ବାଂଲାରେ ହିନ୍ଦୁଙ୍କ ଉପରେ ବଢୁଛି ଆକ୍ରମଣ : ସୁରକ୍ଷା ନମିଳିଲେ...

Key Points
- ବାଂଲାରେ ହିନ୍ଦୁଙ୍କ ଉପରେ ବଢୁଛି ଆକ୍ରମଣ
- ମନ୍ଦିରରେ ନିଆଁ ଲଗାଉଛନ୍ତି, ଲଙ୍କାକାଣ୍ଡ ଭିଆଉଛନ୍ତି
- ସୋସିଆଲ ମିଡିଆରେ ଭାଇରାଲ ହେଉଛି ସାଙ୍ଘାତିକ ଦୃଶ୍ୟ
ଅର୍ଗସ ବ୍ୟୁରୋ : ଏବେ ବି ଜଳୁଛି ବାଂଲାଦେଶ । କେଉଁଠି ଆକ୍ରମଣକାରୀ ନିଆଁ ଲଗାଇ ଦେଉଛନ୍ତି ତ ଆଉ କେଉଁଠି ହିନ୍ଦୁଙ୍କ ଉପରେ ଭୟଙ୍କର ଆକ୍ରମଣ କରୁଛନ୍ତି । ଖାସ୍ କରି ଆକ୍ରମଣକାରୀଙ୍କ ନିଶାନାରେ ହିନ୍ଦୁ, ହିନ୍ଦୁଙ୍କ ଘର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବିଭିନ୍ନ ଦେବଦେବୀ ମନ୍ଦିର । ହିନ୍ଦୁଙ୍କୁ ଖୋଜି ଖୋଜି ବର୍ବୋରଚିତ ଜୁଲମ କରୁଛନ୍ତି, ଯାହାର ନୂଆ ନୂଆ ଚିତ୍ର ସାମନାକୁ ଆସିବାରେ ଲାଗିଛି । ଆଉ ଚିତ୍ର ଦେଖିବା ପରେ ତୁରନ୍ତ ସମସ୍ୟାର ସମାଧାନ କରିବା ଲାଗି ଦାବି ବି ଜୋର ଧରିଛି ।
ଦେଶ ଛାଡିଲେ ହସିନା
୧୫ ଦିନ ହେଲାଣି ଅଶାନ୍ତ ହୋଇଛି ବାଂଲାଦେଶ । ଆନ୍ଦୋଳନ ଏତେ ତୀବ୍ର ହେଲା ଯେ ସେନାର ୪୫ ମିନିଟିଆ ନୋଟିସ ପାଇ ସଙ୍ଗେ ସଙ୍ଗେ ଢାକା ଛାଡି ଭାରତ ପଳାଇ ଆସିଥିଲେ ହସନା । ଭାରତରେ ପହଞ୍ଚିବା ପରେ ଆଗାମୀ ଦିନରେ ସେ କେଉଁଠି ରହିବେ ସେନେଇ ପ୍ଲାନ କରୁଥିଲେ ସତ ହେଲେ ସଫଳ ହେଲେନି । ପ୍ରଥମେ ସେ ଋଷିଆ ଯିବାକୁ ତୟାରୀ କରୁଥିଲେ ହେଲେ ଅନୁମତି ମିଳିନଥିଲା । ପରବର୍ତ୍ତୀ ସମୟରେ ବ୍ରିଟେନ ବି ମନା କଲା । ତେଣୁ ଏବେ ବି ଭାରତରେ ରହୁଛନ୍ତି ହସିନା । ସେପଟେ ସରକାର ବଦଳିବା ପରେ ବି ହିଂସା କମୁନି । ଏମିତି ପରିସ୍ଥିତିରେ ନିଜେ ନିଜର ସୁରକ୍ଷା କରିବାକୁ ବାହାରିଲେଣି ବାଂଲାରେ ରହୁଥିବା ହିନ୍ଦୁ । ସେଭ୍ ବାଂଲାଦେଶ ହିନ୍ଦୁ ସୋସାଇଟି ଓ ଆମାର ସୋନାର୍ ବାଂଲା ବ୍ୟାନରରେ ଶୋଭାଯାତ୍ରା କରି ସୁରକ୍ଷା ମାଗୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟାଲଘୁ ହିନ୍ଦୁ ।
ହିନ୍ଦୁଙ୍କୁ କେମିତି ସୁରକ୍ଷା ମିଳିପାରିବ ସେନେଇ ଅନେକ ଦାବି ହୋଇଛି । ଏହାରି ଭିତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ଓ ସୁରକ୍ଷା ଆଇନ ପ୍ରଣୟନ ସହ ସଂସଦରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଦାବି କରିଛି ହିନ୍ଦୁ ସୋସାଇଟି । ସୂଚନା ଅନୁସାରେ, ସପ୍ତାହକ ଭିତରେ ୫୨ ଜିଲ୍ଲାରେ ହିନ୍ଦୁଙ୍କ ସହ ଖ୍ରୀଷ୍ଟିଆନ୍, ବୌଦ୍ଧ ଓ ଇହୁଦିଙ୍କ ଭଳି ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ୨୦୫ଟି ହିଂସାତ୍ମକ ମାମଲା ସାମ୍ନାକୁ ଆସିଲାଣି । ଶହେରୁ ଅଧିକ ଜୀବନ ବି ଗଲାଣି। ସଂଖ୍ୟାଲଘୁଙ୍କ ଉପରେ ବର୍ବରତାକୁ ଦେଖି ବିଶ୍ବବ୍ୟାପୀ ଚିନ୍ତା ବଢ଼ିଛି। ବ୍ରିଟେନ୍, କାନାଡ଼ା, ଭାରତ ଓ ଆମେରିକାରେ ବି ଉଠିଛି ବିରୋଧର ସ୍ୱର।
📱 Get Argus News App
✨ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବାଂଲାରେ ପ୍ରବଳ ମାତ୍ରାରେ ଅଶାନ୍ତି ଦେଖିବାକୁ ମିଳିଛି । ତେଣୁ ଶାନ୍ତ ହେବାକୁ ଅନ୍ତରୀଣ ସରକାର ଅପିଲ କରିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଖୁବଶୀଘ୍ର ସ୍ଥାନୀୟ ସରକାର ସେଠାରେ ରହୁଥିବା ହିନ୍ଦୁଙ୍କ ସହ ଆଲୋଚନା କରିବେ । ତେବେ ସମୟ କହିବ କେବେ ଥମୁଛି ବାଂଲା ହିଂସା ।