Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Ayodhya Ram Mandir / ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରରେ ଧ୍ଵଜାରୋହଣ ସମାରୋହ

Rashmita Mishra
Browse all articles by Rashmita Mishra
·7 months ago·2 min read
ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରରେ ଧ୍ଵଜାରୋହଣ ସମାରୋହ

Key Points

ଆସନ୍ତାକାଲି ରାମମନ୍ଦିର ଧ୍ଵଜାରୋହଣ ସମାରୋହ । 
ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । 
ହଜାର ହଜାର ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରୁଛନ୍ତି । 
କାଲି ଧ୍ଵଜାରୋହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ । 

ଆସନ୍ତାକାଲି ଅଯୋଧ୍ୟା ରାମମନ୍ଦିରରେ ଧ୍ଵଜାରୋହଣ ସମାରୋହ । ତା ପୂର୍ବରୁ ଅଯୋଧ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି । ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ରାମଚନ୍ଦ୍ରଙ୍କ ଦର୍ଶନ କରୁଛନ୍ତି । ଆସନ୍ତାକାଲି ହେବାକୁ ଥିବା ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ ।

ସୂଚନାନୁଯାୟୀ ଆସନ୍ତା ୨୫ ତାରିଖ ମଙ୍ଗଳବାର ଦିନ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଛି ଧ୍ୱଜାରୋହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ପ୍ରଧାନମନ୍ତ୍ରୀ ମନ୍ଦିରର ଶିଖରରେ ପତାକା ଉଡ଼ାଇବେ । ଏଥିଲାଗି ମନ୍ଦିର ପରିସର ସହ ପୁରା ସହରରେ ପ୍ରସ୍ତୁତି ଶେଷ ହୋଇଛି । ସାଧୁ-ସନ୍ଥ ସମାଜରେ ମଧ୍ୟ ଏହି ଐତିହାସିକ ଅବସରକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଧ୍ୱଜାରୋହଣ ଉତ୍ସବ କୋଟି କୋଟି ରାମଭକ୍ତଙ୍କ ଲାଗି ଗର୍ବର ମୁହୂର୍ତ୍ତ ବୋଲି ସନ୍ଥମାନେ ଦର୍ଶାଇଛନ୍ତି ।

ଜଗଦଗୁରୁ ପରମହଂସ ଆଚାର୍ଯ୍ୟଜୀ ମହାରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାର କେବଳ ବିକାଶ କରିନାହାନ୍ତି, ବରଂ ଏହାକୁ ତ୍ରେତୟା ଯୁଗ ଭଳି ସ୍ୱରୂପ ଦେଇଛନ୍ତି । ବେଦ, ପୁରାଣ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଅଯୋଧ୍ୟା ଆଜି ବାସ୍ତବିକ ଅଯୋଧ୍ୟାରେ ଦେଖିବାକୁ ମିଳୁଛି । ଧ୍ୱଜାରୋହଣ ଉତ୍ସବ ତମାମ ରାମଭକ୍ତଙ୍କ ପାଇଁ ଭକ୍ତି ଓ ଆବେଗର ମୁହୂର୍ତ୍ତ । ସନ୍ଥମାନଙ୍କ ଅନୁସାରେ, ଧର୍ମଧ୍ୱଜ ସ୍ଥାପନା ହିନ୍ଦୁ ରାଷ୍ଟ୍ରର ପ୍ରତୀକ ଭାବେ ଦେଖାଯାଏ । ରାମରାଜ, ପ୍ରେମ, ଭାଇଚାରା ଏବଂ ମାନବତାର ଭାବନା ପ୍ରସାର କରିବା ଏହାର ଉଦ୍ଦେଶ୍ୟ ।

ରାମ ମନ୍ଦିର ଶିଖରରେ ଉଡ଼ିବାକୁ ଥିବା ଭବ୍ୟ ପତାକା ୨୨ ଫୁଟ ଲମ୍ବା ଓ ୧୧ ଫୁଟ ଚଉଡ଼ା । ସିଲ୍କ କପଡ଼ାରେ ପ୍ରସ୍ତୁତ ଏହି ଧ୍ୱଜାର ଓଜନ ୪ କିଲୋଗ୍ରାମ । ଏଥିରେ ସୂର୍ଯ୍ୟ, ଓମ୍ ଓ କାଞ୍ଚନ ବୃକ୍ଷର ଶୁଭ ଚିହ୍ନ ରହିଛି । ଏହା ମନ୍ଦିରର ସେହି ୪୨ ଫୁଟ ଉଚ୍ଚତା ଏବଂ ୫୧୦୦ କିଲୋ ଓଜନର ଧ୍ୱଜଦଣ୍ଡରେ ଉଡ଼ିବ । ଧ୍ୱଜାରୋହଣ କାର୍ଯ୍ୟକ୍ରମକୁ ପ୍ରାୟ ୭ ହଜାର ଲୋକଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ଏମାନଙ୍କ ମଧ୍ୟରେ ବଞ୍ଚିତ ଓ ସାମାଜିକ ଦୃଷ୍ଟିରୁ ପଛୁଆ ସମୁଦାୟ ପ୍ରମୁଖ ଅନ୍ତର୍ଭୁକ୍ତ । ଅୱଧ କ୍ଷେତ୍ରର ୧୩ ଜିଲ୍ଲାରୁ ୧୦୮୯ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି ।

ସେପଟେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ ଓ ପ୍ରଶାସନ ଆଲର୍ଟ ମଧ୍ୟ ରହିଛନ୍ତି । ରାମନଗରୀରେ ପ୍ରବେଶ କରିବାକୁ ଥିବା ସମସ୍ତ ଯାନବାହନର ଯାଞ୍ଚ କରାଯାଉଛି । ପୋଲିସ ଅଧିକାରୀମାନେ ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖୁଛନ୍ତି । ଯାନବାହନ ଚେକିଂ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ayodhya Ram Mandir | Ayodhya Ram Mandir to Host Grand Flag Hoisting Ceremony Tomorrow | Historic Celebration | Argus News