ଲକ୍ଷ୍ନୌଠାରୁ ମ୍ୟାଚ୍ ଛଡ଼ାଇ ଆଣିଲା ଦିଲ୍ଲୀ, ଇମ୍ପାକ୍ଟ ପ୍ଲେୟାର ଅଶୁତୋଷ ଦେଲେ ବିଜୟ

ଆଇପିଏଲ ସିଜିନ୍-୧୮ର ଚତୁର୍ଥ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସର ରୋମାଞ୍ଚକର ବିଜୟ । ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧ ୱିକେଟ୍ରେ ପରାସ୍ତ କରିଛି ଦିଲ୍ଲୀ । ଦୁଇ ଯୁବ ତାରକାଙ୍କ ଧୁଆଁଧାର ବ୍ୟାଟିଂ ପାଇଁ ଦିଲ୍ଲୀ ଏକ ଅସମ୍ଭବ ମ୍ୟାଚ୍କୁ ନିଜ ନାଁରେ କରିଛି । ୨୧୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୩ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ଦିଲ୍ଲୀ ଅସମ୍ଭବକୁ ସମ୍ଭବ କରି ଦେଇଛି। ଆରମ୍ଭରୁ ୭ ରନ୍ରେ ୩ ଓ୍ୱିକେଟ୍ ଯାଇଥିଲେ ମଧ୍ୟ ପରେ ଫାଫ୍ ଡୁ’ପ୍ଲେସିସ୍ (୨୯ ରନ୍) ଓ ଅଧିନାୟକ ଅକ୍ଷର ପଟେଲ (୨୨ ରନ୍) ଚତୁର୍ଥ ୱିକେଟ୍ରେ ୪୩ ରନ୍ ଯୋଡ଼ି ପାଳି ସମ୍ଭାଳିଥିଲେ।
ଏହି ଦୁଇଜଣ ଆଉଟ୍ ହୋଇଯିବାରୁ ଦିଲ୍ଲୀ ୬୫/୫ରେ ବି ସଂଘର୍ଷ କରିଥିଲା। ତ୍ରିଷ୍ଟନ ଷ୍ଟବ୍ସ (୨୨ ବଲ୍ରୁ ୩୪ ରନ୍), ବିପରାଜ ନିଗମ (୧୫ ବଲ୍ରୁ ୩୯ ରନ୍) ଭଲ ଖେଳିବାରୁ ଦଳ ଲଢ଼ିଥିଲା। ଶେଷ ଓଭରରୁ ୬ ରନ୍ ଆବଶ୍ୟକ ଥିବାବେଳେ ସାହାବାଜ ଅହମ୍ମଦଙ୍କ ତୃତୀୟ ବଲ୍କୁ ଛକା ମାରି ଇମ୍ପାକ୍ଟ ପ୍ଲେୟାର ଆଶୁତୋଷ (୩୧ ବଲ୍ରୁ ୬୬ ରନ୍, ୫ ଚୌକା, ୫ ଛକା) ଏ ଋତୁର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ଆଣି ଦେଇଥିଲେ।
ତେବେ ବିଶାଖାପାଟଣାରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚ୍ରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ତେବେ ଆରମ୍ଭରୁ ଧୁଆଁଧାର ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ମିଚେଲ୍ ମାର୍ସ ଓ ନିକୋଲାସ୍ ପୁରନ ଦମଦାର ବ୍ୟାଟିଂ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ଲକ୍ଷ୍ନୌ ଭଲ ଫିନିସ୍ କରିପାରିନଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ଲକ୍ଷ୍ନୌ ୨୦୯ ରନ୍ କରିଥିଲା । ଲକ୍ଷ୍ନୌ ପକ୍ଷରୁ ପୁରନ ୭୫ ଓ ମାର୍ସ ୭୨ ରନ୍ କରିଥିଲେ । ସେହିପରି ଦିଲ୍ଲୀ ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ଟି ଓ କୁଲଦୀପ ଯାଦବ ଦୁଇଟି ୱିକେଟ୍ ନେଇଥିଲେ ।
୨୧୦ ରନ୍ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଦିଲ୍ଲୀ । କିନ୍ତୁ ଆରମ୍ଭରୁ ୱିକେଟ୍ ଅକ୍ତିଆର କରି ଦିଲ୍ଲୀକୁ ବ୍ୟାକଫୁଟ୍କୁ ଠେଲି ଦେଇଥିଲା ଲକ୍ଷ୍ନୌ । ମାତ୍ର ୬୫ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ହରାଇ ସାରିଥିଲା । ଏହା ପରେ ଟ୍ରିଷ୍ଟାନ୍ ଷ୍ଟବ୍ସ୍ ୩୪ ରନ୍ କରି ଆଉଟ ହୋଇଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଆଶୁତୋଷ ଶର୍ମା ଓ ବିପରାଜ୍ ନିଗମ । ଏହି ଦୁଇ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରେ ୫୫ ରନ୍ର ପାର୍ଟନରସିପ୍ ହୋଇଥିଲା । ଉଭୟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଦିଲ୍ଲୀ ଏକ ଅସମ୍ଭବ ମ୍ୟାଚ୍କୁ ଜିତିବାରେ ସଫଳ ହୋଇଛି । ଦିଲ୍ଲୀ ପକ୍ଷରୁ ଆଶୁତୋଷ ମିଶ୍ର ଅପରାଜିତ ୬୬ ରନ୍ କରିଥିବା ବେଳେ ବିପରାଜ୍ ନିଗମ ୧୫ ବଲ୍ ୩୯ ରନ୍ କରିଥିଲେ ।