ପ୍ରୟାଗରାଜରେ ପୁଣ୍ୟ ଅର୍ଜନ କଲେ ଅମିତ ଶାହ: ମହାକୁମ୍ଭରେ ବୁଡ଼ ଦେଲେ

ଅର୍ଗସ ବ୍ୟୁରୋ: ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭର ଆଜି ୧୫ତମ ଦିନ। ଆଉ ଏହି ଦିନରେ ପାଖାପାଖି ୧୧ କୋଟିରୁ ଅଧିକ ଭକ୍ତ ସଙ୍ଗମରେ ପବିତ୍ର ସ୍ନାନ କରିସାରିଲେଣି। ଏବେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୋମବାର କୁମ୍ଭ ନଗରୀରେ ପହଞ୍ଚି ବୁଡ଼ ପକାଇଛନ୍ତି। ସ୍ନାନ ସମୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ। ଅନେକ ସାଧୁ ମଧ୍ୟ ଶାହଙ୍କ ସହ ମିଶି ମହାକୁମ୍ଭରେ ସ୍ନାନ କରିଥିଲେ। ଯେଉଁଠାରେ ସେ ମହାକୁମ୍ଭରେ ପ୍ରାୟ ସାତ ଘଣ୍ଟା ବିତାଇବେ। ଏହି ସମୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ସହିତ ରହିବେ। ମହାକୁମ୍ଭରେ ଅଂଶଗ୍ରହଣ କରିବା ପାଇଁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସୋମବାର ସକାଳ ୧୧ଟା ୩୦ରେ ବାମରୌଲି ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେ ଆରାଇଲ ଏବଂ ତା’ପରେ ସେ ନିଷାଦରାଜ କ୍ରୁଜ ଦ୍ୱାରା ଭିଆଇପି ଘାଟରେ ପହଞ୍ଚିଥିଲେ।
ପ୍ରୟାଗରାଜ ଗସ୍ତ ସମୟରେ, ଅମିତ ଶାହ ପୂଜାର୍ଚ୍ଚନା ସହିତ ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି। ଏହା ପରେ ଶାହ ସମସ୍ତ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଭେଟିବେ। ଏହା ସହିତ ସେ ଶରଣାନନ୍ଦଜୀ ମହାରାଜ, ଗୋବିନ୍ଦ ଗିରି ମହାରାଜ ଏବଂ ଅନ୍ୟ ସନ୍ଥମାନଙ୍କୁ ମଧ୍ୟ ଭେଟିବେ। କୁମ୍ଭନଗରୀରେ, ଶାହା ଜଗନ୍ନାଥ ଟ୍ରଷ୍ଟ ଶିବିରରେ ସାଧୁସନ୍ଥମାନଙ୍କ ସହିତ ଭୋଜନ କରିବେ ଏବଂ ଏହା ପରେ, ସେ ପ୍ରାୟ ୬ଟା ୫୦ରେ ବାମରାଉଲି ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ମହାକୁମ୍ଭ ଯିବା ବିଷୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିଜେ ସୂଚନା ଦେଇଥିଲେ। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ସମଗ୍ର ବିଶ୍ୱକୁ ସମାନତା ଏବଂ ସମନ୍ବୟର ବାର୍ତ୍ତା ଦେଉଥିବା ସନାତନ ଧର୍ମର ମହାକୁମ୍ଭ କେବଳ ଏକ ତୀର୍ଥସ୍ଥଳ ନୁହେଁ ବରଂ ଦେଶର ବିବିଧତା, ବିଶ୍ୱାସ ଏବଂ ଜ୍ଞାନ ପରମ୍ପରାର ଏକ ସଙ୍ଗମସ୍ଥଳ।’ ମୁଁ ଆସନ୍ତାକାଲି ପ୍ରୟାଗରାଜରେ ମହାକୁମ୍ଭରେ ବୁଡ଼ ପକାଇବା, ପୂଜା କରିବା ଏବଂ ପୂଜ୍ୟ ସନ୍ଥମାନଙ୍କୁ ଭେଟିବା ପାଇଁ ଉତ୍ସାହିତ ଅଛି ବୋଲି ଏକ୍ସରେ ଶେୟାର କରିଥିଲେ।