ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ 10 ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଅର୍ଗସ ବ୍ୟୁରୋ: କଥାରେ ନାହିଁ, ଚୋର ମୁହଁ ବଡ଼ ଟାଣ । ଇଏ ହିଁ ହେଉଛି ତାର ପ୍ରମାଣ । ଆମ୍ ଆଦମୀଙ୍କ ପାଇଁ ମିଛ ମସିହା ପାଲଟି କେମିତି ଆମ ଆଦମୀର ଟୋପି ପିନ୍ଧି ଆମ୍ ଆଦମୀଙ୍କୁ ହିଁ ଟୋପି ପିନ୍ଧାଉଥିଲେ କେଜରୀୱାଲ ସାହେବ, ଆଜି ମଦ ଦୁର୍ନୀତି ମାମଲାରେ ଗିରଫ କେଜରୀୱାଲଙ୍କ ଜାମିନ ଶୁଣାଣି ବେଳେ ତା ଉପରୁ ପରସ୍ତ ପରସ୍ତ କରି ପରଦା ହଟାଇଛି ଇଡି । କେଜରୀୱାଲଙ୍କ ଜାମିନ ନେଇ ଆଜି ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ଶୁଣାଣି ବେଳେ ଇଡି ଭୟଙ୍କର ତଥ୍ୟ ରଖିଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅନ୍ୟତମ ଅଭିଯୁକ୍ତ କେ. କବିତାଙ୍କ ବୟାନ ମୁତାବକ କେଜ୍ରିୱାଲ କେ. କବିତାଙ୍କୁ ଭେଟିଥିଲେ । ଉଭୟ ଦିଲ୍ଲୀ ଅବକାରୀ ନୀତି ଉପରେ କାମ ମିଳିତ ଭାବେ କାମ କରିବା ନେଇ ଆଲୋଚନା ହୋଇଥିବା ଇଡି କୋର୍ଟରେ ଦାବି କରିଛି ।
ହାୱଲା ମାଧ୍ୟମରେ କେଜ୍ରିୱାଲ ଦୁଇଟି ପର୍ଯ୍ୟାୟରେ ଗୋଆକୁ ୪୫ କୋଟି ଟଙ୍କା ଟ୍ରାନ୍ସଫର କରିଥିବା ଇଡି କୋର୍ଟରେ ଦାବି କରିଛି । । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବିଜୟ ନାୟର କେଜରୀୱାଲଙ୍କ ପାଇଁ କାମ କରୁଥିଲେ । ଏହାର ପ୍ରମାଣ ଭାବେ ଉଭୟ କେଜରୀୱାଲ ଓ କବିତାଙ୍କର ସିଡିଆର ରିପୋର୍ଟ ଦେଖାଇଛି ଇଡି । ତେଣୁ ଦିଲ୍ଲୀ ଅବକାରୀ ନୀତି ମାମଲାର କିଙ୍ଗପିନ୍ ଅରବିନ୍ଦ କେଜ୍ରିୱାଲ ଓ ଅବକାରୀ ନୀତି ଗଠନ ପ୍ରକ୍ରିୟାରେ ସେ ସିଧାସଳଖ ସାମିଲ ଥିବା ଇଡି କହିଛି । ଇଡିର ତଥ୍ୟ ପ୍ରମାଣ ଆଧାରରେ କେଜରୀୱାଲଙ୍କୁ ୧୦ ଦିନ ପାଇଁ ଇଡି ରିମାଣ୍ଡକୁ ପଠାଯାଇଛି ।
ତେବେ ଏହା ପୂର୍ବରୁ ଇଡିର ଗିରଫଦାରୀ ବିରୋଧରେ କେଜରୀୱାଲ କରିଥିବା ଆବେଦନକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରିନେଇଥିଲେ । ଯେଉଁଥିରୁ ସେ ବ୍ୟାକଫୁଟରେ ଥିବା ସଫାସଫା ଜଣାପଡ଼ିଥିଲା । ତଥାପି ଚୋରି ଉପରେ ସିନା ଜୋରୀ ଭଳି କେଜରୀୱାଲଙ୍କ ଗିରଫଦାରୀ ବିରୋଧରେ ଜୋରଦାର ହଙ୍ଗାମା କରିଥିଲେ ଆପ୍ କାର୍ଯ୍ୟକର୍ତ୍ତା । ଯେଉଁଥିପାଇଁ ଆପ୍ ନେତା ଓ କର୍ମୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଆନ୍ନା ଆନ୍ଦୋଳନରେ ସାମିଲ ହୋଇ କେଜରୀୱାଲ ସିଂହାସନ ଯାଏ ପହଞ୍ଚିଥିଲେ । ସତ୍ତାର ସ୍ବାଦ ଚାଖିବା ପରେ ମଣିଷର ସ୍ବଭାବ କେମିତି ବଦଳେ, ସେନେଇ ବହୁ ଆଗରୁ ହିଁ ମନର କଥା କହି ସାରିଥିଲେ କେଜରୀୱାଲ । ଆଉ ଯେତେବେଳେ ସେ ଦିଲ୍ଲୀ ଅକ୍ତିକାର କଲେ, ପାଲଟିଗଲେ ଦୁର୍ନୀତିର କିଙ୍ଗପିନ୍, ମାଷ୍ଟରମାଇଣ୍ଡ ବା ସରଗନା । ଯେଉଁଥିପାଇଁ କେଜରୀୱାଲଙ୍କ ଗଡ୍ ଫାଦର୍ ଆନ୍ନା ହଜାରେ ମଧ୍ୟ ଆଜି ତାଙ୍କ ଉପରେ ନିଆଁବାଣ ହୋଇଛନ୍ତି ।
📱 Get Argus News App
✨ପୂର୍ବରୁ ସତ୍ୟେନ୍ଦ୍ର ଜୈନ, ମନୀଷ ସିସୋଦିଆ, ସଞ୍ଜୟ ସିଂହ । ଆଉ ଏବେ ଖୋଦ୍ ମୁଖିଆ । ମୋଟାମୋଟି ଆମ୍ ଆଦମୀ ବେଶରେ ଆସିଥିବା ଜଣେ ମିଛ ମସିହା, ଯିଏ ଦୁର୍ନୀତି ନିବାରଣର ମିଛ ସ୍ବପ୍ନ ଦେଖାଉଥିଲେ, ସେ ନିଜେ ଆଜି ଦୁର୍ନୀତିର ପଙ୍କରେ ହିଁ ଘାଣ୍ଟି ହୋଇଛନ୍ତି, ଏହା ସ୍ପଷ୍ଟ ।
ଅଧିକ ପଢ଼ନ୍ତୁ ଦେଶ ଖବର: