ଧାରା 370 ଉଚ୍ଛେଦକୁ ପୂରିଲା ପାଞ୍ଚବର୍ଷ

ନୂଆଦିଲ୍ଲୀ : ଆଜିକୁ ଠିକ୍ ପାଞ୍ଚ ବର୍ଷ ତଳେ ଭାରତ ଇତିହାସର ଅନ୍ୟତମ ବଡ଼ ନିଷ୍ପତ୍ତି ନେଇଥିଲେ ମୋଦି ସରକାର। ଜାମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହୋଇଥିଲା। ଏହି ପାଞ୍ଚ ବର୍ଷ ଭିତରେ ଭୂସ୍ବର୍ଗରେ ଉଇଁଛି ବିକାଶର ସୂର୍ଯ୍ୟ। ଘାଟିରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଛି, ଶାନ୍ତି ଫେରିଛି। ପର୍ଯ୍ୟଟନର ବିକାଶ ହୋଇଛି। ଲୋକଙ୍କ ଜୀବନଜୀବନଧାରଣର ମାନରେ ଆସିଛି ଆକାଶ ପାତାଳ ଫରକ । ଜମ୍ମୁ କାଶ୍ମୀରର ଇତିହାସ ପାଇଁ ଏହି ଦିନଟି ଖାଲି ଗୁରୁତ୍ବପୂର୍ଣ୍ଣ ନୁହେଁ ବରଂ ଐତିହାସିକ । ଏହି ଦିନ ହିଁ ତ ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ-କାଶ୍ମୀରକୁ ଦେଶ ବିକାଶର ମୁଖ୍ୟଧାରାରେ ସାମିଲ କରାଯାଇଥିଲା । ଦେଶରେ ଲୋକତନ୍ତ୍ରର ମନ୍ଦିର ତଥା ସଂସଦ ଭବନ ଏହି ସ୍ବର୍ଣ୍ଣିମ ଫଇସଲା ଉପରେ ମୋହର ଲଗାଇଥିଲା । ଏମିତିରେ ତ ବର୍ଷବର୍ଷ ହେବ ଜମ୍ମୁ-କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ହୋଇ ରହିଥିଲା, କିନ୍ତୁ ଏହି ଦିନ ଜମ୍ମୁ-କାଶ୍ମୀର ଓ ସମ୍ପୂର୍ଣ୍ଣ ଭାରତ ମଧ୍ୟରେ ରାଜନୈତିକ ଲାଭ ପାଇଁ ଅଙ୍କାଯାଇଥିବା ସୀମାକୁ ଲିଭାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏହି ଦିନ ହିଁ ପ୍ରକୃତ ଅର୍ଥରେ ଭାରତ ଏକ ବିଧାନ, ଏକ ନିଶାନ ଓ ଏକ ସମ୍ବିଧାନର ସଂକଳ୍ପନାକୁ ସାକାର କରିଥିଲା । ସେଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଏହି ଐତିହାସିକ ଦିନର ସ୍ମୃତି ବଖାଣିଛନ୍ତି ।
ଆପଣଙ୍କ ଆଗରେ ଦୁଇଟି ଦୃଶ୍ୟ ଗୋଟିଏ ପାଞ୍ଚ ଅଗଷ୍ଟ 2019 ପୂର୍ବର ଏବଂ ଗୋଟିଏ 5 ଅଗଷ୍ଟ 2019 ପରର। ଦୁଇଟ ଦୃଶ୍ୟରେ କଣ ପାର୍ଥକ୍ୟ ରହିଛି ଆପଣ ଆକଳନ କରିପାରୁଥିବେ। ଶିକ୍ଷା, ସ୍ବାସ୍ଥ୍ୟ ଠାରୁ ଇନଫ୍ରାଷ୍ଟ୍ରକଚର, କୃଷି ଓ ସଡ଼କ-ପରିବହନ ପରି ୫୩ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଅଧିନରେ ୫୮,୪୭୭ କୋଟିର ବ୍ୟବବରାଦ ହୋଇଛି । ଜମ୍ମୁ-କାଶ୍ମୀରରେ କନେକ୍ଟିଭିଟି ମଧ୍ୟ ବେଶ ବଢ଼ିଛି । ପର୍ଯ୍ୟଟକଙ୍କ ସଂଖ୍ୟା ଲଗାତାର ଭାବେ ବଢ଼ିଚାଲିଛି । 2023ରେ 2.1 କୋଟିରୁ ଅଧିକ ଲୋକେ ଜମ୍ମୁ-କାଶ୍ମୀର ବୁଲିବା ପାଇଁ ଯାଇଥିଲେ । ସମୃଦ୍ଧ କଳା ଓ ଶିଳ୍ପ ପାଇଁ କାଶ୍ମୀରକୁ ୟୁନେସକୋ କ୍ରିଏଟିଭ ସିଟି ନେଟୱର୍କରେ ସାମିଲ କରାଯାଇଛି । ବିଶେଷ କରି ସୋସିଆଲ ସେକ୍ଟରରେ ଅଭୂତ ପୂର୍ବ ବିକାଶ ହୋଇଛି । ସୌଭାଗ୍ୟ ଯୋଜନାରେ ଜମ୍ମୁ-କାଶ୍ମୀରର ସାଢ଼େ ୮ ଲକ୍ଷ ଘରେ ବିଜୁଳି ପହଞ୍ଚିଛି । ଉଜ୍ଜ୍ବଳା ଯୋଜନାରେ ୧୨.