Videos
|
National

Inspirational Story / ଦିବ୍ୟାଙ୍ଗ ଝିଅର ସହାୟତା ପାଇଁ ଗାଁରେ ପହଞ୍ଚିଲେ ଡିଏମ୍‌, ଟ୍ରାଇସାଇକେଲ୍‌ ସହ ଦେଲେ ବହି ଓ ମିଠା

Rashmita Mishra
Browse all articles by Rashmita Mishra
·1 hour ago·3 min read
ଦିବ୍ୟାଙ୍ଗ ଝିଅର ସହାୟତା ପାଇଁ ଗାଁରେ ପହଞ୍ଚିଲେ ଡିଏମ୍‌, ଟ୍ରାଇସାଇକେଲ୍‌ ସହ ଦେଲେ ବହି ଓ ମିଠା
Inspirational Story

Key Points

ଦିବ୍ୟାଙ୍ଗ ରାଗିଣୀ ପାଇଁ ଘରେ ପହଞ୍ଚିଲେ ଡିଏମ୍‌ ।
କଠୋର ଅଧିକାରୀଙ୍କ ମାନବିକତା ରାଗିଣୀକୁ ଦେଲେ ସହାୟତା ।
ରାଗିଣୀର ଲୁହ ଦେଖି ନିଜେ ପହଞ୍ଚିଲେ ଜିଲ୍ଲାପାଳ
ଗୋଟିଏ ଗୋଡ଼ରେ ସ୍କୁଲ୍‌ ଯାଉଥିଲା ଏମ୍‌ ଦେଲେ ଟ୍ରାଇସାଇକେଲ୍‌ । 

ଜଣେ କଠୋର ଓ ଶୃଙ୍ଖଳାପ୍ରିୟ ଅଧିକାରୀ ଭାବେ ପରିଚିତ ଜିଲ୍ଲାପାଳଙ୍କ ମାନବିକ ଚେହେରା ଏବେ ସାମ୍ନାକୁ ଆସିଛି । ଜଣେ ୭ ବର୍ଷର ଦିବ୍ୟାଙ୍ଗ ଝିଅର ସମସ୍ୟା ବିଷୟରେ ଜାଣିବା ପରେ ସେ କେବଳ ଅଧିକାରୀଙ୍କୁ ପଠାଇନଥିଲେ, ବରଂ ନିଜେ ତାଙ୍କ ଘରେ ପହଞ୍ଚି ଟ୍ରାଇସାଇକେଲ୍‌, ବହି ଓ ମିଠା ଦେଇଥିଲେ । ଏହାସହ ଝିଅଟିର ଚିକିତ୍ସା ଓ ସ୍କୁଲ୍‌ ଯିବା ରାସ୍ତାର ମରାମତି ପାଇଁ ମଧ୍ୟ ପଦକ୍ଷେପ ନେଇଛନ୍ତି ବଲିଆ ଜିଲ୍ଲାର ଡିଏମ୍‌ ମଙ୍ଗଳା ପ୍ରସାଦ ସିଂହ ।

ଦିବ୍ୟାଙ୍ଗ ରାଗିନୀଙ୍କ ପାଠପଢ଼ା ପ୍ରତି ଆଗ୍ରହ
ଉତ୍ତରପ୍ରଦେଶର ବଲିଆ ଜିଲ୍ଲା ମନିୟର ବ୍ଲକ୍‌ର ରାଣୀପୁର ଗାଁର ୭ ବର୍ଷୀୟା ରାଗିନୀ ଦିବ୍ୟାଙ୍ଗ । ମାତ୍ର ୭ ମାସ ବୟସରେ ଏକ ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ଭାଙ୍ଗିଯାଇଥିଲା । ଶାରୀରିକ ସମସ୍ୟା ସତ୍ତ୍ୱେ ପାଠପଢ଼ା ପ୍ରତି ତାଙ୍କର ଭୀଷଣ ଆଗ୍ରହ ରହିଛି । ରାଗିନୀ ଦିଘେଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି ।
କିନ୍ତୁ ସ୍କୁଲ୍‌ ଯିବାଆସିବା ତାଙ୍କ ପାଇଁ ବେଶ୍‌ କଷ୍ଟକର ଥିଲା । ଦିବ୍ୟାଙ୍ଗତା ସହ ଗାଁରୁ ସ୍କୁଲ୍‌ ଯିବା ରାସ୍ତା ମଧ୍ୟ ଖରାପ ଥିବାରୁ ତାଙ୍କ ସମସ୍ୟା ଆହୁରି ବଢ଼ିଯାଇଥିଲା ।

