Crime Against Women: ଦୁଷ୍କର୍ମ କଥା କହିଲେ ଚାକିରି ଚାଲିଯିବା ଭୟ !

Key Points
ଅଭିଯୁକ୍ତ ଖାନକୁ ଗିରଫ କରାଯାଇଛି ।
ପୋଲିସର କହିବାନୁସାରେ, ପୀଡିତମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ପଶ୍ଚିମବଙ୍ଗରେ ପୁଣି ଜଘଣ୍ୟ କାଣ୍ଡ । ପୂର୍ବ ମେଦିନୀପୁର ଜିଲ୍ଲାରୁ ଆସିଲା ଗଣଦୁଷ୍କର୍ମର ଘଟଣା । ଏକ ସରକାରୀ ହସ୍ପିଟାଲର ଜଣେ ଫାସିଲିଟି ମ୍ୟାନେଜର ଅନେକ ମହିଳା କର୍ମଚାରୀଙ୍କ ସହ ବଳାତ୍କାର କରିଥିବା ଅଭିଯୋଗ ଆସିଛି । ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ ମ୍ୟାନେଜରକୁ ଗିରଫ କରିଛି । ତାଙ୍କ ନାଁରେ ଅଭିଯୋଗ ଥିଲା ଯେ, ସେ ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ, ତାପରେ ବାହାରେ ଅଭିଯୋଗ କଲେ ମାରିଦେବେ ବୋଲି ଧମକ ଦେଉଥିଲେ । ଏହି ଘଟଣା ପାଂସକୁରା ସୁପର ସ୍ପେସାଲିଟି ହସ୍ପିଟାଲରେ ଘଟିଛି।
ଏକ ରିପୋର୍ଟ ଅନୁଯାୟୀ, ଅଭିଯୋଗ କରିଥିବା ସମସ୍ତ ପୀଡିତା ୱାର୍ଡ ଆଟେଣ୍ଡାଣ୍ଟ ଏବଂ ଠିକା କର୍ମଚାରୀ ବୋଲି ଜଣାପଡ଼ିଛି । ସେମାନେ ଅଭିଯୋଗ କରିଛନ୍ତି ଯେ ଜାହିର ଆବାସ ଖାନ ନାମକ ବ୍ୟକ୍ତି ମହିଳାମାନଙ୍କୁ ନିଜ ଅଫିସ୍କୁ ଡାକୁଥିଲା । ସେଠାରେ ସେମାନଙ୍କ ସହ ବଳାତ୍କାର କରୁଥିଲା । ତାପରେ କାହାକୁ ଅଭିଯୋଗ କଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିଲା। ଏମିତିକି ଏକଥା କାହାକୁ କହିଲେ ଚାକିରିରୁ ବାହାର କରିଦେବ ବୋଲି ମଧ୍ୟ ଧମକ ଦେଉଥିଲା ।
ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ମହିଳା କର୍ମଚାରୀ ତାଙ୍କ ବିରୁଦ୍ଧରେ ପାଂସକୁରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଏହାପରେ ଖାନକୁ ଗିରଫ କରାଯାଇଛି । ପୋଲିସର କହିବାନୁସାରେ, ପୀଡିତମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ହସ୍ପିଟାଲ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଲୋକେ ପୋଲିସ ଷ୍ଟେସନ ବାହାରେ ପ୍ରତିବାଦ କରିଛନ୍ତି। ଅନ୍ୟପଟେ ବିଜେପି ଅଭିଯୋଗ କରିଛି ଯେ ଖାନଙ୍କର ସ୍ଥାନୀୟ ଅଞ୍ଚଳରେ କାଫି ଦବଦବା ରହିଛି । ତେଣୁ ସେ ଏଭଳି ନିଚ୍ଚ କାମ କରିବା ପରେ ବି ତା ବିରୋଧରେ କେହି ମୁହଁ ଖୋଲୁନଥିଲେ । ବିଜେପି କାହାର ନାଁ ନନେଇ ରଜ୍ୟର ତୃଣମୂଳ କଂଗ୍ରେସ (ଟିଏମସି) ସରକାରକୁ ଟାର୍ଗେଟ୍ କରିଛି ।
ତେବେ ଟିଏମସି ପକ୍ଷରୁ କୁହାଯାଇଛି, ଅଭିଯୁକ୍ତ ସହିତ ଦଳର କୌଣସି ସମ୍ପର୍କ ନାହିଁ। ଦଳର ନେତା ଶେଖ ସମୀର ଉଦ୍ଦିନ ଦାବି କରିଛନ୍ତି, 'ଅଭିଯୁକ୍ତ ଜଣେ ଧୋକେବାଜ ଲୋକ । ଯିଏ କି ନିଜର ଫାଇଦା ପାଇଁ ଟିଏମସି ନାଁ ବ୍ୟବହାର କରିଥିଲା।' ଶେଖ ସମୀର ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
କୋଲକାତାର ଆରଜି କର ମେଡିକାଲ କଲେଜରେ ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାର ଗୋଟିଏ ବର୍ଷ ପରେ ଏହି ଘଟଣା ସାମ୍ନାକୁ ଆସିଛି । ସେତେବେଳେ ଏହି ମାମଲା ଦେଶବ୍ୟାପୀ ପ୍ରତିବାଦ ସୃଷ୍ଟି କରିଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ, ହସ୍ପିଟାଲର ଜଣେ ସିଭିକ୍ ଭଲେଣ୍ଟିୟର ସଞ୍ଜୟ ରାୟଙ୍କୁ ଗିରଫ କରାଯାଇଛି । କିନ୍ତୁ ପରେ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା CBIକୁ ହସ୍ତାନ୍ତର କରାଯାଇଥିଲା।
ପୀଡିତାଙ୍କ ପିତା-ମାତା ଏହି ମାମଲାରେ ସନ୍ତୁଷ୍ଟ ନୁହଁନ୍ତି। ସେମାନେ ଦିଲ୍ଲୀରେ ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କୁ ଭେଟି ଏଜେନ୍ସିର ତଦନ୍ତ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।
ଘଟଣାର ଗୋଟିଏ ବର୍ଷ ପୂର୍ତ୍ତି ଅବସରରେ, ଅଗଷ୍ଟ ୯ ତାରିଖରେ ପୀଡିତାଙ୍କ ପିତାମାତା ଏକ ପ୍ରତିବାଦ ରାଲି 'ନବନ୍ନ ଅଭିଯାନ' ଡାକରା ଦେଇଥିଲେ। ପୋଲିସ ଚେତାବନୀ ସତ୍ତ୍ୱେ ପ୍ରତିବାଦକାରୀମାନେ ସଚିବାଳୟ ଆଡକୁ ପଦଯାତ୍ରା କରିବାକୁ ଚେଷ୍ଟା କରିବା ପରେ ଏକ ଶାନ୍ତିପୂର୍ଣ୍ଣ ରାଲି ଭାବରେ ଆରମ୍ଭ ହୋଇଥିବା ଘଟଣା ହିଂସାତ୍ମକ ହୋଇଥିଲା । ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା। ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି ଯେ ପୋଲିସ ମାଡ଼ରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ଏବଂ ପାରମ୍ପରିକ ଶଙ୍ଖ ମଧ୍ୟ ଭାଙ୍ଗି ଯାଇଛି।