ଜାମ୍ମୁ-କାଶ୍ମୀର ସ୍ଥିତ ସମୀକ୍ଷା କରିବେ ଶାହ, ଏଥର ହେବ ନୂଆ ପ୍ଲାନ୍

ସାବାଡ଼ ହେବେ ଆତଙ୍କବାଦୀ । କାହାରିକୁ ଛଡ଼ାଯିବନି । ଆତଙ୍କବାଦ ବିରୋଧରେ ଗ୍ରହଣ କରାଯିବ ଶୂନ୍ୟ ସହନଶୀଳ ନୀତି । ଏଥିପାଇଁ କରାଯିବ ଜୋରଦାର ପ୍ଲାନିଂ । ଜାମ୍ମୁ-କାଶ୍ମୀର ପାଇଁ ହେବ ମାଷ୍ଟର ପ୍ଲାନ୍ ।
ଏଥିପାଇଁ ଜାମ୍ମୁ ଓ କାଶ୍ମୀର ସ୍ଥିତି ସମୀକ୍ଷା କରିବାକୁ ଯିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏଥିରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ପ୍ରସ୍ତୁତ ହେବ ରଣନୀତି । ଆତଙ୍କବାଦୀଙ୍କ ବିରୋଧରେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରାଯିବ । ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ଜମ୍ମୁ ଓ କାଶ୍ମୀର ପୋଲିସ, ସିଆରପିଏଫ୍ ଓ ସେନାର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।
ଏହାପୂର୍ବରୁ ଡିସେମ୍ବର ମାସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ ଓ କାଶ୍ମୀର ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଆତଙ୍କବାଦୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉଥିବାରୁ ଆତଙ୍କବାଦୀଙ୍କ ଆକ୍ରମଣ ଓ ଅନୁପ୍ରବେଶ ହ୍ରାସ ପାଇଛି । ଏଥିସହ ଯୁବପିଢି ଆତଙ୍କବାଦୀଙ୍କ ଠାରୁ ମୁହଁ ଫେରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ବୋଲି କହିଥିଲେ ଅମିତ ଶାହ ।
ତେବେ ଗତ ଜାନୁଆରୀ ୩ ରେ ନୂଆଦିଲ୍ଲୀ ସ୍ଥିତ ଡ. ଆମ୍ବେଦକର ଇଣ୍ଟରନ୍ୟାସନାଲ ସେଣ୍ଟରରେ ଗୁରୁବାର କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ କରକମଳରେ “ଜମ୍ମୁ-କାଶ୍ମୀର ଆଣ୍ଡ୍ ଲଦାଖ୍ : ଥ୍ରୋ ଦ ଏଜେସ୍” ପୁସ୍ତକ ଉନ୍ମୋଚିତ ହୋଇଥିଲା।
ଏହି ପୁସ୍ତକ ଉନ୍ମୋଚନ ସମାରୋହରେ ଶ୍ରୀ ଶାହ କହିଥିଲେ ଯେ ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ । ଏହାକୁ ଆଇନର କୌଣସି ଧାରା ବଦଳାଇପାରିବ ନାହିଁ । ଜମ୍ମୁ-କଶ୍ମୀରର ଇତିହାସ ଓ ସାଂସ୍କୃତିକ ଐତିହ୍ୟକୁ ପୁନରୁଦ୍ଧାର କରିବା ଦିଗରେ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି ।
ତେଣୁ ଏଥିରୁ ସ୍ପଷ୍ଟ ଯେ, ଅମିତ ଶାହ ଜମ୍ମୁ-କାଶ୍ମୀରକୁ ନେଇ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ତେଣୁ ଏଥର ହେବାକୁ ଥିବା ସମୀକ୍ଷା ବୈଠକରେ ଜମ୍ମୁ-କାଶ୍ମୀର ପାଇଁ କିଛି ମାଷ୍ଟର ପ୍ଲାନ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
