ନକ୍ସଲମୁକ୍ତ ଭାରତ ଅଭିଯାନ ଦିଗରେ ଆଉ ଏକ ବଡ଼ ସଫଳତା: ଅମିତ୍ ଶାହ

ଛତିଶଗଡ଼ରେ ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷାବାହିନୀଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ବିଜାପୁରରେ ବଡ଼ ଧରଣର ଏନକାଉଣ୍ଟରରେ ନିପାତ ହୋଇଛନ୍ତି ମୋଟ 30 ଜଣ ମାଓବାଦୀ। ବିଜାପୁର-ଦାନ୍ତେଓ୍ବାଡା ସୀମା ରଙ୍ଗଲୁର ମାଓବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଆରମ୍ଭ କରିଥିଲେ କମ୍ବିଂ ଅପରେସନ୍ । ସେଠାରେ ଏନକାଉଣ୍ଟରରେ 26 ଜଣ ନକ୍ସଲ ନିପାତ ହୋଇଥିବାବେଳେ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହେଲା । ସେହିପରି କାଙ୍କେର ଅଞ୍ଚଳରେ ହୋଇଥିବା ଏନକାଉଣ୍ଟରରେ 4 ଜଣ ମାଓବାଦୀ ନିହତ ହୋଇଛନ୍ତି।
ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୁରକ୍ଷାବାହିନୀଙ୍କ ମନୋବଳ ବଢ଼ାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। କହିଛନ୍ତି, ନକ୍ସଲମୁକ୍ତ ଭାରତ ଅଭିଯାନ ଦିଗରେ ଆମ ଯବାନମାନେ ଆଉ ଏକ ବଡ଼ ସଫଳତା ହାସଲ କଲେ। ମୋଦି ସରକାର ନକ୍ସଲଙ୍କ ବିରୋଧରେ କଡ଼ା ଆଭିମୁଖ୍ୟର ସହ ଆଗକୁ ବଢୁଛନ୍ତି ଏବଂ ସମର୍ପଣରୁ ନେଇ ସମାବେଶନ ଯାଏଁ ସମସ୍ତ ସୁବିଧା ସତ୍ବେ ଯେଉଁ ନକ୍ସଲମାନେ ଆତ୍ମ ସମର୍ପଣ କରୁନାହାନ୍ତି, ସେମାନଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଯାଉଛି। ଆସନ୍ତା ବର୍ଷ ମାର୍ଚ୍ଚ 31 ପୂର୍ବରୁ ଦେଶ ନକ୍ସଲ ମୁକ୍ତ ହୋଇଯିବ।
2026 ମାର୍ଚ୍ଚ ସୁଦ୍ଧା ମାଓବାଦ ମୁକ୍ତ ଭାରତ ନେଇ ଅମିତ୍ ଶାହଙ୍କ ଆହ୍ବାନ ପରେ ଛତିଶଗଡ଼ରେ ଚାଲିଛି ଜୋରଦାର ମାଓବିରୋଧୀ ଅପରେସନ୍ । ଗତ କିଛି ମାସ ହେଲା ଏଥିରେ ସୁରକ୍ଷାବାହିନୀଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ସଫଳତା ବି ମିଳିଚାଲିଛି। ଗତ ଫେବ୍ରୁଆରୀ 9 ତାରିଖରେ ବିଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ହୋଇଥିବା ଏନକାଉଣ୍ଟରରେ ନିପାତ ହୋଇଥିଲେ 31 ଜଣ ନକ୍ସଲ। ଫେବ୍ରୁଆରୀ 1 ତାରିଖରେ ବିଜାପୁରରେ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଥିଲେ 8 ଜଣ ମାଓବାଦୀ। ଜାନୁଆରୀ 29 ତାରିଖରେ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଆତ୍ମସମର୍ପଣ କଲେ 29 ଜଣ ନକ୍ସଲ। 21 ଜାନୁଆରୀରେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ନିପାତ ହୋଇଥିଲେ 14 ଜଣ ମାଓବାଦୀ। ଏମାନଙ୍କ ମଧ୍ୟରେ ଥିଲା ଓଡ଼ିଶା ମାଓ କମିଟିର ମୁଖ୍ୟ ଚଲପତି, ଯାହା ମୁଣ୍ଡ ଉପରେ ଥିଲା 1 କୋଟି ଟଙ୍କାର ପୁରସ୍କାର। ତାର ପାଞ୍ଚ ଦିନ ପୂର୍ବରୁ ଜାନୁଆରୀ 16 ତାରିଖରେ ବିଜାପୁରରେ ହୋଇଥିବା ଅପରେସନରେ ଟଳିଲେ 18 ଜଣ ମାଓବାଦୀ।
ମୋଦି ସରକାରଙ୍କ କଡ଼ା ଆଭିମୁଖ୍ୟ ଫଳରେ ଦେଶରେ ଏବେ ଶେଷ ନିଃଶ୍ବାସ ନେଉଛି ମାଓବାଦ। ମିଳିଥିବା ସୂଚନା ଅନୁସାରେ ଆଗାମୀ ଦିନରେ ଆହୁରି ବଡ଼ ଅପରେସନ। ଏବେ ନକ୍ସଲ କମାଣ୍ଡର ହିଡ଼ିମାକୁ ଖୋଜିବାରେ ଲାଗିଛନ୍ତି ସୁରକ୍ଷାବାହିନୀ। ଏଥିପାଇଁ ଟେକ୍ନିକାଲ୍ ସର୍ଭେଲାନ୍ସରୁ ନେଇ ଗୁଇନ୍ଦା ସୂତ୍ରର ବ୍ୟବହାର କରାଯାଉଛି। ଏଥିପାଇଁ 125ରୁ ଅଧିକ ଗାଁରେ ଟେକ୍ନିକାଲ୍ ମ୍ୟାପିଂ କରାଯାଉଛି । ଛତିଶଗଡ଼ ନେଇ ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ନେଇ ମହାରାଷ୍ଟ୍ର ସୀମା ଯାଏଁ 125 ଗାଁରେ ଥର୍ମାଲ୍ ଇମେଜିଂ କରାଯାଉଛି।