ଆଲୌକିକ ! ବହୁ ପୁରାତନ ମନ୍ଦିର କିନ୍ତୁ ୨୦୨୦ ପରେ ତାଲା ଲାଗିବା ଆରମ୍ଭ ହେଲା, ଏବେ ଜାଗା ନାହିଁ...

Key Points
ମନ୍ଦିର ପରିସରରେ କାନ୍ଥ, ବାଡ଼ି ଏବଂ ରେଲିଂରେ ଧାଡିରେ ହଜାର ହଜାର ତାଲା ଝୁଲୁଥିବା ଦେଖିବାକୁ ମିଳେ ।
ଦେବ ଦେବ ମହାଦେବଙ୍କ ମହିମା ଅପାର । ଉତ୍ତରପ୍ରଦେଶର ପ୍ରୟାଗରାଜ ସହରରେ ଥିବା ଏକ ପ୍ରାଚୀନ ଶିବ ମନ୍ଦିରର ଖୁବ ମାନ୍ୟତା ରହିଛି । ଏଠାରେ ଭକ୍ତଙ୍କର ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଏଥିପାଇଁ ଏହି ମନ୍ଦିରରେ ମାନସିକ କରୁଥିବା ଶ୍ରଦ୍ଧାଳୁ ଭଗବାନଙ୍କୁ ପ୍ରସାଦ ସହିତ ଏକ ତାଲା ମଧ୍ୟ ଚଢ଼େଇ ଥାଆନ୍ତି । ଏହି କାରଣରୁ ଏହି ମନ୍ଦିରରେ ହଜାର ହଜାର ତାଲା ଲାଗିଛି ।

ଦେଶର କୋଣ ଅନୁକୋଣରୁ ଭକ୍ତ ଆସି ଏଠାରେ ଫୁଲ, ପ୍ରସାଦ ଓ ତାଲା ଚଢ଼ାଇ ମାନସିକ କରନ୍ତି । ମାନସିକ ପୂରଣ ପରେ ମନ୍ଦିରରୁ ତାଲା ଖୋଲି ଘରକୁ ନେଇଯାଆନ୍ତି । ପ୍ରୟାଗରାଜ ସହରର ମଝାମଝି ଥିବା ମୁଥିଗଞ୍ଜ ଅଞ୍ଚଳରେ ଶ୍ରୀ ନାଥେଶ୍ୱର ମନ୍ଦିର ଅବସ୍ଥିତ । ଏହି ମନ୍ଦିରକୁ ତାଲା ମହାଦେବ ମନ୍ଦିର ମଧ୍ୟ କୁହାଯାଏ । ନିକଟରେ ଶେଷ ହୋଇଥିବା ମହାକୁମ୍ଭ ସମୟରେ ଏଠାକୁ ହଜାର ହଜାର ଭକ୍ତ ଆସି ମନ୍ଦିରରେ ତାଲା ଅର୍ପଣ କରି ମାନସିକ କରି ଯାଇଛନ୍ତି ।

ମନ୍ଦିର ପରିସରରେ କାନ୍ଥ, ବାଡ଼ି ଏବଂ ରେଲିଂରେ ଧାଡିରେ ହଜାର ହଜାର ତାଲା ଝୁଲୁଥିବା ଦେଖିବାକୁ ମିଳେ । ତେବେ ମାନସିକ ତାଲା ଚିହ୍ନିବା ପାଇଁ ଲୋକେ ତାଲା ଉପରେ ନିଜ ନାଁ ଲେଖିବା ସହ କିଛି ଲୋକ ରଙ୍ଗ କରିଦିଅନ୍ତି, ଯଦ୍ୱାରା ଚିହ୍ନିବା ପାଇଁ ସହଜ ହେବ । ଗର୍ଭଗୃହରେ ସ୍ଥାପିତ ଶିବଲିଙ୍ଗ ଏହି ତାଲାଗୁଡ଼ିକର ଇଶ୍ୱରୀୟ ରକ୍ଷକ ପରି ପ୍ରତୀତ ହୁଅନ୍ତି । ଶ୍ରୀ ନାଥେଶ୍ୱର ମହାଦେବ ମନ୍ଦିରରେ କେତେ ତାଲା ଲାଗିଛି ତାହାର ସ୍ପଷ୍ଟ ତଥ୍ୟ ନାହିଁ । ତଥାପି ମହନ୍ତଙ୍କ ଅନୁସାରେ, ଏଠାରେ ପ୍ରାୟ ୫୦,୦୦୦ ତାଲା ଲାଗିଛି ।
📱 Get Argus News App
✨
ପ୍ରତିଦିନ ଏଠାରେ ଭକ୍ତମାନେ ମାନସିକ ପୂରଣ ପାଇଁ ୧୦୦ ରୁ ୧୫୦ ତାଲା ଲଗାଇ ଥାଆନ୍ତି । ଏପରିକି ଥାଇଲ୍ୟାଣ୍ଡ ଏବଂ ବ୍ରିଟେନରରୁ ମଧ୍ୟ ଭକ୍ତ ଆସି ଏଠାରେ ମହାଦେବଙ୍କୁ ଦର୍ଶନ କରି ତାଲା ଲଗାଇ ଯାଇଛନ୍ତି ।

ଖୁବ ପ୍ରାଚୀନ ଏହି ମନ୍ଦିର, ଏହାର ପଛ କାନ୍ଥରେ ଏକ ଫଳକ ଉପରେ ଏକ ପୁରାତନ ଲେଖା ଅଛି । ଏହି ମନ୍ଦିର କେବେ ନିର୍ମିତ ହୋଇଛି ସେନେଇ କାହାକୁ ଭଲ ଭାବରେ ଜଣାନାହିଁ । ତେଣୁ ଏହାର ପଥର ଉପରେ ଅଧ୍ୟୟନ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିବେଦନ କରାଯାଇଛି ।

ମୁଖ୍ୟତଃ ଚାକିରି ସମ୍ମନ୍ଧୀୟ ସମସ୍ୟା ଥିବା ଲୋକେ ଏଠାକୁ ଆସି ତାଲା ଲଗାଇ ମାନସିକ କରି ଯାଆନ୍ତି । ୨୦୨୦ ପର୍ଯ୍ୟନ୍ତ ଏହି ମନ୍ଦିରର ସ୍ଥିତି ଭଲ ନଥିଲା । ତା’ପରେ ଭଗବାନଙ୍କ କୃପା ଏବଂ ଗୁରୁଙ୍କ ମାର୍ଗଦର୍ଶନରେ ଏହାର ନବୀକରଣ କାର୍ଯ୍ୟ ଆରମ୍ଭ ହେଲା । ୨୦୨୩ ମସିହାରେ ମନ୍ଦିରରେ ମାନସିକ ସହିତ ପ୍ରଥମ ତାଲା ଲଗାଯାଇଥିଲା, ଯାହା ପରେ ମନ୍ଦିରରେ ତାଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏବେ ମନ୍ଦିରଟି ତାଲା ମହାଦେବ ମନ୍ଦିର ଭାବରେ ପରିଚିତ ।
