Videos
|
National

Hostel Menu / ତାମିଲନାଡୁ ସରକାରୀ ହଷ୍ଟେଲ୍ ମେନୁରେ ବିଫ୍ ସାମିଲ ଦାବିକୁ ନେଇ ବିବାଦ

Rashmita Mishra
Browse all articles by Rashmita Mishra
·1 hour ago·2 min read
ତାମିଲନାଡୁ ସରକାରୀ ହଷ୍ଟେଲ୍ ମେନୁରେ ବିଫ୍ ସାମିଲ ଦାବିକୁ ନେଇ ବିବାଦ
Hostel Menu

Key Points

ହଷ୍ଟେଲ୍ ମେନୁରେ ବିଫ୍ ଦାବି ।  
ଛାତ୍ରଙ୍କ ମତ ଆଧାରରେ ବଦଳୁଛି ମେନୁ  । 
ବିଫ୍ ସାମିଲ ଦାବିକୁ ନେଇ ବିରୋଧ । 

ତାମିଲନାଡୁର ସରକାରୀ ହଷ୍ଟେଲ୍‌ଗୁଡ଼ିକର ଖାଦ୍ୟ ମେନୁରେ ବିଫ୍ ସାମିଲ କରିବା ଦାବିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟର ସାମାଜିକ ନ୍ୟାୟ ମନ୍ତ୍ରୀ ବନ୍ନି ଆରାସୁ ଶୁକ୍ରବାର କହିଛନ୍ତି ଯେ କିଛି ଛାତ୍ର ସରକାରୀ ହଷ୍ଟେଲ୍‌ର ମେନୁରେ ବିଫ୍ ସାମିଲ କରିବାକୁ ଦାବି କରିଛନ୍ତି । ଏନେଇ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ବନ୍ନି ଆରାସୁ ସୈଦାପେଟ୍‌ସ୍ଥିତ ଏମ୍‌.ସି. ରାଜା ସୋସିଆଲ୍ ଜଷ୍ଟିସ୍ ହଷ୍ଟେଲ୍‌ର ସୁବିଧା ଓ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଏହା ପରେ ସେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ । ତାଙ୍କ କହିବା ଅନୁସାରେ, ଛାତ୍ରମାନଙ୍କ ପରାମର୍ଶ ଓ ମତାମତ ଆଧାରରେ ହଷ୍ଟେଲ୍‌ର ଖାଦ୍ୟ ମେନୁରେ ପରିବର୍ତ୍ତନ କରାଯାଉଛି ।

ବନ୍ନି ଆରାସୁ କ’ଣ କହିଲେ ?

ମନ୍ତ୍ରୀ କହିଛନ୍ତି ଯେ ଗ୍ରାମାଞ୍ଚଳରୁ ଆସି ହଷ୍ଟେଲ୍‌ରେ ରହୁଥିବା କିଛି ଛାତ୍ର ନନ୍‌ଭେଜ୍‌ ସହିତ ବିଫ୍‌କୁ ମଧ୍ୟ ମେନୁରେ ସାମିଲ କରିବାକୁ ଦାବି କରିଛନ୍ତି । ବର୍ତ୍ତମାନ ସରକାରୀ ହଷ୍ଟେଲ୍‌ଗୁଡ଼ିକରେ ମଟନ୍ ଓ ଚିକେନ୍ ପରିବେଷଣ କରାଯାଉଛି । ସେହିପରି ପ୍ରତି ସପ୍ତାହରେ ବିରିୟାନି ମଧ୍ୟ ଦିଆଯାଉଛି । ଆରାସୁଙ୍କ କହିବା ଅନୁସାରେ, କିଛି ଗ୍ରାମାଞ୍ଚଳର ଛାତ୍ର ମଟନ୍‌ର ଦାମ ଅଧିକ ଥିବାରୁ ତାହା ଖାଉନାହାନ୍ତି ଏବଂ ଏହା ବଦଳରେ ବିଫ୍‌କୁ ମେନୁରେ ସାମିଲ କରିବାକୁ ଚାହୁଁଛନ୍ତି ।

ତେବେ ହଷ୍ଟେଲ୍‌ରେ ରହୁଥିବା ସମସ୍ତ ଛାତ୍ରଙ୍କ ମତ ଏକାଭଳି ନୁହେଁ। ତେଣୁ ସମସ୍ତ ପକ୍ଷର ମତାମତ ଓ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଛାତ୍ରଙ୍କ ମତ ଆଧାରରେ ବଦଳୁଛି ମେନୁ

ବନ୍ନି ଆରାସୁ କହିଛନ୍ତି ଯେ ବିଭାଗ ପକ୍ଷରୁ ଛାତ୍ରମାନଙ୍କ ଫିଡ୍‌ବ୍ୟାକ୍‌କୁ ଗୁରୁତ୍ୱ ଦେଇ ହଷ୍ଟେଲ୍‌ର ଖାଦ୍ୟ ମେନୁରେ ପର୍ଯ୍ୟାୟକ୍ରମେ ପରିବର୍ତ୍ତନ କରାଯାଉଛି । ପୂର୍ବରୁ ଉପମା ଓ ସେମିଆ ଖିଚୁଡ଼ି ଭଳି କିଛି ଖାଦ୍ୟକୁ ମେନୁରୁ ହଟାଇ ଇଡ୍‌ଲି ଓ ଦୋସା ଭଳି ଖାଦ୍ୟକୁ ଜଳଖିଆରେ ସାମିଲ କରାଯାଇଛି ବୋଲି ସେ କହିଛନ୍ତି ।

ବିଫ୍ ସାମିଲ ଦାବିକୁ ନେଇ ବିରୋଧ

ଏହି ଚର୍ଚ୍ଚା ମଧ୍ୟରେ ପୁଥିୟା ତାମିଲଗମ୍‌ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. କେ. କୃଷ୍ଣସାମୀ ହଷ୍ଟେଲ୍‌ ମେନୁରେ ବିଫ୍ ସାମିଲ କରିବାର ସମ୍ଭାବନା ନେଇ ମନ୍ତ୍ରୀ ବନ୍ନି ଆରାସୁଙ୍କ ବକ୍ତବ୍ୟକୁ ବିରୋଧ କରିଛନ୍ତି । କୃଷ୍ଣସାମୀ ଏନେଇ ଆପତ୍ତି ପ୍ରକାଶ କରିବା ସହ ଯଦି ସରକାର ଏଭଳି କୌଣସି ନିଷ୍ପତ୍ତି ନିଏ, ତେବେ ଏହାର ପରିଣାମ ଭଲ ହେବ ନାହିଁ ବୋଲି ଚେତାବନୀ ଦେଇଥିବା ଜଣାପଡ଼ିଛି ।

ସେ କହିଛନ୍ତି ଯେ ହଷ୍ଟେଲ୍‌ରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ସନ୍ତୁଳିତ ଖାଦ୍ୟ ଆବଶ୍ୟକ । ମେନୁରେ ପ୍ରୋଟିନ୍ ଓ ଭିଟାମିନ୍‌ରେ ସମୃଦ୍ଧ ଖାଦ୍ୟ ସାମିଲ କରାଯିବା ଉପରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ସେ ମତ ଦେଇଛନ୍ତି ।

ବର୍ତ୍ତମାନ ବିଫ୍‌କୁ ହଷ୍ଟେଲ୍ ମେନୁରେ ସାମିଲ କରିବା ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନଥିବାବେଳେ, ଛାତ୍ରମାନଙ୍କ ମତାମତ ଓ ଅଧିକାରୀମାନଙ୍କ ସହ ଆଲୋଚନା ପରେ ଏନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: