କଂଗ୍ରେସ ନିୟମ ଉଲ୍ଲଙ୍ଘନ କରିବାରୁ ଆୟକର ବିଭାଗର ବଡ଼ ଆକ୍ସନ

ଅର୍ଗସ ବ୍ୟୁରୋ: କ’ଣ କଂଗ୍ରେସ ପାଇଁ ଦେଶର ନିୟମ ଗୋଟିଏ, ଆଉ ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ? କାହିଁକି ନା ଆଜି କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ ହେବା ଘଟଣାରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ପ୍ରେସମିଟ୍ ଦେଖି ବୋଧ ହୁଏ ଏଭଳି ଫିଲ୍ ହୋଇଛି । ରାହୁଲ ଭାରତ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଏକ ମିଛ କଥା ବୋଲି କହି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆଜି କଂଗ୍ରେସ ପାଖରେ ୨ ଟଙ୍କା ବି ନାହିଁ, ନେତାମାନଙ୍କର ସାହାଯ୍ୟ କରିବାକୁ । ଏମିତି କି ଟିକେଟ୍ କିଣିବାକୁ ମଧ୍ୟ ଦଳ ପାଖରେ ଟଙ୍କା ନାହିଁ ବୋଲି ରାହୁଲ କହିଛନ୍ତି । ତେଣୁ କଂଗ୍ରେସର ଆକାଉଣ୍ଟ ଆୟକର ଫ୍ରିଜ କରିବା କାରଣରୁ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଟଙ୍କା ଦିଆଯାଇପାରୁନାହିଁ ବୋଲି କହିଛନ୍ତି । ଏପରିକି ଏହି ମାମଲାରେ ନିର୍ବାଚନ କମିଶନ ଓ କୋର୍ଟ ଚୁପ୍ ରହୁଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧି ।
ସେପଟେ କଂଗ୍ରେସର ଅଭିଯୋଗର ଭରପୂର ଜବାବ ଦେଇଛି ବିଜେପି । ଅଳ୍ପବିଦ୍ୟା ସର୍ବଦା ସମସ୍ୟା ସୃଷ୍ଟି କରେ । ଇନକମ ଟ୍ୟାକ୍ସର ଧାରା ୧୩A ଅନୁସାରେ ରାଜନୈତିକ ଦଳଗୁଡ଼ିକୁ ସମ୍ପତ୍ତିରୁ ମିଳୁଥିବା ଲାଭ ଟଙ୍କା ପାଇଁ ଇନକମ୍ ଟ୍ୟାକ୍ସ ଭରିବାକୁ ପଡ଼େନି । କିନ୍ତୁ ଏଥିପାଇଁ ରିଟର୍ଣ୍ଣ ଫାଇଲ୍ କରିବା ଅନିବାର୍ଯ୍ୟ । ତେଣୁ ଏହା ନ କରି ରାହୁଲ ଗାନ୍ଧି ଦିନ ଦ୍ବିପହରେ ମିଛ କହୁଥିବା କହିଛନ୍ତି ବିଜେପି ନେତା ରବିଶଙ୍କର ପ୍ରସାଦ । ଏଥିସହ ରାହୁଲ ଓ ସୋନିଆଙ୍କର ପରାଜୟ ନିଶ୍ଚିତ । ତେଣୁ ସେମାନେ ଗଣତନ୍ତ୍ରକୁ ଲଜ୍ଜିତ କରିବାର ଚେଷ୍ଟା କରୁଥିବା ରବିଶଙ୍କର ଅଭିଯୋଗ କରିଛନ୍ତି ।
ତେବେ କାହିଁକି ହୋଇଛି କଂଗ୍ରେସ ଉପରେ ଆକ୍ସନ ? କଣ ଏହା ପଛର କାରଣ ? ପ୍ରକୃତରେ ୨୦୧୮-୧୯ରେ କଂଗ୍ରେସ ପକ୍ଷରୁ ଇନକମ୍ ଟ୍ୟାକ୍ସ ଆକ୍ଟର ସେକ୍ସନ ୧୩୯(୪B) ଅନୁସାରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆୟକର ରିଟର୍ଣ୍ଣ ଭରାଯାଇ ନ ଥିଲା । ଏଭଳି ଭାବେ କଂଗ୍ରେସ ଇନକମ୍ ଟ୍ୟାକ୍ସର ଧାରା ୧୩Aର ଉଲ୍ଲଙ୍ଘନ କରିଥିଲା । ଏତିକି ବେଳେ କଂଗ୍ରେସ ୧୧.୪୯ ଲକ୍ଷ ଟଙ୍କା କ୍ୟାସ ଡୋନେସନ ଭାବେ ନେଇଥିଲା । ଯେତେବେଳେ ଆଇଟି ନିୟମ ଅନୁସାରେ ୨ ହଜାରରୁ ଅଧିକ ଟଙ୍କା କ୍ୟାସ ଡୋନେସନ ଭାବେ ନେଇ ହେବନାହିଁ । ଯଦି ନିଆଯାଇଛି, ତେବେ ତାହା ଇନକମ୍ ଟ୍ୟାକ୍ସ ଅଧୀନରେ ଆସିବ । ଯେଉଁଥିପାଇଁ କଂଗ୍ରେସ ଉପରେ ୧୩୫ କୋଟି ଟଙ୍କାର ଆୟକର ବକୈୟା ହୋଇଥିଲା । 135 କୋଟିରୁ ୧୦୩ କୋଟି ଟ୍ୟାକ୍ସ ଏବଂ ୩୨ କୋଟି ଟଙ୍କା ସୁଧ । ଏହା ପଛରେ ବି ଦୁଇଟି କାରଣ ରହିଛି । କଂଗ୍ରେସକୁ ୩୧ ଡିସେମ୍ବର ୨୦୧୯ ସୁଦ୍ଧା ୨୦୧୮-୧୯ ଆର୍ଥିକ ବର୍ଷର ହିସାବ ଦେବାର ଥିଲା । କିନ୍ତୁ କଂଗ୍ରେସ ଏଥିରେ ବିଳମ୍ବ କରିବାରୁ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ମୋଟ ବକୈୟା ଅର୍ଥାତ୍ ୧୦୩ କୋଟିର ୨୦% ବା ୨୧ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା । କଂଗ୍ରେସ ପକ୍ଷରୁ ମାତ୍ର ୭୮ ଲକ୍ଷ ଟଙ୍କା ଜମା କରାଯାଇଥିଲା ।
📱 Get Argus News App
✨ଆୟକର ବିଭାଗ ଏହି ମାମଲାରେ ଆଇଟି ଆକ୍ଟର ୧୯୬୧ର ଧାରା ୧୪୩(୩) ଅନୁଯାୟୀ ୬ ଜୁଲାଇ ୨୦୨୧ରେ ଆସେସମେଣ୍ଟ ପୂରା କରିଥିଲା । କଂଗ୍ରେସ ୧୩A(D)ର ପାଳନ କରି ନ ଥିବା କାରଣରୁ କଂଗ୍ରେସକୁ ଧାରା ୧୩A ଅନୁସାରେ ଆୟକର ଛାଡ଼ କରଯାଇ ନ ଥିଲା । ତେଣୁ ବିଳମ୍ବ ଏବଂ କଂଗ୍ରେସର ନିୟମକୁ ଅଣଦେଖା କାରଣରୁ ହିଁ କାର୍ଯ୍ୟାନୁଷ୍ଠାନ ହୋଇଛି ।
ଅଧିକ ପଢ଼ନ୍ତୁ ଦେଶ ଖବର: