ମଣିଷ ଏଲିଅନଙ୍କ ଭେଟାଭେଟି ହେଲେ କ’ଣ ହେବ?

ଏଲିଅନଙ୍କ ଅବସ୍ଥିତିକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରି ଆସୁଛନ୍ତି ବିଶ୍ୱର ବଡ଼ବଡ଼ ବୈଜ୍ଞାନିକ । କିଏ କହୁଛି ଅନ୍ୟ ଗ୍ରହର ଲୋକ ଆମ ଗ୍ରହକୁ ଆସୁଛନ୍ତି । ଆଉ କିଏ କହୁଛି ନା ଏବୁ ମିଛ, ଏସବୁ କେବଳ କଳ୍ପନାର କାହାଣୀ । ଏଲିଏନଙ୍କୁ ନେଇ ବହୁ ଖବର ସାମ୍ନାକୁ ଆସୁଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବୈଜ୍ଞାନିକଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ସତରେ କ’ଣ ବ୍ରହ୍ମାଣ୍ଡରେ ଏଲିଅନ୍ ଅଛନ୍ତି ? ସେମାନେ ପୃଥୀବିକୁ ଆସୁଛନ୍ତି ? ଯଦି ଆସୁଛନ୍ତି ତେବେ କେଉଁଥିରେ ଆସୁଛନ୍ତି ? କୋଉ ପକ୍ଷରେ ଆସୁଛନ୍ତି , ପୂର୍ଣ୍ଣିମା ନା ଅମାବାସ୍ୟା ?
୨୦୨୩ ବର୍ଷର ଆରମ୍ଭରେ ଆମେରିକା ଆକାଶରେ ୪ଟି ରହସ୍ୟମୟ ଜିନିଷ ଉଡୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ସେତେବେଳେ ଏଲିୟନଙ୍କ ୟୁଏଫଓ ବୋଲି କୁହାଯାଉଥିଲା । ପରେ ଆମେରିକା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ଏଫ୍ -୧୬ ବିମାନ ମିଶାଇଲ ମାଡ଼ କରି ଏହାକୁ ଧ୍ୱସଂ କରାଯାଇଥିଲା । ୟୁଏଫଓ ନେଇ ଦ୍ବିତୀୟ ବିଶ୍ବଯୁଦ୍ଧ ପରଠାରୁ ଆମେରିକା ସରକାରଙ୍କ ପକ୍ଷରୁ ଚାଲିଥିବା ଗବେଷଣା ସ୍ପଷ୍ଟ କରିଥିଲା ଉଡୁ୍ଥିବା ବସ୍ତୁ ପୃଥୀବୀ ବାହାରୁ ଆସିଥିବାର କୌଣସି ପ୍ରମାଣ ନାହିଁ ।
📱 Get Argus News App
✨୨୦୨୩ ମେ ମାସରେ ଆମେରିକାର ଲସ ଭେଗାସର ଏକ ପରିବାର ପୋଲିସକୁ ଡାକି କହିଥିଲେ, ସେମାନେ ଏଲିଅନଙ୍କୁ ଦେଖିଛନ୍ତି। ଏଲିଅନ ତାଙ୍କ ଘର ପଛପଟେ ଥିବା ଏକ ବଗିଚାରେ ୟୁଏଫ୍ଓରେ ଅବତରଣ କରିଥିଲେ । ତାଙ୍କର ଉଚ୍ଚତା ୮ରୁ୧୦ ଫୁଟ ଥିଲା। ନାକ ନଥିଲା । ଦେଖିବାକୁ ଅଦଭୁତ ଥିଲେ। ଦାବିକୁ ସତ ପ୍ରମାଣିତ କରିବାକୁ ସେ କିଛି ସ୍କେଚ୍ ବି କରିଥିଲେ। ଯାହାକୁ ନେଇ ପରେ କୌଣସି ସ୍ପଷ୍ଟ ସୂଚନା ଆସିଲା ନାହିଁ । ଏହା ଏକ ମନଗଢା କାହାଣୀ ବୋଲି ଲୋକ ବିଶ୍ୱାସ କରନ୍ତି ।
ପେଣ୍ଟାଗନର ପୂର୍ବତନ ଗୁପ୍ତଚର ଲୁଇସ୍ ଏଲିଜୋଣ୍ଡୋ ୨୦୨୪ ରେ ଏକ ଦାବି କରି ସମ୍ବାଦିକଙ୍କୁ କହିଥିଲେ ୧୯୪୭ର ରୋସୱେଲ ଦୁର୍ଘଟଣାରେ ଏକ ଏମିତି ଗାଡ଼ି ମିଳିଥିଲା, ଯେଉଁଥିରେ ଏଲିୟନ୍ସ ପୃଥିବୀକୁ ଆସି ଥିବାର ଅନୁମାନ କରାଯାଏ । ଆମେରିକୀୟ ସରକାର ଏହି ଗାଡ଼ିକୁ ଯତ୍ନର ସହ ରଖିଛନ୍ତି । ରୋସୱେଲ ଘଟଣା ହେଉଛି ୧୯୪୭ ମସିହାରେ ନ୍ୟୁ ମେକ୍ସିକୋର ରୋସୱେଲ ନିକଟରେ ହୋଇଥିବା ମହାକାଶ ଦୁର୍ଘଟଣାର କଥା। ସେତେବେଳେ ଏଲିୟନ ପୃଥୀବୀକୁ ଆସୁଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଏ। ସେ ଆହୁରି ମଧ୍ୟ ଦାବି କରନ୍ତି ଆମେରିକା ସରକାରଙ୍କୁ ସେମାନଙ୍କ ଅସ୍ତିତ୍ୱ ବିଷୟରେ ସୂଚନା ରହିଛି, କିନ୍ତୁ ସେ ଏହାକୁ ଦୁନିଆକୁ ଲୁଚାଉଛନ୍ତି।
ସେପଟେ ବିଶ୍ୱ ପ୍ରସିଦ୍ଧ ବାବା ଭେଙ୍ଗା ୨୦୨୫ ରେ ପୃଥିବୀକୁ ଏଲିୟନ ଫେରିବା ନେଇ ପୂର୍ବାନୁମାନ କରିଛନ୍ତି, ଯାହାକୁ ନେଇ ବର୍ଷ ଆରମ୍ଭରୁ ଚର୍ଚ୍ଚା ଲାଗି ରହିଛି । ବାବାଙ୍କ ଆକଳନ ୨୦୨୫ ଅକ୍ଟୋବରରେ ପୃଥିବୀକୁ ଆସିପାରନ୍ତି ଏଲିୟନ, ଏଲିୟନ୍ସ ସମଗ୍ର ମହାଦେଶରେ ବିପର୍ୟ୍ୟୟ ସୃଷ୍ଟି କରି ପାରନ୍ତି ।
ଏବେ ଆପଣ ଭାବୁଥିବେ ବାବା ଭେଙ୍ଗା କିଏ ?
ବାବା ଭେଙ୍ଗା ବୁଲଗେରିଆର ଭଗବାନ ଭାବରେ ଜଣାଶୁଣା । ସେ ୧୯୧୧ ମସିହାରେ ରୁଷିଆରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୨ ବର୍ଷ ବୟସରେ ଝଡ଼ ତୋଫାନ ଯୋଗୁଁ ସେ ଦୃଷ୍ଟିଶକ୍ତି ହରାଇଥିଲେ, ଯାହା ଫଳରେ ସେ ସାରା ଜୀବନ ଅନ୍ଧ ଭାବେ ବିତାଇଥିଲେ। ତଥାପି ସେ ଜଣେ ପ୍ରସିଦ୍ଧ ଜ୍ୟୋତିଷ ଥିଲେ । ୧୯୯୬ ରେ ତାଙ୍କର ମୃତ୍ୟୁ ହୋଇଥିଲା । ଯିଏ କି ୫୦୭୯ ମସିହା ପର୍ୟ୍ୟନ୍ତ ଭବିଷ୍ୟବାଣୀ କରିଥିଲେ । ସେ ଅତୀତରେ କରିଥିବା ବହୁ ପୂର୍ବାନୁମାନ ସତ ହୋଇଛି, ଯେଉଁଥିପାଇଁ ତାଙ୍କ କଥାକୁ ବିଶ୍ୱବାସୀ ବିଶ୍ୱାସ କରନ୍ତି ।
ସେ ଯାହାବି ହେଉ ଆପଣ କେବେ ଭାବିଛନ୍ତି କି ଯଦି ସତରେ ଏଲିଅନ ଆସନ୍ତି, ମଣିଷ ଆଉ ଏଲିଅନଙ୍କ ଭେଟାଭେଟି ହୁଏ ତାହେଲେ କ’ଣ ହେବ?
