Videos
|
National

Accident News / ସାମାନ୍ୟ ବଚସା ପରେ ୭ମ ମହଲାରୁ ଖସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

Rashmita Mishra
Browse all articles by Rashmita Mishra
·2 weeks ago·2 min read
ସାମାନ୍ୟ ବଚସା ପରେ ୭ମ ମହଲାରୁ ଖସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର
Accident News

Key Points

ଲିଭ୍-ଇନ୍ ହେଲା କାଳ ଛାତରୁ ଡେଇଁ ପଡ଼ିଲେ ଦୁହେଁ । 
ସାମାନ୍ୟ ବଚସା ପରେ ୭ମ ମହଲାରୁ ଖସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।

କର୍ଣ୍ଣାଟକର ବେଙ୍ଗାଲୁରୁ ହ୍ୱାଇଟଫିଲ୍ଡ ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା । ଏକ ପ୍ରାଇଭେଟ୍ କୋ-ଲିଭିଂ ପିଜିର ସପ୍ତମ ମହଲାରୁ ଖସିପଡ଼ି ୨୩ ବର୍ଷୀୟା ଜଣେ ମହିଳା ସଫ୍ଟୱେର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ତାଙ୍କ ୩୦ ବର୍ଷୀୟ ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଡୁଚେରୀର ବାସିନ୍ଦା ଥିଲେ ଉଭୟ
ମୃତ ଯୁବତୀଙ୍କ ପରିଚୟ ଜନନୀ ଭାବେ । ସେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରୁଥିଲେ । ସେ ମୂଳତଃ ପୁଡୁଚେରୀର ଉଲଇଭକ୍କଲ ଅଞ୍ଚଳର ବାସିନ୍ଦା ଥିଲେ । ଗତ ଜାନୁଆରୀ ମାସରୁ ସେ ହ୍ୱାଇଟଫିଲ୍ଡର ଇସିସି ରୋଡ୍‌ସ୍ଥିତ ମାଉଣ୍ଟେନ୍ ପିଜିରେ ରହୁଥିଲେ । ଅନ୍ୟପଟେ ଆହତ ଯୁବକଙ୍କ ପରିଚୟ ମଣିକଭେଲୁ ଭାବେ ହୋଇଛି । ସେ ଏକ ଲଜିଷ୍ଟିକ୍ସ କମ୍ପାନୀରେ କାମ କରୁଥିବାବେଳେ ତାଙ୍କ ଘର ମଧ୍ୟ ପୁଡୁଚେରୀର ନଲ୍ଲାଥୁର ଅଞ୍ଚଳରେ ବୋଲି ଜଣାପଡ଼ିଛି ।

ବିବାଦ ପରେ ଘଟିଲା ଅଘଟଣ
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଘଟଣା ଦିନ ସକାଳେ ଜନନୀ ଓ ମଣିକଭେଲୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ବିବାଦ ବଢ଼ିବା ପରେ ଜନନୀ ବିଲ୍ଡିଂର ଧାର ଆଡ଼କୁ ଯାଇଥିଲେ । ପୋଲିସର ଆଶଙ୍କା ଅନୁସାରେ, ସେଠାରୁ ଡେଇଁବାକୁ ଚେଷ୍ଟା କରିବା ସମୟରେ ଜନନୀ ମଣିକଭେଲୁଙ୍କୁ ମଧ୍ୟ ସାଙ୍ଗରେ ଟାଣି ନେଇଥାଇପାରନ୍ତି । ଫଳରେ ଉଭୟେ ସପ୍ତମ ମହଲାରୁ ତଳକୁ ଖସିପଡ଼ିଥିଲେ ।

ଏହି ଘଟଣାରେ ଜନନୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମଣିକଭେଲୁ ତଳକୁ ଖସିବା ସମୟରେ ଏକ ଗଛର ଡାଳରେ ଅଟକି ଯାଇଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚିଯାଇଥିଲା । ତେବେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସର ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଜନନୀଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ମାମଲା ରୁଜୁ କରିବା ସହ ଉଭୟଙ୍କ ମଧ୍ୟରେ କେଉଁ କାରଣରୁ ବିବାଦ ହୋଇଥିଲା ଏବଂ ଘଟଣାଟି ପ୍ରକୃତରେ କିପରି ଘଟିଲା, ସେନେଇ ତଦନ୍ତ ଜାରି ରଖିଛି। ଘଟଣାର ସମ୍ପୂର୍ଣ୍ଣ ସତ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Accident News | Woman Dies After Falling From 7th Floor Following Argument | One Injured | Argus News