Air India Plane Crash: ୧୬୯ ଭାରତୀୟ-୫୩ ବ୍ରିଟିସ-୭ ପର୍ତ୍ତୁଗାଲ-ଜଣେ କାନାଡ଼ିଅନ ଯାତ୍ରୀ କରୁଥିଲେ ଯାତ୍ରା

Key Points
ଗୁଜରାଟ ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା ।
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ AI-171 ।
ଟେକ୍ ଅଫ୍ କରିବାର ୫ ମିନିଟ୍ ମଧ୍ୟରେ ହେଲା କ୍ରାସ୍ ।
ଭୟଙ୍କର, ବିଧ୍ବଂସକ, ହୃଦୟ ବିଦାରକ । ୨୪୨ ଜଣ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦରୁ ଲଣ୍ଡନ ଯାଉଥିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ AI-171। ଟେକ୍ ଅଫ୍ କରିବାର ୫ ମିନିଟ୍ ମଧ୍ୟରେ ହେଲା କ୍ରାସ୍ । ମେଘାନୀନଗର ମେଡିକାଲ କଲେଜ ହଷ୍ଟେଲ୍ ବିଲଡିଂ ଉପରେ ଖସିପଡ଼ିଲା ଏୟାର ଇଣ୍ଡିଆର ବିମାନ। ନିଆଁ ଓ କଳା ଧୁଆଁର ସେ ଚିତ୍ର ଅହମ୍ମଦାବାଦବାସୀଙ୍କ ପାଇଁ ଆଣି ଦେଇଛି ଛାତିଥରା ଅନୁଭୁତି । ଏଥିସହ ସାରା ବିଶ୍ବ ଆଜି ହୋଇଯାଇଛି ସ୍ତବ୍ଧ।
ପୋଡ଼ି ପାଉଁଶ ପ୍ରାୟ ପାଲଟି ଯାଇଥିବା ବିମାନର ଅଂଶ ସବୁ ସ୍ପଷ୍ଟ କରୁଛି କେତେ ବିଧ୍ବଂସକ ଥିଲା ଦୁର୍ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ୍ ଭିତରେ ବିମାନର ଚକ, ଛାତରେ ଲାଗିଥିବା ବିମାନର ସମ୍ମୁଖ ଭାଗ, ହଷ୍ଟେଲ ଭିତରେ ଜଳୁଥିବା ନିଆଁ ସ୍ପଷ୍ଟ କରିଦେଇଥିଲା କେତେ ହୃଦୟ ବିଦାରକ ଥିଲା ଦୁର୍ଘଟଣା। ସମୟ ଅପରାହ୍ନ ୧.୩୮ । ସ୍ଥାନ - ଗୁଜରାଟର ଅହମ୍ମଦାବାଦ ଏୟାରପୋର୍ଟ । ଏଠାରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଲା ଏୟାର ଇଣ୍ଡିଆର ବିମାନ AI-171 । ଆଉ ଏହାର କିଛି ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହେଲା ।
ଦୁର୍ଘଟଣାଗ୍ରସ୍ତ ହେବା କ୍ଷଣି ହେଲା ଭୟଙ୍କର ବିସ୍ଫୋରଣ । ହୁତୁହୁତୁ ହୋଇ ଜଳିଉଠିଲା ବିମାନ । କିଛି ସମୟ ମଧ୍ୟରେ ଆକାଶକୁ ଉଠିଲା ମୋଟା କଳା ଧୁଆଁ । ସୂଚନା ଅନୁସାରେ ବିମାନ ଖସିଥିବା ମେଘାନୀନଗରର ସେ ବିଲ୍ଡିଂ ହେଉଛି ଏକ ମେଡିକାଲ୍ କଲେଜର ହଷ୍ଟେଲ । ଯେଉଁଠି ବସି ମଧ୍ୟାହ୍ନ ଭୋଜନ କରୁଥିଲେ ଡାକ୍ତରୀ ଛାତ୍ର । ମେଡିକାଲ୍ କଲେଜ ବିଲଡିଂରେ ଧକ୍କା ଖାଇ ଚାହୁଁ ଚାହୁଁ ସମ୍ପୂର୍ଣ୍ଣ ଜଳିଗଲା ବିମାନ । ନିଆଁ ଲିଭିବା ପରେ ଦେଖାଗଲା ହଷ୍ଟେଲ୍ ଭିତରେ ପଡ଼ିଛି ବିମାନର ଚକ। ଆଉ ଛାତରେ ଲାଗିଛି ବିମାନର ସମ୍ମୁଖ ଭାଗ । ତଳେ ଜଳି ପାଉଁଶ ହୋଇଯାଇଛି ବିମାନର ବାକି ଅଂଶ।
ବିମାନରେ ଥିଲେ ମୋଟ ୨୪୨ ଜଣ ଲୋକ। ୨୩୦ ଜଣ ଯାତ୍ରୀ, ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ମେମ୍ବର । ୨୩୦ ଯାତ୍ରୀଙ୍କ ମଧ୍ୟରୁ ସର୍ବାଧିକ ୧୬୯ ଜଣ ଭାରତୀୟ, ୫୩ ଜଣ ବ୍ରିଟେନର ନାଗରିକ, ୭ ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ାର ନାଗରିକ । ଦୁର୍ଘଟଣାଗ୍ରସ୍ତ ବିମାନରେ ଯାତ୍ରା କରୁଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ବିମାନର ସିଟ୍ ନଂ 2Dରେ ବସିଥିଲେ ।
ଦୁର୍ଘଟଣା ପୂର୍ବରୁ MAYDAY କଲ୍ କରିଥିଲେ ପାଇଲଟ୍ । ଅର୍ଥାତ୍ ଆସନ୍ନ ବିପଦ ସମ୍ପର୍କରେ ସେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେତେବେଳକୁ ହୋଇଯାଇଥିଲା ବିଳମ୍ବ । ଦୁର୍ଘଟଣା ପରେ ସ୍ଥାନୀୟ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ପରେ ଉଦ୍ଧାର ଅଭିଯାନରେ ସାମିଲ ହେଲେ ଭାରତୀୟ ସେନା ଓ NDRF। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ପିଏମଙ୍କ ନିର୍ଦ୍ଦେଶରେ ଉଭୟ ଅହମ୍ମଦାବାଦରେ ପହଞ୍ଚିଛନ୍ତି । ଏଭଳି ଭୟଙ୍କର ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁର୍ଘଟଣା ସ୍ତବ୍ଧ କରିଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଦ୍ୟୋଗପତି ଗୌତମ ଅଦାନୀ ପ୍ରମୁଖ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ।