Toll Penalty / ଟୋଲ୍ ଟିକସ ଫାଙ୍କିବା ଏଣିକି ପଡ଼ିବ ମହଙ୍ଗା, AI ଧରିବ ଗାଡ଼ି ଚାଳକଙ୍କ ଚୋରି

Key Points
AI ଧରିବ ଗାଡ଼ି ଚାଳକଙ୍କ ଚୋରି ।
ଦେବାକୁ ପଡ଼ିପାରେ ୮ ଗୁଣା ଜରିମାନା ।
ଟୋଲ୍ ଟିକସ ଫାଙ୍କିବା ପାଇଁ ଆଉ ଚାଲିବନି ଚାଲାକି... ନମ୍ବର ପ୍ଲେଟ୍ ଲୁଚାଇଲେ କିମ୍ବା ଏଥିରେ ହେରଫେର କଲେ ଏବେ AI କ୍ୟାମେରାରୁ ବର୍ତ୍ତିବା ହେବ ମୁସ୍କିଲ୍ । ଟୋଲ୍ ଫାଙ୍କୁଥିବା ଗାଡ଼ି ଚାଳକଙ୍କ ପାଇଁ ସରକାର ଆଣିବାକୁ ଯାଉଛନ୍ତି କଡ଼ା ନିୟମ । ଏପରିକି ଦେବାକୁ ପଡ଼ିପାରେ ଟୋଲ୍ ଟିକସର ୮ ଗୁଣା ପର୍ଯ୍ୟନ୍ତ ଜରିମାନା । ତେବେ କେମିତି ଧରିବ AI ଏହି ଟୋଲ୍ ଚୋରଙ୍କୁ ? ଜାଣନ୍ତୁ ପୂରା ଖବର ।
ହାଇୱେରେ ଟୋଲ୍ ଟିକସ ଦେବାରୁ ବଞ୍ଚିବା ପାଇଁ ଅନେକ ଗାଡ଼ି ଚାଳକ ବିଭିନ୍ନ ଉପାୟ ଆପଣାଉଛନ୍ତି । କେହି ନମ୍ବର ପ୍ଲେଟ୍ ଲୁଚାଉଛନ୍ତି ତ ଆଉ କେହି ନମ୍ବର ପ୍ଲେଟ୍ରେ ହେରଫେର କରି ଟୋଲ୍ ଫାଙ୍କିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଣିକି ଏଭଳି କୌଶଳ ଆଉ କାମ ଦେବ ନାହିଁ । ଟୋଲ୍ ଫାଙ୍କୁଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ AI ବା କୃତ୍ରିମ ବୁଦ୍ଧିମତ୍ତାର ସହାୟତା ନେବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର ।
୮ ଗୁଣା ପର୍ଯ୍ୟନ୍ତ ଦେବାକୁ ପଡ଼ିପାରେ ଜରିମାନା
ET ରିପୋର୍ଟ ଅନୁସାରେ, ବ୍ୟାରିୟରଲେସ୍ ଟୋଲିଂ ବ୍ୟବସ୍ଥାକୁ ସଫଳ କରିବା ପାଇଁ ସରକାର କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଯଦି କୌଣସି ଗାଡ଼ି ଚାଳକ ଟୋଲ୍ ଦେୟରୁ ବଞ୍ଚିବା ପାଇଁ ନମ୍ବର ପ୍ଲେଟ୍ ଲୁଚାନ୍ତି କିମ୍ବା ସେଥିରେ ହେରଫେର କରନ୍ତି, ତେବେ ତାଙ୍କୁ ମୋଟର ଯାନ ଆଇନ ଅନୁଯାୟୀ ଜରିମାନା ସହିତ ଟୋଲ୍ ରାଶିର ୪ରୁ ୮ ଗୁଣା ପର୍ଯ୍ୟନ୍ତ ଅତିରିକ୍ତ ଜରିମାନା ଦେବାକୁ ପଡ଼ିପାରେ । ଉଦାହରଣ ସ୍ୱରୂପ, ୧୦୦ ଟଙ୍କା ଟୋଲ୍ ଥିଲେ ୪୦୦ରୁ ୮୦୦ ଟଙ୍କା ଏବଂ ୧୫୦ ଟଙ୍କା ଟୋଲ୍ ଥିଲେ ୬୦୦ରୁ ୧୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
AI କ୍ୟାମେରା ରଖିବ ନଜର
ଟୋଲ୍ ପ୍ଲାଜାରେ ହାଇଟେକ୍ କ୍ୟାମେରା ଏବଂ AI ଆଧାରିତ ସିଷ୍ଟମ୍ ଲଗାଇବାକୁ ଯୋଜନା ହେଉଛି । ଏହାଦ୍ୱାରା ନମ୍ବର ପ୍ଲେଟ୍ରେ ହେରଫେର କରୁଥିବା ଗାଡ଼ିଗୁଡ଼ିକୁ ସହଜରେ ଚିହ୍ନଟ କରାଯାଇପାରିବ । ନମ୍ବର ପ୍ଲେଟ୍ ଲୁଚାଇବା, ବଙ୍କା କରିବା କିମ୍ବା ଅକ୍ଷର ଓ ସଂଖ୍ୟାରେ ପରିବର୍ତ୍ତନ କରିବା ଭଳି କାର୍ଯ୍ୟ ଉପରେ କଡ଼ା ନଜର ରହିବ ।
ଗାଡ଼ି ଚାଳକଙ୍କ ପାଇଁ ପରାମର୍ଶ
ନିଜ ଗାଡ଼ିର ନମ୍ବର ପ୍ଲେଟ୍କୁ ସବୁବେଳେ ସ୍ପଷ୍ଟ ଏବଂ ନିୟମ ଅନୁଯାୟୀ ରଖନ୍ତୁ । ଏଥିରେ କୌଣସି ଷ୍ଟିକର୍ କିମ୍ବା ଅନ୍ୟ ସାମଗ୍ରୀ ଲଗାନ୍ତୁ ନାହିଁ । ନମ୍ବର ପ୍ଲେଟ୍ ଭାଙ୍ଗିଯାଇଥିଲେ କିମ୍ବା ନଷ୍ଟ ହୋଇଥିଲେ ତୁରନ୍ତ ନୂଆ ପ୍ଲେଟ୍ ଲଗାନ୍ତୁ । ନଚେତ୍ ଟୋଲ୍ ଫାଙ୍କିବାର ଅଭିଯୋଗରେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଗଣିବାକୁ ପଡ଼ିପାରେ ।
📱 Get Argus News App
✨Related Topics
Explore more stories