Toothbrush Accident / ବ୍ରଶ୍ କରୁଥିବା ବେଳେ ପୂରା ଟୁଥ୍ବ୍ରଶ୍ ଗିଳିଦେଲେ ଅଟୋ ଚାଳକ ଆଉ ତା'ପରେ...

Key Points
ଦାନ୍ତ ଘଷୁ ଘଷୁ ଗିଳିଦେଲେ ଟୁଥ୍ବ୍ରଶ୍, ଏଣ୍ଡୋସ୍କୋପିରେ ବଞ୍ଚିଲା ଜୀବନ ।
ସକାଳୁ ଉଠି ଦାନ୍ତ ଘଷିବା ଏକ ସାଧାରଣ ଅଭ୍ୟାସ, କିନ୍ତୁ ଏହି ଅଭ୍ୟାସ ଯେ କାହା ପାଇଁ ଏତେ ବଡ଼ ବିପଦ ଆଣିପାରେ, ତାହା କେହି କେବେ କଳ୍ପନା ବି କରିନଥିବେ । ଦାନ୍ତ ଘଷୁ ଘଷୁ ହଠାତ୍ ପୂରା ଟୁଥ୍ବ୍ରଶ୍ଟିକୁ ଗିଳିଦେଲେ ଜଣେ ୫୦ ବର୍ଷୀୟ ବ୍ୟକ୍ତି ।
ଘଟଣାଟି ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଚିନ୍ତାଜନକ ମଧ୍ୟ । ହେଲେ ଏହି ଅଜବ ଘଟଣାରେ ଆଧୁନିକ ଚିକିତ୍ସା ବିଜ୍ଞାନ ସାଜିଲା ଜୀବନରକ୍ଷକ । ମାତ୍ର ୩୦ ମିନିଟ୍ରେ ଡାକ୍ତରମାନେ ଅସ୍ତ୍ରୋପଚାର ବିନା ବାହାର କରିଦେଲେ ପୂରା ଟୁଥ୍ବ୍ରଶ୍ । ଜାଣନ୍ତୁ କେମିତି ଘଟିଥିଲା ଏହି ଅଜବ ଘଟଣା ।
ମହାରାଷ୍ଟ୍ରରେ ଘଟିଛି ଏହି ଅଜବ ଓ ଆଶ୍ଚର୍ଯ୍ୟଜନକ ଘଟଣା...ସକାଳେ ଦାନ୍ତ ଘଷୁଥିବା ବେଳେ ଭୁଲବଶତଃ ପୂରା ଟୁଥ୍ବ୍ରଶ୍ ଗିଳିଦେଲେ ଜଣେ ୫୦ ବର୍ଷୀୟ ଅଟୋ ରିକ୍ସା ଚାଳକ । ତେବେ ନଭି ମୁମ୍ବାଇର ମେଡିକଭର ହସ୍ପିଟାଲର ଡାକ୍ତରୀ ଟିମ୍ ମାତ୍ର ୩୦ ମିନିଟ୍ର ଜଟିଳ ଏଣ୍ଡୋସ୍କୋପି ପ୍ରକ୍ରିୟାରେ ବିନା ଅସ୍ତ୍ରୋପଚାରରେ ତାଙ୍କ ପେଟରୁ ଟୁଥ୍ବ୍ରଶ୍ଟିକୁ ବାହାର କରିଛନ୍ତି । ଚିକିତ୍ସାର କିଛି ଘଣ୍ଟା ପରେ ରୋଗୀଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି ।
ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ପେନ୍ ଅଞ୍ଚଳର ବାସିନ୍ଦା ରାଜେନ୍ଦ୍ର ମାଲୁସାରେ ଜଣେ ୫୦ ବର୍ଷୀୟ ଅଟୋ ଚାଳକ । ସେ ପ୍ରତିଦିନ ଭଳି ସକାଳେ ଦାନ୍ତ ଘଷୁଥିଲେ । ଏହି ସମୟରେ ହଠାତ୍ ତାଙ୍କ ହାତରୁ ଟୁଥ୍ବ୍ରଶ୍ ଖସିଯାଇ ଗଳା ଦେଇ ସିଧା ପେଟ ଭିତରକୁ ଚାଲିଯାଇଥିଲା । ଏହାପରେ ସେ ତୁରନ୍ତ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ଯାଇଥିଲେ ।
ଡାକ୍ତର ତାଙ୍କୁ ଏକ୍ସ-ରେ କରିବାକୁ କହିଥିଲେ । କିନ୍ତୁ ଟୁଥ୍ବ୍ରଶ୍ଟି ପ୍ଲାଷ୍ଟିକ୍ ଓ ଫାଇବରରେ ତିଆରି ହୋଇଥିବାରୁ ଏକ୍ସ-ରେରେ ତାହା ସ୍ପଷ୍ଟ ଦେଖାଯାଇନଥିଲା । ପରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ନଭି ମୁମ୍ବାଇର ମେଡିକଭର ହସ୍ପିଟାଲକୁ ପଠାଯାଇଥିଲା ।
ଏଥି ସହ ପଢନ୍ତୁ: ଦୂରନ୍ତ ଏକ୍ସପ୍ରେସର ଏସି କୋଚକୁ ପଥର ମାଡ଼, ଯାତ୍ରୀଙ୍କ ଖାଦ୍ୟରେ ପଡ଼ିଲା କାଚ ଖଣ୍ଡ
୩୦ ମିନିଟ୍ରେ ସଫଳ ହେଲା ଅପରେସନ୍
ହସ୍ପିଟାଲରେ ଏଣ୍ଡୋସ୍କୋପି ପରୀକ୍ଷା ସମୟରେ ଡାକ୍ତରମାନେ ପେଟ ଭିତରେ ପୂରା ଟୁଥ୍ବ୍ରଶ୍ ଥିବା ଦେଖିବାକୁ ପାଇଥିଲେ । ବରିଷ୍ଠ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ, ହେପାଟୋଲୋଜିଷ୍ଟ ତଥା ଥେରାପ୍ୟୁଟିକ୍ ଏଣ୍ଡୋସ୍କୋପିଷ୍ଟ ଡାକ୍ତର ରାଓସାହେବ ରାଠୋଡ଼ଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ଏଣ୍ଡୋସ୍କୋପିକ୍ ଯନ୍ତ୍ରପାତି ସାହାଯ୍ୟରେ ମାତ୍ର ୩୦ ମିନିଟ୍ରେ ଟୁଥ୍ବ୍ରଶ୍ଟିକୁ ବାହାର କରିଥିଲେ ।
ବିନା କୌଣସି ଅପରେସନରେ ଏହି ଚିକିତ୍ସା ସଫଳ ହୋଇଥିଲା । ଠିକ୍ ସମୟରେ ଚିକିତ୍ସା ମିଳିବାରୁ ରାଜେନ୍ଦ୍ର ସୁସ୍ଥ ହୋଇଥିଲେ । ଏହି ଘଟଣା ଆଧୁନିକ ଚିକିତ୍ସା ପଦ୍ଧତି ଓ ଡାକ୍ତରୀ ଟିମ୍ର ଦକ୍ଷତାର ଏକ ଉଦାହରଣ ପାଲଟିଛି ।
📱 Get Argus News App
✨