ଚମୋଲି ହିମସ୍ଖଳନରୁ ଉଦ୍ଧାର ହେଲେ ୫୦ ଶ୍ରମିକ, ୪ ଜଣଙ୍କ ମୃତ୍ୟୁ

ହିମସ୍ଖଳନରୁ ବଞ୍ଚିଲା ୫୦ ଜୀବନ । ଉତ୍ତରାଖଣ୍ଡ ଚମୋଲି ହିମସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଦ୍ଵିତୀୟ ଦିନରେ ଶନିବାର ଆଉ ୧୭ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି । ପୂର୍ବରୁ ଶୁକ୍ରବାର ୩୩ ଜଣଙ୍କୁ ଉଦ୍ଧାର କରା ଯାଇଥିଲା । ଉଦ୍ଧାରଙ୍କ ମଧ୍ୟରୁ ଗମ୍ଭୀର ଆହତ ହୋଇଥିବା ୪ ଜଣ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଏବେ ବି ୫ ଜଣ ଶ୍ରମିକ ନିଖୋଜ ଅଛନ୍ତି ।
ଫେବ୍ରୁଆରୀ ୨୮ ତାରିଖ, ସକାଳ ୭ଟା ୧୫ ମିନିଟ୍ । ଚମୋଲିର ମାଣା ଗାଓଁ ନିକଟ ମୋଲି-ବଦ୍ରିନାଥ ରାଜପଥରେ ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO)ର ୫୫ ଜଣ ଶ୍ରମିକ କଣ୍ଟେନର ହାଉସ୍ରେ ଥିବା ବେଳେ ବରଫ ପାହାଡ଼ ଧସିଥିଲା । ଆଉ କେଇ କ୍ଷଣରେ ବରଫରେ ଫସି ଯାଇଥିଲେ ଶ୍ରମିକ ।
ଏହା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ସେନାର ୪ଟି ହେଲିକପ୍ଟର ସହିତ ITBP, BRO, SDRF ଓ NDRFର ୨୦୦ରୁ ଅଧିକ ଯବାନ ସାମିଲ୍ ହୋଇଛନ୍ତି । ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୧୧ ଜଣ ବିହାରର ହୋଇଥିବା ବେଳେ ଉତ୍ତରପ୍ରଦେଶର ୧୧, ଉତ୍ତରାଖଣ୍ଡର ୧୧, ହିମାଚଳ ପ୍ରଦେଶର ୭, ଜମ୍ମୁ-କାଶ୍ମୀରର ଜଣ, ପଞ୍ଜାବର ଜଣେ । ୧୩ ଜଣ ଶ୍ରମିକଙ୍କ ଠିକଣା ଓ ମୋବାଇଲ୍ ନମ୍ବର ନାହିଁ ।
📱 Get Argus News App
✨ଶନିବାର ସକାଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାସ୍ଥଳକୁ ଯାଇ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ ।
କେବଳ ଚମୋଲି ନୁହେଁ, ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବରଫପାତ ଜାରି ରହିଛି । ହିମାଚଳ ପ୍ରଦେଶର ୫୮୩ଟି ସଡ଼କ, ୫ଟି ଜାତୀୟ ରାଜପଥ ବନ୍ଦ ରହିଥିବା ବେଳେ ଜମ୍ମୁ-କାଶ୍ମୀରରେ ନଦୀର ଜଳସ୍ତର ୩ରୁ ୪ ଫୁଟ୍ ବଢିଛି । ଆଗାମୀ ସପ୍ତାହରେ ମଧ୍ୟ ବର୍ଷା ଓ ବରଫପାତ ଜାରି ରହିବା ଆଶଙ୍କା ରହିଛି ।
ହିମାଚଳ ପ୍ରଦେଶର କିଛି ସ୍ଥାନୀରେ ୨ ଫୁଟ୍ରୁ ଅଧିକ ବରଫ ବର୍ଷା ହୋଇଥିବା ବେଳେ ୫ଟି ଜାତୀୟ ରାଜପଥ ବନ୍ଦ ରହିଛି । ଜମ୍ମୁ-କାଶ୍ମୀରରେ ବରଫପାତ ପାଇଁ ସରକାର ଶୀତକାଳୀନ ଛୁଟିକୁ ଆଉ ୬ ଦିନ ଲାଗି ବଢ଼ାଇ ଦେଇଛନ୍ତି ।