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକା ପାଖରେ ମଧ୍ୟ ଏଲିଅନଙ୍କ ଆକ୍ରମଣର ମୁକାବିଲା ପାଇଁ ପର୍ୟ୍ୟାପ୍ତ କ୍ଷମତା ନାହିଁ। କାରଣ ସତରେ ସେମାନେ ଯଦି ପୃଥୀବିକୁ ଆସି ପୁଣି ତାଙ୍କ ଗ୍ରହକୁ ଫେରି ପାରୁଛନ୍ତି ତାହେଲେ ପରିସ୍ଥିତି ବିପଦଠୁ ଭୟଙ୍କର । ଏଲିୟନଙ୍କ ଆସିବା ଆମ ପୃଥୀବୀ ପାଇଁ ମହଙ୍ଗା ହୋଇପାରେ । ବୈଜ୍ଞାନିକ ବିଶ୍ୱାସ କରନ୍ତି ଯେ ଯଦି ଏଲିୟନମାନେ ଆମଠାରୁ ଅଧିକ ଉନ୍ନତ ହୋଇଥିବେ , ତେବେ ସେମାନେ ବିଶ୍ୱକୁ ଧ୍ୱଂସ କରିଦେଇ ପାରନ୍ତି କିମ୍ବା ଆମର ଟେକ୍ନୋଲୋଜିକୁ ନଷ୍ଟ କରିପାରନ୍ତି । ସମଗ୍ର ବିଶ୍ୱରେ ଏକ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇପାରେ । କାରଣ ଭୟ ଏବଂ ଅନିଶ୍ଚିତତା କାରଣରୁ ଲୋକମାନେ କାମ କରିବା ବନ୍ଦ କରିପାରନ୍ତି । ଯାହାଫଳରେ ସାରା ବିଶ୍ୱରେ ଆର୍ଥିକ ସଂକଟ ଦେଖାଯିବ । ଯୁଦ୍ଧ, ସେନା ଆତଙ୍କୀ କି ସୈନିକ ସୈନିକ ଭିତରେ ହେବନି, ଯୁଦ୍ଧ ହେବ ମଣିଷ ଆଉ ଏଲିୟନ୍ସଙ୍କ ଭିତରେ।
ହାର୍ଭାର୍ଡ ଜ୍ୟୋତିର୍ବିଜ୍ଞାନୀ ଆଭି ଲୋଏବ୍ କୁହନ୍ତି ଏଲିୟନଙ୍କର ଗଠନ ଏପରି ଯେ ସେମାନେ ଆମ ପୃଥିବୀକୁ ଆସିଲେ ମଧ୍ୟ ସେମାନେ ବଞ୍ଚିପାରିବେ ନାହିଁ। ଯଦି ବି ଆସନ୍ତି ସେମାନଙ୍କୁ ମହାକାଶରେ ଅତ୍ୟଧିକ ଶକ୍ତିଶାଳୀ ପରମାଣୁ ପକାଇ ନଷ୍ଟ କରିବାକୁ ଚେଷ୍ଟା କରାଯିବ । ଯଦି ଏହା ସତ୍ତ୍ୱେ ସେମାନେ ପୃଥିବୀ ଆଡକୁ ଆସୁଛନ୍ତି, ତେବେ ଆମକୁ ଜାଣି ନେବାକୁ ପଡ଼ିବ ଆମ ଭଳି ବି ସେମାନଙ୍କ ପାଖରେ କୃତ୍ରିମ ମସ୍ତିଷ୍କ ଏବଂ କୃତ୍ରିମ ବୁଦ୍ଧି ରହିଛି ।
ଏଠି କେବଳ ଏତିକି କୁହାଯାଇପାରେ, ଜୀବନ ଥିବା ପ୍ରତିଟି ଜୀବ ସବୁବେଳେ ଚାହିଁଥାଏ ତାର ସାମ୍ରାଜ୍ୟ ବିସ୍ତାର କରିବାକୁ। ଜୀବଜନ୍ତୁ ଓ ଗଛ ଠୁ ନେଇ ମଣିଷଙ୍କ ପର୍ଯ୍ୟନ୍ତ। ତେଣୁ ଏଲିୟନ ଯଦି ସତରେ ଥିବେ ଆଉ ସେ ପୃଥୀବୀକୁ ଆସୁଥିବେ ତାହେଲେ ଏହା ଆମ ବିଶ୍ବ ପାଇଁ ବିପଦ।