Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବାରମ୍ବାର ଫାସ୍‌ଟାଗ୍‌ ରିଚାର୍ଜ ଟେନ୍‌ସନ୍‌ ଗଲା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବାରମ୍ବାର ଫାସ୍‌ଟାଗ୍‌ ରିଚାର୍ଜ ଟେନ୍‌ସନ୍‌ ଗଲା !

ଏଣିକି ଫାସ୍‌ଟାଗ୍‌ରେ ବାରମ୍ବାର କରିବାକୁ ପଡ଼ିବନି ରିଚାର୍ଜ । ବର୍ଷ ସାରା ପାଇଁ ଟୋଲ ଫି' ହୋଇଯିବ ଫ୍ରି । ଥରେ ଟଙ୍କା ଦେଲେ ବର୍ଷ ସାରା ଫାସ୍‌ଟାଗ୍‌ ଝିନ୍‌ଝଟ୍‌ରୁ ମୁକ୍ତି । ଏମିତି କିଛି ନୂଆ ସ୍କମ୍‌ ଆଣୁଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏଭଳି କିଛି ବ୍ୟବସ୍ଥା କରିବାକୁ ଯାଉଛନ୍ତି, ଯାହାଦ୍ୱାରା ଗାଡ଼ି ମାଲିକଙ୍କୁ ଆଉ ବାରମ୍ବାର ଟୋଲ ଫି' ଦେବାକୁ ପଡ଼ିବ ନାହିଁ । ଅଧିକ ଖର୍ଚ୍ଚାନ୍ତରୁ ବଞ୍ଚିତ ହେବେ ଗାଡ଼ି ମାଲିକ ।

ଜାତୀୟ ରାଜପଥରେ ଯିବା ବେଳେ ପ୍ରାୟ ୬୦ କିଲୋମିଟରରେ ଗୋଟାଏ ଲେଖାଏଁ ଟୋଲ ଗେଟ୍‌ ପଡ଼େ । ଏହି ଟୋଲ ଗେଟ୍‌ରେ ନିର୍ଦ୍ଧାରିତ ଟଙ୍କା ଦେବା ପରେ ହିଁ ଆପଣ ଆଗକୁ ବଢନ୍ତି । ହେଲେ ବେଳେ ବେଳେ ଟୋଲ ପ୍ଲାଜାରେ ଏମିତି ଭିଡ଼ ହୁଏ ଯେ ଘଂଟା ଘଂଟା ପର୍ଯ୍ୟନ୍ତ ଆପଣ ରାସ୍ତାରେ ହିଁ ଅପେକ୍ଷା କରନ୍ତି । କିନ୍ତୁ ଏବେ କେନ୍ଦ୍ର ସଡ଼କ ଓ ପରିବହନ ବିଭାଗ ଯେଉଁ ନିଷ୍ପତ୍ତି ନେଉଛି ତାହା ସବୁ ଗାଡ଼ି ଚାଳକଙ୍କ ଲାଗି ଆଶ୍ବସ୍ତି ଆଣିବ ।

ଏବେ ମାସକୁ ୩୪୦ ଟଙ୍କା ଦେଲେ ମାସ ସାରା ଟୋଲ ଫି ଫ୍ରୀ ବ୍ୟବସ୍ଥା ରହିଛି । ତେବେ ୩୪୦ ଟଙ୍କା ଲେଖାଏଁ ମାସକୁ ହିସାବ କଲେ ବର୍ଷକୁ ୪୦୮୦ ଟଙ୍କା ଦେବାକୁ ପଡ଼ୁଛି ।

ନୂଆ ନିୟମ ଅନୁସାରେ, ଯଦି ଜଣେ ଗାଡ଼ି ମାଲିକ ଏକ କାଳିନ ୩୦୦୦ ଟଙ୍କା ଡିପୋଜିଟ୍ କରନ୍ତି ତେବେ ବର୍ଷ ସାରା ତାଙ୍କୁ ଆଉ କୌଣସି ଟୋଲ ଗେଟ୍‌ ପାଇଁ ଏକ୍ସଟ୍ରା ରିଚାର୍ଜ କରିବାକୁ ପଡ଼ିବ ନାହିଁ । ଖାଲି ସେତିକି ନୁହେଁ ଯଦି ଜଣେ ବ୍ୟକ୍ତି ୩୦୦୦୦ ଟଙ୍କା ଏକକାଳିନ ଡିପୋଜିଟ୍ କରନ୍ତି ତେବେ ତାଙ୍କୁ ଲାଇଫ୍‌ ଟାଇମ୍‌ ତାରିଫ ମିଳିବ । ଅର୍ଥାତ୍ ୧୫ ବର୍ଷ ଯାଏଁ କୌଣସି ବି ଟୋଲ ଗେଟ୍‌ରେ ଟୋଲ ଫି' ଦେବାକୁ ପଡ଼ିବ ନାହିଁ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର କେନ୍ଦ୍ର ସରକାର ବାର୍ଷିକ ଓ ଲାଇଫ୍‌ ଟାଇମ୍‌ ଟୋଲ ପାସ୍‌ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି । ପ୍ରସ୍ତାବ ଅନୁସାରେ, ଯାତ୍ରୀ ମାତ୍ର ୩ ହଜାର ଟଙ୍କା ଦେଇ ବାର୍ଷିକ ପାସ୍‌ କିଣିପାରିବେ । ଯେଉଁ ପାସ୍‌ ଦେଖାଇ ଯାତ୍ରୀମାନେ ବର୍ଷ ସାରା ଜାତୀୟ ରାଜପଥରେ ଆରାମରେ ଯାତ୍ରା କରିପାରିବେ । କୁହାଯାଉଛି କି, ଏହି ନିର୍ଦ୍ଦେଶନାମା ଜାରି ହେଲେ ଟୋଲଗେଟ୍‌ ଦେଇ ଯାଉଥିବା ଯାତ୍ରୀ ଆରାମରେ ଯାତ୍ରା କରିବେ ଏବଂ ଘଂଟା ଘଂଟା ଜାମ୍‌ ବି ହେବନି ।

ତେବେ ଏହି ସବୁ ବ୍ୟବସ୍ଥାକୁ ନେଇ କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଆଲୋଚନା କରାଯାଉଛି । ଖୁବ୍‌ଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଅଶା ରହିଛି । ଏହି ବ୍ୟବସ୍ଥା ଲାଗୁ କଲେ ଲୋକଙ୍କୁ କେତେ ସୁବିଧା ମିଳିପାରିବ ଓ ସରକାରଙ୍କର କ'ଣ ଫାଇଦା ହେବ, ସେନେଇ ବିଚାର ବିମର୍ଶ ଚାଲିଛି । ଖାଲି ଏତିକି ନୁହେଁ ଏବେ କିଲୋମିଟର ପିଛା ଯେତିକି ଟଙ୍କା ଆଦାୟ ହେଉଛି ତାହାକୁ କମାଇବାକୁ ମଧ୍ୟ ଚେଷ୍ଟା କରାଯାଉଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ନୂଆ ବ୍ୟବସ୍ଥା ଆପଣାଇବାକୁ ହେଲେ କୌଣସି ନୂଆ ପାସ୍‌ କରିବାକୁ ପଡ଼ିବ ନାହିଁ । କାରଣ ଫାସ୍‌ଟ୍ୟାଗ୍‌ ସହ ଏହାକୁ ଲିଙ୍କ କରାଯିବ ।

ଅନ୍ୟପଟେ ଗଡକରୀ କହିଛନ୍ତି, ଗାଡ଼ି ମାଲିକ କେମିତି ଭଲରେ ଗାଡ଼ି ଚଳାଇବେ ସେନେଇ ଆମେ ଅନେକ ଯୋଜନା କରିବାକୁ ଯାଉଛୁ । ଆଗାମୀ ଦିନରେ ଆହୁରି ନୂଆ ନୂଆ ଯୋଜନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Annual Lifetime Toll Passes For Use On NH To Cost 3000 | Argus News