୪ ଲକ୍ଷ ଲାଭାର୍ଥୀଙ୍କ ଘରେ ପହଞ୍ଚିଛି ମାଗଣା ଗ୍ୟାସ କନେକ୍ସନ । ଉଜାଲା ଯୋଜନା ଅଧୀନରେ ୭୦.୫ ଲକ୍ଷ ଲୋକଙ୍କୁ ମିଳିଛି ଏଲଇଡି ବଲବ୍ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧିନରେ ଜମ୍ମୁ-କାଶ୍ମୀରରେ ୧ ଲକ୍ଷ ୨ ହଜାର ୩୧୧ଟି ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହର ଅଧିନରେ ୧୪,୪୧୧ଟି ପକ୍କାଘର ନିର୍ମାଣ କରାଯାଇଛି । ଜଳ ଜୀବନ ମିଶନରେ ୧୦.୫୫ ଲକ୍ଷ ପରିବାର ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିଛି । ମୋଟ୍ ୧୭୬୦୧ କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ନିର୍ମାଣ ହୋଇଛି ।
ଡିସେମ୍ବର ୨୦୨୦ ଠାରୁ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ-କାଶ୍ମୀରରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଲାଗୁ ହୋଇଛି । ଏହି ଯୋଜନା ଅଧୀନରେ ୨୫ ଲକ୍ଷରୁ ଅଧିକ ପରିବାର ଉପକୃତ ହେଉଛନ୍ତି । ଜମ୍ମୁ ଓ କାଶ୍ମୀର ଡିଭିଜନରେ ଗୋଟିଏ ଲେଖାଏଁ ଏମ୍ସ ନିର୍ମାଣ ଚାଲିଛି । ୭ଟି ମେଡିକାଲ କଲେଜ୍ ନିର୍ମାଣଧୀନ ରହିଛି । ସେହିପରି ଦୁଇଟି ରାଜ୍ୟସ୍ତରୀୟ କ୍ୟାନସର ଇନଷ୍ଟିଚ୍ୟୁଟ୍ ଓ ୧୫ଟି ନର୍ସିଂ କଲେଜ କାର୍ଯ୍ୟକ୍ଷମ ଅଛି । ଆଇଆଇଟି ଓ ଆଇଆଇଏମ ଜମ୍ମୁରେ ପାଠପଢ଼ା ଆରମ୍ଭ ହୋଇସାରିଛି । ଗଭମେଣ୍ଟ ଡିଗ୍ରୀ କଲେଜ ଓ ଇଞ୍ଜିନିୟରିଂ କଲେଜର ସଂଖ୍ୟା ୯୬ରୁ ବଢ଼ାଯାଇ ୧୪୭ କରଯାଇଛି । ଲଦ୍ଦାଖରେ ପ୍ରଥମ ଥର କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ମେଡିକାଲ ଓ ପାରାମେଡିକାଲ କଲେଜ୍ ନିର୍ମାଣ ହୋଇଛି । ଏତିକି ନୁହେଁ ସେଠାରେ ପଞ୍ଚାୟତ ଇଲେକ୍ସନ ମଧ୍ୟ ଶେଷ ହୋଇଛି । କଶ୍ମୀରରେ ଜି-20 ଶିଖର ସମ୍ମଳନୀ ଭଳି ବିଶ୍ବସ୍ତରୀୟ ବୈଠକ ଆୟୋଜନ ହୋଇଛି। କାଶ୍ମୀରର ସୌନ୍ଦର୍ଯ୍ୟ ଏବଂ ଏହାର ଭୌଗୋଳିକ ଉପାଦେୟତାକୁ ଦେଖିଛି ପୂରା ବିଶ୍ବ। ଆଗାମୀ ଦିନରେ କାଶ୍ମୀରର ପର୍ଯ୍ୟଟନ ଏବଂ ଅର୍ଥନୈତିକ ବିକାଶରେ ଏହା ଅନେକ ସହାୟକ ହେବ। ଏହା ବ୍ୟତୀତ ଧାରା 370 ଉଚ୍ଛେଦ ପରଠୁ ଅଞ୍ଚଳରେ ଦୀର୍ଘ 33 ବର୍ଷ ପରେ ସିନେମା ହଲ ଖୋଲିବା,ମଲ୍ଟି ସ୍ପେଶାଲିଟି ମେଡିକାଲ ପ୍ରତିଷ୍ଠା ହେବା,ସ୍ପୋର୍ଟ୍ସ ଷ୍ଟାଡିୟମର ନିର୍ମାଣ, କାଶ୍ମୀରକୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପୁଞ୍ଜି ନିବେଶ ଆସିବା ଏହାର ଉନ୍ନତିକୁ ଯୋଗାଇଛି ଆଉ ଏକ ଡେଣା।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର
