Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IPL ଆରମ୍ଭ ପୂର୍ବରୁ ବିସିସିଆଇର ବଡ ନିଷ୍ପତି: କୋଲକାତା ବଦଳରେ ଗୁଆହାଟୀରେ ମ୍ୟାଚ

Rashmita Mishra
Browse all articles by Rashmita Mishra
·1 year ago·2 min read
IPL ଆରମ୍ଭ ପୂର୍ବରୁ ବିସିସିଆଇର ବଡ ନିଷ୍ପତି: କୋଲକାତା ବଦଳରେ ଗୁଆହାଟୀରେ ମ୍ୟାଚ

ଆଇପିଏଲ ଆରମ୍ଭ ପୂର୍ବରୁ ବିସିସିଆଇର ବଡ ନିଷ୍ପତି । ୬ ଏପ୍ରିଲରେ କୋଲକାତାରେ ହେବାକୁ ଥିବା ମ୍ୟାଚ ସ୍ଥାନ ଗୁଆହାଟୀକୁ ପରିବର୍ତ୍ତନ କରିଛି ବିସିସିଆଇ। ସମସ୍ତ ୧୦ଟିମର ଅଧିନାୟକଙ୍କୁ ନେଇ ଆଜି ମୁମ୍ବାଇ ବିସିସିଆଇ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଏକାଧିକ ବଡ଼ ନିଷ୍ପତ୍ତି ନିଆଯାଇଛି ।

ଏପ୍ରିଲ ୬ରେ ହେବାକୁ ଥିବା କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପରଜିଆଣ୍ଟସ (LSG) ମଧ୍ୟରେ ମ୍ୟାଚ ଏବେ କୋଲକାତା ପରିବର୍ତ୍ତେ ଗୁଆହାଟୀରେ ଅନୁଷ୍ଠିତ ହେବ।

ରାମନବମୀକୁ ନେଇ କୋଲକାତା ପୋଲିସ ସେହି ଦିନ ମ୍ୟାଚ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାରେ ଅସମର୍ଥତା ପ୍ରକାଶ କରିଥିଲା, ଯାହା ପରେ କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ କେକେଆର ପରିଚାଳନା ଏବଂ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଜଣାଇଥିଲା। ସୂତ୍ର ଅନୁସାରେ, KKR ଟିମ ମ୍ୟାନେଜମେଣ୍ଟ ଏହି ମ୍ୟାଚ କୁ ତା’ର ଘରୋଇ ଗ୍ରାଉଣ୍ଡ ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳିବାକୁ ଚାହୁଁଥିଲା। ଏହା ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଥିଲା, କିନ୍ତୁ ବିସିସିଆଇ ମନା କରିଦେଇଥିଲା ଏବଂ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା।

ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ କୋଲକାତା-ରାଜସ୍ଥାନ ମ୍ୟାଚ ୧୭ ଏପ୍ରିଲ, ରାମନବମୀ ଦିନ ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବାର ଥିଲା। ସେତେବେଳେ ମଧ୍ୟ କୋଲକାତା ପୋଲିସ ନିଜର ଅସାମର୍ଥ୍ୟ ପ୍ରକାଶ କରିଥିଲା, ଯାହା ପରେ ମ୍ୟାଚ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୧୬ ଏପ୍ରିଲକୁ ସ୍ଥଗିତ ରଖାଯାଇଥିଲା, ଯଦିଓ ଏଥର ସ୍ଥାନ ପରିବର୍ତ୍ତନ କରାଯାଇଛି। ଏହା କୋଲକାତାର କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି। ଡିଫେଣ୍ଡିଂ ଚାମ୍ପିଅନ KKR ନୂତନ ସିଜିନର ପ୍ରଥମ ମ୍ୟାଚ ୨୨ ମାର୍ଚ୍ଚରେ ଇଡେନ ଗାର୍ଡେନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ।

ଆହୁରି ମଧ୍ୟ ବଲ ଉପରେ ଖେଳାଳି ଲାଳ ଲଗାଇବା ଉପରେ ପ୍ରତିବନ୍ଧକ ହଟାଇ ଦିଆଯାଇଛି । କରୋନା ସମୟରେ ଆଇସିସି ଏହା ଉପରେ ପ୍ରତିବନ୍ଧ ଲଗାଇଥିଲା । ବୈଠକରେ ଅଧିକାଂଶ ଅଧିନାୟକ ପ୍ରତିବନ୍ଧକ ଉଠାଯିବା ସପକ୍ଷରେ ମତ ଦେଇଥିଲେ । ଆସନ୍ତା ୨୨ରୁ ଆଇପିଏଲର ୧୮ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ୧୦ଟି ଟିମ ମଧ୍ୟରେ ୧୩ଟି ସ୍ଥାନରେ ୬୫ ଦିନରେ ୭୪ଟି ମ୍ୟାଚ ଖେଳାଯିବ । ଫାଇନାଲ ଏବଂ ପ୍ଲେଅଫର ସମସ୍ତ ମୁକାବିଲା ୨୦ରୁ ୨୫ ମେ ପର୍ଯ୍ୟନ୍ତ ହାଇଦ୍ରାବାଦ ଓ କୋଲକାତାରେ ଆୟୋଜିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored