Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଧାରା ୩୭୦କୁ ନେଇ ଜମ୍ମୁରେ ହଲ୍ଲାବୋଲ, ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
ଧାରା ୩୭୦କୁ ନେଇ ଜମ୍ମୁରେ ହଲ୍ଲାବୋଲ, ପୂର୍ବରୁ ସୁପ୍ରିମକୋର୍ଟ କହିଥିଲେ...

Key Points

  • ଜମ୍ମୁ-କାଶ୍ମୀର ବିଧାନସଭାରେ ହାଇଡ୍ରାମା
  • ଧାରା  ୩୭୦କୁ ନେଇ ପ୍ରବଳ ହଙ୍ଗାମା

ଅର୍ଗସ ବ୍ୟୁରୋ: ଜାମ୍ମୁ କାଶ୍ମୀରରେ ନୂଆ ସରକାର ଗଠନ ହେବା ପରେ ପୁଣି ଥରେ ଧାରା ୩୭୦କୁ ନେଇ ବଢିଛି ବିବାଦ । କେନ୍ଦ୍ର ସରକାର ଧାରା ୩୭୦କୁ ଉଠାଇଥିଲେ ୨୦୧୯ରେ । କିନ୍ତୁ ଏହାକୁ ଉଚ୍ଛେଦ କରିବାକୁ ଦାବି ହୋଇଛି । ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଐତିହାସିକ ପ୍ରସ୍ତାବ ପାରିତ କରିଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି, ଜମ୍ମୁକାଶ୍ମୀରର ହିତ ପାଇଁ ଧାରା ୩୭୦ ଉଚ୍ଛେଦ ଆବଶ୍ୟକ ରହିଛି । ଯାହାକୁ ନେଇ ଉଭୟ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଗୃହରେ ବିଜେପି କହିଛି, ଏହା ଦେଶ ବିରୋଧୀ ଏଜେଣ୍ଡା ।

ଧାରା ୩୭୦କୁ ପୁଣି ଥରେ ଜମ୍ମୁ ଓ କାଶ୍ମୀରରେ ଲାଗୁ କରିବା ପାଇଁ  ଆଓ୍ବାମୀ ଇତେହାଦ ପାର୍ଟି ବିଧାୟକ ଗୃହରେ ଦାବି କରିବା ସହ ପ୍ଲା-କାର୍ଡ ଦେଖାଇଥିଲେ । ଏହାକୁ ବିଜେପି ବିଧାୟକ ମାନେ ପ୍ରବଳ ବିରୋଧ କରିଥିଲେ । ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିଥିଲେ । ବିଜେପି ବିଧାୟକ ତଥା ବିରୋଧୀ ଦଳ ନେତା ସୁନୀଲ ଶର୍ମା ଏଭଳି ଅସାମ୍ବିଧାନିକ ପଦକ୍ଷେପକୁ ଦୃଢ ନିନ୍ଦା କରିଥିଲେ । ଏହା ଦ୍ବାରା ଗୃହର ଗରିମା ନଷ୍ଟ ହେଉଥିବା କହିଥିଲେ ।  ବିଜେପିର ପ୍ରତିବାଦ ସତ୍ତ୍ବେ ପ୍ଲାକାର୍ଡ ନ ହଟାଇବାରୁ ଗୃହରେ ଶାସକ ଓ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଥିଲେ ।

୨୦୧୯ ମସିହାରେ କେନ୍ଦ୍ର ସରକାର ଧାରା ୩୭୦ ଉଠାଇ ଦେଇଥିଲେ । ଯାହାକୁ ନେଇ ସେହି ସମୟରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ । ଏହି ନିଷ୍ପତ୍ତିକୁ କଂଗ୍ରେସ ଜୋରଦାର ବିରୋଧ କରିଥିଲା । ସଂସଦରେ ଜୋରଦାର ଆଲୋଚନା ହୋଇଥିଲା । କିନ୍ତୁ ପରେ ସଂସଦରେ ବିଲ୍‌ ପାସ୍‌ ହେବା ପରେ କାଶ୍ମୀରରୁ ଉଠିଥିଲା ଧାରା ୩୭୦ । ତେବେ ଧାରାକୁ ନେଇ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ ବିରୋଧୀ । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଥିଲେ, ସଂସଦର ନିଷ୍ପତ୍ତିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବ ନାହିଁ । ଧାରା ୩୭୦ ଜାମ୍ମୁ-କାଶ୍ମୀରକୁ ଭାରତରେ ମିଶ୍ରଣ ପାଇଁ, ଏହାଏକ ବାଧା ନୁହେଁ ବୋଲି ରାୟରେ ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜାମ୍ମୁ-କାଶ୍ମୀରକୁ ନେଇ କେନ୍ଦ୍ର ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ୫ ଜଣିଆ ଖଣ୍ଡପୀଠ କହିଥିଲେ, ଭାରତ ସହ ଜାମ୍ମୁ ଓ କାଶ୍ମୀରର ବିଲୟ ପ୍ରକ୍ରିୟାକୁ ସହଜ କରିବା ଲାଗି ଧାରା ୩୭୦ ଉଦ୍ଦିଷ୍ଟ ଥିଲା । ଏହା ସଂପୂର୍ଣ୍ଣ ଭାବେ ଅସ୍ଥାୟୀ ବ୍ୟବସ୍ଥା ଥିଲା ଏବଂ ଏହାକୁ ରାଷ୍ଟ୍ରପତି ଉଚ୍ଛେଦ କରିବାରେ କୌଣସି ଅସୁବିଧା ନାହିଁ । ଜାମ୍ମୁ ଓ କଶ୍ମୀର ଭାରତର ଅଙ୍ଗ ହୋଇଥିବାରୁ ଏଠାରେ ଭାରତୀୟ ସମ୍ବିଧାନର ସମସ୍ତ ବ୍ୟବସ୍ଥା ଲାଗୁ କରାଯାଇପାରିବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ । ଜାମ୍ମୁ କାଶ୍ମୀର ପୁନର୍ଗଠନକୁ ମଧ୍ୟ କୋର୍ଟ ବୈଧ ଦର୍ଶାଇଥିଲେ । ସେହିପରି ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦିଆଯିବାରେ କୌଣସି ଆଇନଗତ ବାଧା ନାହିଁ ବୋଲି ସ୍ପଷ୍ଟ କରିଥିଲେ ସୁପ୍ରିମକୋର୍ଟ । 

ସମ୍ବିଧାନର ଧାରା ୩୫୬ । ଅର୍ଥାତ୍‌ ରାଷ୍ଟ୍ରପତି ଶାସନ । ଏହି ସମୟରେ କେନ୍ଦ୍ର ସରକାର ଅନେକ ନିଷ୍ପତ୍ତି ନେଇପାରନ୍ତି । କିନ୍ତୁ ସବୁ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଶୁଣାଣିରେ କହିଥିଲେ । ମୋଟ୍‌ ଉପରେ ଏବେ ଇତିହାସ ପାଲଟିଛି ଧାରା-୩୭୦ । ୪ ବର୍ଷ ୪ ମାସ ୬ ଦିନ ପରେ କେନ୍ଦ୍ର ସରକାରଙ୍କ ନିଷ୍ପତି ଉପରେ ମୋହର ମାରିଥିଲେ ସୁପ୍ରିମକୋର୍ଟ । ଜମ୍ମୁ-କାଶ୍ମୀରରୁ ହଟାଯାଇଥିବା ଧାରା ୩୭୦କୁ କାଏମ ରଖିଥିଲେ ସୁପ୍ରିମକୋର୍ଟ । ଧାରା-୩୭୦ ଉଚ୍ଛେଦ ବୈଧ ବୋଲି କହିଥିଲେ ସର୍ବୋଚ୍ଚ ନାୟାଳୟ । ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଏହି ଧାରା ଉଚ୍ଛେଦ କରାଯାଇଛି । 
ଘାଟିରେ ଧାରା ୩୭୦ ଇତିହାସ କ’ଣ ରହିଛି ?
୧୯୪୭, ଅକ୍ଟୋବର ୨୬ରେ ଭାରତ ସହ ଯୋଡ଼ି ହୋଇଥିଲା ଜାମ୍ମୁ-କାଶ୍ମୀର
୧୯୪୯ରେ ଜମ୍ମୁ-କାଶ୍ମୀର ପାଇଁ ସମ୍ବିଧାନରେ ଯୋଡ଼ା ହୋଇଥିଲା ଧାରା ୩୭୦
ପ୍ରଥମରୁ ଏହାକୁ ବିରୋଧ କରିଥିଲେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକର
ଏହାକୁ ଦେଶଦ୍ରୋହ ସହ ସମାନ ବୋଲି କହିଥିଲେ ଆମ୍ବେଦକର
ଧାରା ୩୭୦ ବଳରେ ଜାମ୍ମୁ-କାଶ୍ମୀର ରାଜ୍ୟକୁ ମିଳିଥିଲା ସ୍ୱତନ୍ତ୍ର ମାନ୍ୟତା
ଏହି ଧାରା ଅନୁଯାୟୀ ଭାରତର ସବୁ ଆଇନ ଜାମ୍ମୁ-କାଶ୍ମୀରରେ ଲାଗୁ ହେଉନଥିଲା

ଧାରା ୩୭୦ କେବଳ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର, ଅର୍ଥ ଓ ଯୋଗାଯୋଗ କ୍ଷେତ୍ରରେ ଆଇନ ପ୍ରଣୟନ କରିପାରିବ ଭାରତ । ଅନ୍ୟ କ୍ଷେତ୍ରରେ କିଛି ଆଇନ ଲାଗୁ କରିବାକୁ ହେଲେ ଜାମ୍ମୁ କାଶ୍ମୀର ବିଧାନସଭାର ଅନୁମତି ନେବାକୁ ପଡିବ । ଜାମ୍ମୁ-କାଶ୍ମୀରର ବାସିନ୍ଦା ସ୍ୱତନ୍ତ୍ର ଅଧିକାର ପାଇବେ । ଜାମ୍ମୁ-କାଶ୍ମୀରର ସମ୍ପତ୍ତି ଓ ଜମିକୁ ଅନ୍ୟ ରାଜ୍ୟର ଲୋକେ କିଣି ପାରିବେ ନାହିଁ । କିନ୍ତୁ ଜାମ୍ମୁ-କାଶ୍ମୀରବାସୀ ଅନ୍ୟ ରାଜ୍ୟରେ ଜମି ଓ ସମ୍ପତ୍ତି କିଣିପାରିବେ । ଆର୍ଥିକ ବିପତ୍ତି ବେଳେ ଜାମ୍ମୁ ଓ କାଶ୍ମୀରରେ ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ ନାହିଁ କେବଳ ବାହ୍ୟ ଆକ୍ରମଣ କିମ୍ବା ଯୁଦ୍ଧ ସମୟରେ ଜରୁରୀକାଳୀନ ପରିସ୍ଥିତି ଜାରି କରିହେବ । ତେବେ ଧାରା-୩୭୦ ଏକ ଅସ୍ଥାୟୀ ଅଧିକାର ବୋଲି ସମ୍ବିଧାନରେ ଉଲ୍ଲେଖ ରହିଥିଲା । ଯାହାକୁ ଉଚ୍ଛେଦ କରିଥିଲେ ମୋଦି ସରକାର । ଆଉ ଏବେ ପୁଣି ଥରେ ବିଧାନସଭାରେ ସରଗରମ ହୋଇଛି ଧାରା ୩୭୦ ଆଲୋଚନା ।
 

Sponsored
J&K assembly | Argus News