ଏୟାର ଇଣ୍ଡିଆର ବେଳା ଖରାପ: ଉଡ଼ାଣର ଘଣ୍ଟାଏ ପରେ ହଂକଂ ଫେରିଲା ବିମାନ

Key Points
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି
ଯାନ୍ତ୍ରିକ ତ୍ରୁଟି ଜାଣିବାପରେ ପାଇଲଟ୍ ବିମାନକୁ ହଂକଂ ଫେରାଇ ନେଇଥିଲେ
ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିଲା
ହଂକଂରୁ ଦିଲ୍ଲୀକୁ ଉଡ଼ାଣ କରୁଥିବା ଏୟାର ଇଣ୍ଡିଆ ବିମାନ ଏଆଇ୩୧୫ରେ ଆଜି ମଝି ଆକାଶରେ ସମ୍ଭାବ୍ୟ ଯାନ୍ତ୍ରିକ ତ୍ରୁଟି ଜାଣିବାପରେ ପାଇଲଟ୍ ବିମାନକୁ ହଂକଂ ଫେରାଇ ନେଇଥିଲେ। ବୋଇଂ ୭୮୭-୮ ଡ୍ରିମଲାଇନର ବିମାନଟି ଦିଲ୍ଲୀ ଅଭିମୁଖେ ଉଡ଼ାଣ କରୁଥିଲା। ତେବେ ଉଡ଼ିବାର ଘଣ୍ଟାଏ ପରେ ହଂକଂ ବିମାନବନ୍ଦରରେ ବିମାନର ସୁରକ୍ଷିତ ଅବତରଣ କରାଯାଇଛି। ଇତି ମଧ୍ୟରେ ଯାନ୍ତ୍ରିକ ତ୍ରୁଟିର କାରଣ କ’ଣ ଜଣାପଡ଼ିନାହିଁ। ସୂଚନାନୁଯାୟୀ ବିମାନଟି ୨୨,୦୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିବାପରେ ଏହା ତଳକୁ ଖସିବା ଆରମ୍ଭ କରିଥିଲା। ପାଇଲଟ୍ ଏହାପରେ ବିମାନକୁ ହଂକଂ ବିମାନବନ୍ଦରକୁ ଫେରାଇ ନେଇଥିଲେ।
ପାଇଲଟ ବିମାନ ଉଡ଼ାଣ କରିବାର ପ୍ରାୟ ୧୫ ମିନିଟ୍ ପରେ ଏଟିସି (ଏୟାର ଟ୍ରାଫିକ କଣ୍ଟ୍ରୋଲର)ଙ୍କୁ କଲ୍ ଦେଇ କହିଥିଲେ ଯେ ଯାନ୍ତ୍ରିକ ତ୍ରୁଟି ପାଇଁ ଆମେ ହଂକଂରେ ଅବତରଣ ଚାହୁଛୁ। ଉଲ୍ଳେଖଯୋଗ୍ୟ ଯେ ଅହମଦାବାଦରେ ଗତ ୧୨ ତାରିଖରେ ହୋଇଥିବା ବିମାନ ଦୁର୍ଘଟଣାର ଭୟ ମନରେ ତାଜା ଥିବାବେଳେ ପାଇଲଟ ବିମାନ ପଛକୁ ଫେରାଇ ନେବାପାଇଁ ନିଷ୍ପତ୍ତି ନେଇଥିଲେ। ୧୨ ତାରିଖରେ ଅହମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୭୫ରେ ପହଞ୍ଚିଲାଣି।