ବାଂଲାଦେଶର ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା

ଅର୍ଗସ ବ୍ୟୁରୋ: ଶେଖ୍ ହାସିନା ପଦ ଛାଡ଼ିବା ପରେ ବାଂଲାଦେଶ ସଂସଦ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ । ସ୍ଥଳସେନା, ବାୟୁସେନା ଓ ନୌସେନା ମୁଖ୍ୟଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ । ସେପଟେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଖାଲିଦା ଜିଆଙ୍କୁ ଜେଲରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି । ଖାଲିଦା ଜିଆ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ସେନା ବାଂଲାଦେଶରେ ଶାସନ ଭାର ହାତକୁ ନେଇଛି । ସେନା ଦ୍ବାରା ଗଠିତ ଅନ୍ତରୀଣ ସରକାର ଦେଶ ଚଳାଇବ ବୋଲି ବାଂଲାଦେଶ ସେନାମୁଖ୍ୟ ଘୋଷଣା କରିଛନ୍ତି। ଅନ୍ତରୀଣ ସରକାର ଗଠନ ନେଇ ରାଷ୍ଟ୍ରପତି ଓ ସେନାମୁଖ୍ୟଙ୍କ ମଧ୍ୟରେ ବିଚାର ବିମର୍ଷ ଚାଲିଛି।
ଅନ୍ୟପଟେ ବାଂଲାଦେଶର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନୂଆଦିଲ୍ଲୀ 7 ଲୋକ କଲ୍ୟାଣମାର୍ଗ ସ୍ଥିତ ବାସଭବନରେ ଗତକାଲି ଅନୁଷ୍ଠିତ ହୋଇଥିଲା ପ୍ରତିରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ୍ ଶାହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରମୁଖ ଯୋଗ ଦେଇଥିଲେ । ସେପଟେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ ।

