ଏଣିକି ଅଲଗା ATMରୁ ଟଙ୍କା ଉଠାଇଲେ ଦେବାକୁ ପଡ଼ିବ ଅଧିକ ଶୁଳ୍କ ! ଜାଣନ୍ତୁ କେତେ...

୧ ମଇ ୨୦୨୫ରୁ ବଦଳିବ ଏଟିଏମ୍ ନିୟମ । ଏଣିକି ଏଟିଏମ୍ରୁ ଟଙ୍କା ଉଠାଇବା ଆପଣଙ୍କ ପାଇଁ ମହଙ୍ଗା ପଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ, ଏଟିଏମ ଫି' ବୃଦ୍ଧିକୁ ଅନୁମୋଦନ ଦେଇଛି। ଏହି କାରଣରୁ, ଘରୋଇ ବ୍ୟାଙ୍କ ନେଟୱାର୍କ ବାହାରେ ଏଟିଏମ୍ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ ଟଙ୍କା ଉଠାଇବା କିମ୍ବା ବାଲାନ୍ସ ଯାଞ୍ଚ କରିବା ଏବେ ଟିକେ ମହଙ୍ଗା ହୋଇପାରେ। ଅର୍ଥାତ୍ ଅଲଗା ବ୍ୟାଙ୍କର ଏଟିଏମ୍ରୁ ଟଙ୍କା ଉଠାଇଲେ, ଷ୍ଟେଟ୍ମେଣ୍ଟ ବାହାର କଲେ କିମ୍ବା ଯାଞ୍ଚ କଲେ ବି ଦେୟ ଦେବାକୁ ପଡ଼ିବ । ଗ୍ରାହକଙ୍କ ପାଇଁ ଆର୍ଥିକ ଏବଂ ଅଣ-ଆର୍ଥିକ ଦୁଇ ପ୍ରକାରର ନେଣଦେଣକୁ ପ୍ରଭାବିତ କରିବ। ମେ ୧ ରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।
ଆରବିଆଇ ଆର୍ଥିକ ନେଣଦେଣ ପାଇଁ ଫି’ରେ ୨ ଟଙ୍କା ବୃଦ୍ଧିକୁ ମଞ୍ଜୁରି ଦେଇଛି, ଯାହା ପୂର୍ବରୁ ୧୭ ଟଙ୍କା ଥିବା ବେଳେ ଏବେ ୧୯ ଟଙ୍କା ହେବ। ଅନ୍ୟ ଅଣ-ଆର୍ଥିକ ନେଣଦେଣ ଯେପରିକି ବାଲାନ୍ସ ଯାଞ୍ଚ ପାଇଁ ମଧ୍ୟ ୧ ଟଙ୍କା ବୃଦ୍ଧି ହୋଇଛି, ଯାହା ୬ ଟଙ୍କାରୁ ୭ ଟଙ୍କା ହେବ।
ଇଣ୍ଟରଚେଞ୍ଜ ଫି’ ହେଉଛି ଏକ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କକୁ ଦେଉଥିବା ଚାର୍ଜ, ଯେତେବେଳେ ଜଣେ ଗ୍ରାହକ ନିଜ ମୂଳ ବ୍ୟାଙ୍କ ସହ ସଂଯୁକ୍ତ ନଥିବା ଏଟିଏମ୍ ବ୍ୟବହାର କରନ୍ତି। ଏହା ଏଟିଏମ୍ ରଖିଥିବା ବ୍ୟାଙ୍କର ସେବା ପ୍ରଦାନ ଖର୍ଚ୍ଚ ପୂରଣ କରିଥାଏ। ଏହି ଏଟିଏମ୍ ଫି’ ଶେଷଥର ପାଇଁ ଜୁନ୍ ୨୦୨୧ରେ ବୃଦ୍ଧି ପାଇଥିଲା।
ତେବେ ମେଟ୍ରୋ ସହରଗୁଡ଼ିକରେ, ଘରୋଇ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କର ଏଟିଏମରୁ ମାଗଣା କାରବାରର ସୀମା ପାଞ୍ଚଥର ଥିବା ବେଳେ, ଅଣ-ମେଟ୍ରୋ ସହରଗୁଡ଼ିକରେ ମାଗଣା କାରବାରର ସୀମା ତିନିଥର ଧାର୍ଯ୍ୟ କରାଯାଇଛି । ଭାରତୀୟ ଜାତୀୟ ପେମେଣ୍ଟ ନିଗମ (NPCI)ର ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ସବୁଜ ସଙ୍କେତ ଦେଇଛି। ପ୍ରକୃତରେ, ହ୍ୱାଇଟ୍ ଲେବଲ ଏଟିଏମ୍ ଅପରେଟରମାନେ ଶୁଳ୍କ ବୃଦ୍ଧି କରିବା ଦାବି ରଖିଥିଲେ । ସେମାନେ ଯୁକ୍ତି ଦେଇଥିଲେ ଯେ ବର୍ଦ୍ଧିତ ପରିଚାଳନା ଖର୍ଚ୍ଚକୁ ଦୃଷ୍ଟିରେ ରଖି ପୁରୁଣା ଫି ଯଥେଷ୍ଟ ନୁହେଁ।
ଅନ୍ୟପଟେ ଏଟିଏମ୍ ବିନିମୟ ଶୁଳ୍କ ବୃଦ୍ଧିର ଚାପ ଛୋଟ ବ୍ୟାଙ୍କଗୁଡ଼ିକ ଉପରେ ପଡ଼ିବ କାରଣ ସୀମିତ ଭିତ୍ତିଭୂମି ଯୋଗୁଁ ଏମାନଙ୍କ ପାଖରେ ସାଧାରଣତଃ କମ୍ ଏଟିଏମ୍ ଥାଏ । ଏଗୁଡ଼ିକ ଅନ୍ୟ ବ୍ୟାଙ୍କର ଏଟିଏମ ନେଟୱାର୍କ ଉପରେ ଅଧିକ ନିର୍ଭର କରନ୍ତି।