ଖବର ପାଇ ତୁରନ୍ତ ପଦକ୍ଷେପ ନେଲେ ଡିଏମ୍‌
ଗଣମାଧ୍ୟମରେ ରାଗିନୀଙ୍କ ସମସ୍ୟା ସାମ୍ନାକୁ ଆସିବା ପରେ ଏହା ବଲିଆ ଡିଏମ୍‌ ମଙ୍ଗଳା ପ୍ରସାଦ ସିଂହଙ୍କ ଦୃଷ୍ଟିକୁ ଆସିଥିଲା । ସେ ବିଳମ୍ବ ନକରି ଏକ ଡାକ୍ତରୀ ଟିମ୍‌କୁ ରାଗିନୀଙ୍କ ଗାଁକୁ ପଠାଇ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏହାପରେ ପରଦିନ ସକାଳେ ଡିଏମ୍‌ ନିଜେ ରାଣୀପୁର ଗାଁରେ ପହଞ୍ଚି ରାଗିନୀଙ୍କୁ ଭେଟିଥିଲେ । ସେ ଝିଅଟିକୁ ଟ୍ରାଇସାଇକେଲ୍‌, ପାଠ୍ୟପୁସ୍ତକ ଏବଂ ମିଠା ପ୍ରଦାନ କରିଥିଲେ ।

ରାସ୍ତା ମରାମତି ସହ ହେବ ଗୋଡ଼ର ସର୍ଜରୀ

ଡିଏମ୍‌ ମଙ୍ଗଳା ପ୍ରସାଦ ସିଂହ ରାଗିନୀଙ୍କ ଗାଁରୁ ସ୍କୁଲ୍‌ ପର୍ଯ୍ୟନ୍ତ ରାସ୍ତାର ମରାମତି କରାଇବାକୁ ଆଶ୍ୱାସନ ଦେଇଛନ୍ତି। ଏହାସହ ତାଙ୍କ ଶିକ୍ଷା ପାଇଁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । କେବଳ ଏତିକି ନୁହେଁ, ରାଗିନୀଙ୍କ ଗୋଡ଼ର ସର୍ଜରୀ ମଧ୍ୟ କରାଇବା ପାଇଁ ଡିଏମ୍‌ ପଦକ୍ଷେପ ନେବେ। ଯାହାଦ୍ୱାରା ଆଗାମୀ ଦିନରେ ସେ ସହଜରେ ଚାଲିପାରିବେ ଏବଂ ନିୟମିତ ଭାବେ ପାଠପଢ଼ା ଜାରି ରଖିପାରିବେ ।

କଠୋର ଅଧିକାରୀଙ୍କ ମାନବିକ ଚେହେରା
ଏହି ଘଟଣା ଡିଏମ୍‌ ମଙ୍ଗଳା ପ୍ରସାଦ ସିଂହଙ୍କ ଏକ ଭିନ୍ନ ରୂପ ସାମ୍ନାକୁ ଆଣିଛି। ସେ ଜଣେ କଠୋର ପ୍ରଶାସକ ଭାବେ ପରିଚିତ ଏବଂ ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ସଂସ୍ଥାରେ ଅଚାନକ ଯାଞ୍ଚ କରିବା ପାଇଁ ମଧ୍ୟ ଜଣାଶୁଣା। ତେବେ ରାଗିନୀଙ୍କ ପ୍ରତି ତାଙ୍କ ଏହି ସମ୍ବେଦନଶୀଳ ପଦକ୍ଷେପ ଜଣେ ପ୍ରଶାସକଙ୍କ ମାନବିକ ଦାୟିତ୍ୱର ଉଦାହରଣ ପାଲଟିଛି ।

୨୦୧୨ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ
ମଙ୍ଗଳା ପ୍ରସାଦ ସିଂହ ଉତ୍ତରପ୍ରଦେଶ କ୍ୟାଡରର ୨୦୧୨ ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ। ସେ ୨୦୨୫ ମେ’ ମାସରୁ ବଲିଆର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। ଏହା ପୂର୍ବରୁ ସେ ହରଦୋଇର ଜିଲ୍ଲାପାଳ ଥିଲେ।

ସେ ୨୦୧୮ ନଭେମ୍ବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଲକ୍ଷ୍ନୌ ବିକାଶ ପ୍ରାଧିକରଣର ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ୨୦୨୦ ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଗାଜିପୁର ଏବଂ ୨୦୨୨ ସେପ୍ଟେମ୍ବରରୁ ୨୦୨୫ ମେ’ ପର୍ଯ୍ୟନ୍ତ ହରଦୋଇର ଜିଲ୍ଲାପାଳ ଭାବେ କାମ କରିଥିଲେ ।

ସୁଲତାନପୁରର ମୂଳ ବାସିନ୍ଦା ମଙ୍ଗଳା ପ୍ରସାଦ ସିଂହଙ୍କ ଜନ୍ମ ୨୪ ନଭେମ୍ବର ୧୯୭୧ରେ। ସେ ବିଏ ଡିଗ୍ରୀ ହାସଲ କରିଛନ୍ତି। ପ୍ରଶାସନିକ ଅଧିକାରୀ ଭାବେ ସେ ଉତ୍ତରପ୍ରଦେଶର ୧୫ରୁ ଅଧିକ ଜିଲ୍ଲାରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଛନ୍ତି। ଜଣେ କଠୋର ପ୍ରଶାସକ ଭାବେ ପରିଚିତ ହୋଇଥିଲେ ମଧ୍ୟ ରାଗିନୀଙ୍କ ପାଇଁ ତାଙ୍କ ଏହି ପଦକ୍ଷେପ ତାଙ୍କ ସମ୍ବେଦନଶୀଳ ମନୋଭାବର ଏକ ଉଦାହରଣ ସୃଷ୍ଟି କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: