Pahalgam Terrorist Attack: ପାହାଡ଼ ପାଖେ ପାଖେ ବୁଲିବ ଧ୍ରୁବ୍, ରାତିରେ ବି ଦେଖିପାରିବ ଶତ୍ରୁଙ୍କୁ

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଆକ୍ସନ ମୋଡ୍କୁ ଆସିଛି। ସେନା ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ନିଜର ଅତ୍ୟନ୍ତ ଶକ୍ତିଶାଳୀ ଧ୍ରୁବ ହେଲିକପ୍ଟରଗୁଡ଼ିକୁ ଉଡ଼ାଇବା ପାଇଁ ଅନୁମତି ଦେଇଛି। ସେନା ଅଧିକାରୀଙ୍କ କହିବାନୁସାରେ, ଏହି ନିଷ୍ପତ୍ତି ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ନିଆଯାଇଛି।
ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି, ଯେଉଁଥିରେ ଜଣେ ଇଜରାଇଲୀ ଏବଂ ଜଣେ ଇଟାଲୀୟ ନାଗରିକ ଅଛନ୍ତି। ଏହା ଗତ ଦୁଇ ଦଶନ୍ଧି ମଧ୍ୟରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣ ଥିଲା। ଏହି ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ସେନା ଏବେ ଆକ୍ସନ୍ ମୁଡ୍କୁ ଚାଲିଆସିଛି । ଏଥିରେ HAL ଧ୍ରୁବ ହେଲିକପ୍ଟରକୁ ବ୍ୟବହାର କରାଯାଉଛି।
ଏଚଏଏଲ ଧ୍ରୁବ ହେଉଛି ସ୍ୱଦେଶୀ ହେଲିକପ୍ଟର । ଏହି ହେଲିକପ୍ଟରକୁ ବିଶେଷ କରି ପାହାଡ଼ିଆ ଅଞ୍ଚଳ ପାଇଁ ପ୍ରସ୍ତୁତ କରାଯାଇଛି। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ସୈନିକ ଓ ସାମଗ୍ରୀ ନେବା ଆଣିବା କରିବା । ଏହା ସହ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବା। ଶ୍ରୀନଗର ଏବଂ ଆଖପାଖ ଅଞ୍ଚଳରେ ଏହି ହେଲିକପ୍ଟରର ମୁତୟନ ଆତଙ୍କବାଦୀଙ୍କ ଉପରେ ନଜର ରଖିବାରେ ସାହାଯ୍ୟ କରିବ। ଅଧିକାରୀଙ୍କ କହିବାନୁସାରେ, ଧ୍ରୁବ ହେଲିକପ୍ଟରରେ ଥିବା ଉନ୍ନତ ମାନର ସେନସର ଏବଂ ନାଇଟ ଭିଜନ ଉପକରଣ ଏହାକୁ ରାତି ଓ ଦିନ ଉଭୟ ସମୟରେ ଅଭିଯାନ ଚଳାଇବାରେ ସହଜ ହେବ।
ଦୁର୍ଗମ ଅଞ୍ଚଳ ପାଇଁ ଏହି ହେଲିକପ୍ଟର
📱 Get Argus News App
✨
ଏହି ହେଲିକପ୍ଟର ସିଆଚିନ ପରି ଦୁର୍ଗମ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ । ଏହା ୫.୫ ଟନ ବର୍ଗର ହେଲିକପ୍ଟର। ଏହାର ଅନେକ ଭାରିଏଣ୍ଟ ରହିଛି। ଧ୍ରୁବ ଏମକେ-୩ ଓ ଏକେ-୪ରେ ଅତ୍ୟନ୍ତ ଶକ୍ତିଶାଳୀ ଇଞ୍ଜିନ ଲାଗିଛି। ଏହି ହେଲିକପ୍ଟରଗୁଡ଼ିକ ୬୧୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ କରିବାର କ୍ଷମତା ରଖିଛି । ଏହାର ରୁଦ୍ର ଭ୍ୟାରିଏଣ୍ଟରେ ୨୦ ମିମି ତୋପ, ରକେଟ ଓ ମିସାଇଲ ଲାଗିଛି। ଏହି ହେଲିକପ୍ଟରର କକପିଟ୍, କେବଲାର ଓ କାର୍ବନ ଫାଇବରରେ ତିଆରି, ଯାହା ଦୁର୍ଘଟଣା ପ୍ରତିରୋଧୀ। ଏଥିରେ ଦୁଇଟି ଇଞ୍ଜିନ ଲାଗିଛି, ଯାହା ଦ୍ୱାରା ଗୋଟିଏ ଇଞ୍ଜିନ ଫେଲ ହେଲେ ମଧ୍ୟ ଏହା ସାଧାରଣ ଉଡ଼ାଣ ଜାରି ରଖିପାରେ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସେନା ଓ ସୁରକ୍ଷା ବାହିନୀ କାଶ୍ମୀରର ଏହି ଉପତ୍ୟକାରେ ଆତଙ୍କବାଦୀଙ୍କୁ ଖୋଜି ବାହାର କରିବା ପାଇଁ ଅପରେସନ୍ ଜାରି ରଖିଛନ୍ତି । ରିପୋର୍ଟ ଅନୁସାରେ, ଏହି ଆତଙ୍କବାଦୀମାନେ ଘଟଣା ଘଟାଇବା ପରେ କାଶ୍ମୀରର ଜଙ୍ଗଲରେ ଲୁଚିଥାଇପାରନ୍ତି। ସେନା ଓ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆତଙ୍କୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିସାରିଛନ୍ତି।