Videos
|
National

ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26

Ritu Das
Browse all articles by Ritu Das
·2 years ago·2 min read
ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26

ଅର୍ଗସ ବ୍ୟୁରୋ: ଦେଶଭକ୍ତିର କଲମରେ, ସାହସର ସ୍ୟାହିରେ ଲେଖାଯାଇଥିବା ପରାକ୍ରମର ଆଉ ଏକ ତାରିଖ ଜୁଲାଇ 26 । ଏବେ ବି ସାକ୍ଷୀ କାରଗିଲରେ ଦଣ୍ଡାୟମାନ ହୋଇ ରହିଥିବା ସେହିସବୁ ଗିରିଶୃଙ୍ଗ । ଯାହାକୁ ସେଦିନ ରକ୍ତରେ ଭିଜାଇ  ତ୍ରିରଙ୍ଗାର ଟେକ ରଖିଥିଲେ ଶୌର୍ଯ୍ୟ, ସଂଗ୍ରାମର ତିଳକ ପିନ୍ଧିଥିବା ଭାରତୀୟ ସେନାର ବୀର ଯବାନ । ପାକିସ୍ତାନର ନାପାକ୍ ଷଡ଼ଯନ୍ତ୍ରକୁ ବୀରତ୍ବର ଥାପ୍ପଡ ଲଗାଇ, ସେନାମୁଖ୍ୟ ପରଭେଜ୍ ମୁଶାରଫ ଜିହାଦର ଜାମା ପିନ୍ଧାଇ ପଠାଇଥିବା ସୈନିକଙ୍କୁ କବର ଦେଇ ଇତିହାସରେ ନୂଆ ଏକ ଅଧ୍ୟାୟ ଲେଖିଥିଲା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ବାଧୀନ ଭାରତ । ସେଥିପାଇଁ ପ୍ରତିବର୍ଷ ଜୁଲାଇ 26ରେ ପାଳନ ହେଉଛି ପରାକ୍ରମ ଦିବସ । 

ପରାକ୍ରମ ଦିବସ ଅବସରରେ ୧୯୯୯ର ସେହି ପରାକ୍ରମୀଙ୍କ ସ୍ମୃତି ଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଯୁଦ୍ଧ ସ୍ମାରକୀସ୍ଥଳକୁ ଯାଇ ପ୍ରଧାନମନ୍ତ୍ରୀ କାରଗିଲ ଯୁଦ୍ଧରେ ପ୍ରାଣର ଆହୁତି ଦେଇଥିବା ଯବାନଙ୍କୁ ସାଲ୍ୟୁଟ୍ ଜଣାଇଛନ୍ତି । ଏଥିସହ ପାକିସ୍ତାନ ଉପରେ ଭୀଷଣ ବର୍ଷିଛନ୍ତି । ପାକିସ୍ତାନ ହେଉଛି ଆତଙ୍କୀଙ୍କ ଆଡ୍ଡା, ଲୁଚିଛପି ଭାରତ ଉପରେ ଆତଙ୍କୀ ଆକ୍ରମଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହୋଇଛି । ସବୁ ଷଡ଼ଯନ୍ତ୍ରରେ ଫେଲ୍ ମାରିଥିଲେ ବି ନିଜ ଇତିହାସରୁ ପାକିସ୍ତାନ କିଛି ଶିଖିପାରିନି । ତେବେ ପାକିସ୍ତାନକୁ ସେନା ଦୃଢ଼ ଜବାବ ଦେଇ ଆସିଛି, ଆଗକୁ ବି ଦେଇ ଚାଲିବ କହି ସୀମା ଏପଟୁ ପାକିସ୍ତାନକୁ ଚରମବାଣୀ ଶୁଣାଇଛନ୍ତି ମୋଦି । କାରଗିଲ ଯୁଦ୍ଧର ସହିଦମାନଙ୍କ ପରିବାରକୁ ଭେଟି ବିଜୟ ଦିବସ ଅବସରରେ ଆଶ୍ବାସନା ଜଣାଇଛନ୍ତି ମୋଦି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ବି ବୀରତ୍ବ ପ୍ରଦର୍ଶନ କରାଯାଇଛି ।
ଏପଟେ କାରଗିଲ୍ ଦିବସର ରଜତ ଜୟନ୍ତୀ ଅବସରରେ ଆଜି ନୂଆଦିଲ୍ଲୀରୁ ଥିରୁଅନନ୍ତପୁରମ, ଲକ୍ଷ୍ନୌରୁ କୋଲକାତା, ଭୋପାଳ, ଜୟପୁର, ଡେରାଡୁନ୍, ସବୁଠି ସହିଦମାନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ନୂଆଦିଲ୍ଲୀର ୱାର ମେମୋରିଆଲରେ ତିନି ସେନାମୁଖ୍ୟଙ୍କ ସହ ସହିଦଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । 

କାରଗିଲ୍ ସଂଗ୍ରାମରେ ଯୁଝି, ଦେଶମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା 13 ଜଣ ଓଡ଼ିଆଙ୍କ ବୀରତ୍ବଗାଥା ବି କିଛି କମ୍ ନୁହେଁ । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗାଁର ଗୋପୀନାଥ ମହାରଣାଙ୍କୁ ଝୁରୁଛି ଜନ୍ମମାଟି । ପ୍ରତିଦିନ ସହିଦ ଗୋପୀନାଥଙ୍କ ମାଆ ଗାଁରେ ଥିବା ତାଙ୍କର ଏହି ପ୍ରତିମୂର୍ତ୍ତି ପାଖକୁ ଆସି ଫୁଲ ଦେଲା ବେଳେ ଆଖିରେ ଲୁହ ଜକେଇ ହୋଇ ଯାଏ । ଆସ୍କା ମାଟିର ଗର୍ବ ଓ ଗୌରବ ତଥା କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଉମାକାନ୍ତ ପଟ୍ଟନାୟକଙ୍କୁ ବି ଝୁରି ହେଉଛନ୍ତି ପରିବାର ଲୋକେ ଓ ଅଞ୍ଚଳବାସୀ । ବିଜେପି ପକ୍ଷରୁ ମଧ୍ୟ ସାରା ରାଜ୍ୟରେ ପାଳନ କରାଯାଇଛି ସହିଦ ଦିବସ ।
60 ଦିନର ଲମ୍ବା ସଂଘର୍ଷ ପରେ ୧୮ ହଜାର ଫୁଟ୍ ଉଚ୍ଚରେ ଲୁଚି ରହିଥିବା ଶତ୍ରୁଙ୍କୁ ମାତ୍ ଦେଇ ବିଜୟ ଉଲ୍ଲାସ ପାଳିଥିଲା ସାରାଦେଶ । ହେଲେ ଏହା ପଛରେ ଥିଲା ୨୬ ଅଫିସର ଓ ୫୨୭ ଯବାନଙ୍କ ବଳିଦାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର 
 

Another date of | Argus News