Ajmer Triple Death / ଅଜମେରରେ ଚାଞ୍ଚଲ୍ୟ: ଏକାସାଥି ଚାଲିଗଲେ ପରିବାରର ୩ ଜଣ

Key Points
ଅଜମେରରେ ଚାଞ୍ଚଲ୍ୟ: ଏକାସାଥି ଚାଲିଗଲେ ପରିବାରର ୩ ଜଣ
ରାଜସ୍ଥାନର ଅଜମେର ଆଦର୍ଶ ନଗର ଅଞ୍ଚଳର ଗଢ଼ୀ ମାଲିୟାନ ଅଞ୍ଚଳରେ ଏକ ପରିବାରର ୩ ଜଣଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ପ୍ରାଥମିକ ତଦନ୍ତରେ ବିଷାକ୍ତ ପଦାର୍ଥ ସେବନ କାରଣରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ମୃତକମାନେ ହେଲେ ୫୯ ବର୍ଷୀୟ ଅଶୋକ ଶର୍ମା, ତାଙ୍କ ୫୨ ବର୍ଷୀୟ ପତ୍ନୀ ଇନ୍ଦ୍ରା ଶର୍ମା ଏବଂ ୨୦ ବର୍ଷୀୟ ଝିଅ ଦୀକ୍ଷା ଶର୍ମା । ସୂଚନା ଅନୁଯାୟୀ, ଗତ ରାତିରେ ହଠାତ୍ ତିନିଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା । ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଅଜମେରର ଜବାହରଲାଲ ନେହରୁ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ଡାକ୍ତରମାନେ ପରୀକ୍ଷା ପରେ ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ ।
ଘଟଣା ସମୟରେ ପରିବାରର ପୁଅ ଗୌରବ ମଧ୍ୟ ଘରେ ଉପସ୍ଥିତ ଥିବା ଜଣାପଡ଼ିଛି । ସେ ଅନ୍ୟ ଏକ କୋଠରୀରେ ଥିଲେ ବୋଲି ସୂଚନା ମିଳିଛି । ମାତା-ପିତା ଓ ଭଉଣୀଙ୍କ ଏକାସାଥି ମୃତ୍ୟୁ ପରେ ସେ ଗଭୀର ଭାବେ ମାନସିକ ଆଘାତରେ ଥିବା କୁହାଯାଉଛି ।
ତଦନ୍ତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ବିଷାକ୍ତ ପଦାର୍ଥ ସେବନ କରିବା ପରେ ପରିବାରର ସଦସ୍ୟମାନେ ତାଙ୍କ ଭଣଜାଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି । ଏହି ଫୋନ୍ କଲ୍ରେ ସେମାନେ ନିଜେ ନେଇଥିବା ପଦକ୍ଷେପ ସମ୍ପର୍କରେ କହିଥିବା ଦାବି କରାଯାଉଛି । ଏହି ଶେଷ ଫୋନ୍ କଲ୍କୁ ପୋଲିସ ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂତ୍ର ଭାବେ ଦେଖୁଛି ।
ଘଟଣାର ସୂଚନା ପାଇବା ପରେ ଆଦର୍ଶ ନଗର ଥାନାଧିକାରୀ ଓମପ୍ରକାଶ ମୀଣା ପୋଲିସ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାସ୍ଥଳରୁ ବୈଜ୍ଞାନିକ ପ୍ରମାଣ ସଂଗ୍ରହ ପାଇଁ ଏଫଏସଏଲ୍ ଟିମ୍କୁ ମଧ୍ୟ ଡକାଯାଇଥିଲା । ଥାନାଧିକାରୀ ଓମପ୍ରକାଶ ମୀଣାଙ୍କ କହିବା ଅନୁଯାୟୀ, ପ୍ରାଥମିକ ଭାବେ ଏହା ବିଷାକ୍ତ ପଦାର୍ଥ ସେବନର ଘଟଣା ପରି ଲାଗୁଛି ।
ତିନିଜଣଙ୍କ ମୃତଦେହକୁ ଜେଏଲଏନ୍ ହସ୍ପିଟାଲର ମର୍ଚ୍ଚୁଆରିରେ ରଖାଯାଇଛି । ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ମିଳିବ ବୋଲି ପୋଲିସ ଆଶା କରୁଛି । ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି।
📱 Get Argus News App
✨Related Topics
Explore more stories