । ଆମେ ମୃତକଙ୍କ ପରିବାରଙ୍କର ଯନ୍ତ୍ରଣା ବୁଝିପାରୁଛୁ । ଏହା ସହ ସେ ଆହୁରି ଲେଖିଛନ୍ତି, ଆଜି ଅହମ୍ମଦାବାଦର ଦୁର୍ଘଟଣାସ୍ଥଳ ପରିଦର୍ଶନ କଲି । ଧ୍ୱଂସାବଶେଷର ଦୃଶ୍ୟ ବହୁତ ଦୁଃଖଦ । ଅକ୍ଲାନ୍ତ ପରିଶ୍ରମ କରୁଥିବା ଅଧିକାରୀ ଏବଂ ଟିମଙ୍କୁ ଭେଟିଲି । ଏହି ଅକଳ୍ପନୀୟ ଦୁର୍ଘଟଣାରେ ଯେଉଁମାନେ ସେମାନଙ୍କର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ଆମର ସମବେଦନା ରହିଛି ବୋଲି ଏକ୍ସରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ।