Videos
|
National

ଲିକର ଗେଟ୍ ସ୍କାମରେ କେଜରିୱାଲଙ୍କ ଗିରଫ ଦାବି

Ritu Das
Browse all articles by Ritu Das
·2 years ago·2 min read
ଲିକର ଗେଟ୍ ସ୍କାମରେ କେଜରିୱାଲଙ୍କ ଗିରଫ ଦାବି

ଅର୍ଗସ ବ୍ୟୁରୋ: ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ଜନ୍ମ ନେଇଥିଲା ଆମ୍ ଆଦମୀ ପାର୍ଟି। ସେହି ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ଅନ୍ୟତମ ପ୍ରମୁଖ ଚେହେରା ହୋଇ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍। କିନ୍ତୁ ବର୍ଷ କେଇଟା ପରେ ଦିଲ୍ଲୀର ଆପ୍ ସରକାର ଓ କେଜରିୱାଲଙ୍କ ବିରୋଧରେ ଆସିଲା ଶହ ଶହ କୋଟିର ଦୁର୍ନୀତି ଅଭିଯୋଗ।

ଅନ୍ୟପଟେ ତଦନ୍ତକାରୀ ଏଜେନ୍ସିର ବାରମ୍ବାର ସମନ ସତ୍ତ୍ବେ ହାଜର ହେଉନାହାନ୍ତି କେଜରିୱାଲ। କେଜରିୱାଲଙ୍କୁ ଇଡି ସମନ ଓ ସେ ହାଜର ହେବାକୁ ଏଡ଼ାଇବାକୁ ନେଇ ତାଙ୍କୁ ଟାର୍ଗେଟ୍ କରିଛି ବିଜେପି। ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି 6 ମାସରେ 18 ବାହାନା ଦେଖାଇ ଇଡିରେ ହାଜର ହୋଇନାହାନ୍ତି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ମାର୍ଚ୍ଚ ୨୧ରେ ଇଡିରେ ହାଜର ନ ହେବାକୁ ନୂଆ ବାହାନା କରୁଛନ୍ତି। 

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଜେରା ପାଇଁ ମାର୍ଚ୍ଚ ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଡକାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମାର୍ଚ ୪ ତାରିଖରେ ଅଷ୍ଟମ ସମନ ପରେ ଗିରଫ ଭୟରେ କୋର୍ଟର ଦ୍ବାରସ୍ଥ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗତ ଶୁକ୍ରବାର ରାଉସ୍ ଆଭେନ୍ୟୁ କୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ । ଅଦାଲତ ଜାମିନ୍ ପ୍ରଦାନ କରିବା ପରେ ପୁଣିଥରେ କେଜ୍ରିୱାଲଙ୍କୁ ସମନ ଜାରି ହୋଇଛି।  କେଜ୍ରିୱାଲ୍‌ ବିଭିନ୍ନ ବାହାନା ଦେଖାଇ କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଚିଠି ଲେଖି ଜଣାଇଥିଲେବି ତଦନ୍ତକାରୀ ସଂସ୍ଥା ଏହାକୁ ସ୍ପଷ୍ଟ ମନା କରି ଦେଇଥିଲେ। ଜେରା କେବଳ ଶାରୀରିକ ଭାବେ ହେବ ବୋଲି ସ୍ପଷ୍ଟ କରିସାରିଛି ଇଡି। ଦିଲ୍ଲୀ ଜଳ ବୋର୍ଡ ଅନିୟମିତତା ମାମଲାରେ କୋର୍ଟଙ୍କ ଆଶ୍ବସ୍ତି ମିଳିଥିଲେ ବି ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମଧ୍ୟ ନୂଆ ବାହାନା କରି କୋର୍ଟରେ ହାଜର ନହେବାକୁ କେଜ୍ରିୱାଲ ଯୋଜନା କରୁଥିବା ବିଜେପି ଅଭିଯୋଗ କରିଛି।

ଆସନ୍ତା 21 ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ଆଶଙ୍କା ବଢୁଛି । ପୂର୍ବରୁ ମାମଲାରେ ପୂର୍ବତନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆପ ମୁଖ ପାତ୍ର ସଂଜୟ ସିଂହ ଗିରଫ ହୋଇଛନ୍ତି । ଦୁଇଜିନ ପୂର୍ବରୁ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏପଟେ ଇଡି ସମନ ଉପରେ ପ୍ରଶ୍ନ ଉଠାଇବା କେଜ୍ରିୱାଲଙ୍କ ପାଇଁ ମହଙ୍ଗା ପଡ଼ିବ ବୋଲି ଚର୍ଚ୍ଚା ଜୋର ଧରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଭାରତ ଖବର