ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବଡ଼ ଆକ୍ରମଣ

Key Points
ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ ବଡ଼ ଆକ୍ରମଣ
ଅପରେସନ ସାରି ଫେରୁଥିବା ସୁରକ୍ଷାବାହିନୀଙ୍କ ଗାଡ଼ିକୁ IEDରେ କଲେ ବିସ୍ଫୋରଣ
ଖଣ୍ଡ ବିଖଣ୍ଡିତ ହୋଇଗଲା ଗାଡ଼ି, ଛତିଶଗଡ଼ DRGର 8 ଯବାନ ଓ ଜଣେ ଡ୍ରାଇଭର ସହିଦ
ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ NIAର ଫରେନ୍ସିକ୍ ଟିମ୍
ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଲେ, ବ୍ୟର୍ଥ ଯିବ ନାହିଁ ଯବାନଙ୍କ ବଳିଦାନ
ଆହୁରି ଦୃଢ଼ତାର ସହ ଜାରି ରହିବ ନକ୍ସଲ ମୂଳୋତ୍ପାଟନ ପାଇଁ ଲଢ଼େଇ
ଅର୍ଗସ ବ୍ୟୁରୋ : ରାସ୍ତା ମଝିରେ ସୃଷ୍ଟି ହୋଇଛି ବିରାଟ ଗଭୀର ଗାତ । ଚାରିଆଡ଼େ ଛିନ୍ ଛତ୍ର ହୋଇ ପଡ଼ିଛି ଗାଡ଼ିର ଅଂଶ। ଗଛ ଉପରେ ଲାଗିଛି ଗାଡ଼ିର ଏକ ଭଗ୍ନାଂଶ । ଛତିଶଗଡ଼ ବିଜାପୁରରେ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ୍ କରି ମାଓବାଦୀ କରିଥିବା IED ବିସ୍ଫୋରଣ ଥିଲା କେତେ ଭୟଙ୍କର ଏ ଚିତ୍ର ସବୁ ତାର ପ୍ରମାଣ।
ଦାନ୍ତେୱାଡ଼ା, ନାରାୟଣପୁର ଓ ବିଜାପୁରରେ 3 ଦିନ ଧରି ନକ୍ସଲ ବିରୋଧୀ ଅପରେସନ୍ ସାରି ଏକ ସ୍କର୍ପିଓ ଗାଡ଼ିରେ କ୍ୟାମ୍ପକୁ ଫେରୁଥିଲେ ଛତିଶଗଡ଼ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ବା DRGର 8 ଜଣ ଯବାନ। ବିଜାପୁର ଜିଲ୍ଲା କୁଟ୍ରୁ ଥାନା ଅଧୀନ ଆମ୍ବେଲି ଗାଁ ନିକଟରେ ହେଲା ଏହି ଭୟଙ୍କର ବିସ୍ଫୋରଣ। ପୂର୍ବରୁ IED ଲଗାଇ ଛକି ରହିଥିବା ମାଓବାଦୀଙ୍କ ଏହି ନାରକୀୟ କାଣ୍ଡରେ ସେନା ଗାଡ଼ିରେ ଥିବା ସମସ୍ତ 8 ଜଣ ଯବାନ ସହିଦ ହୋଇଥିବାବେଳେ ଡ୍ରାଇଭର ମଧ୍ୟ ପ୍ରାଣ ହରାଇଛନ୍ତି।
ଏହି ଆକ୍ରମଣ ପରେ ଘଟଣାସ୍ଥଳରେ ଯାଞ୍ଚ ପାଇଁ ପହଞ୍ଚିଛନ୍ତି NIA ରାୟପୁର ଶାଖାର ଫରେନସିକ୍ ଟିମ୍। ସେପଟେ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଯବାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ବସ୍ତରରେ ଚାଲୁଥିବା ନକ୍ସଲ ମୂଳୋତ୍ପାଟନ ଅଭିଯାନରେ ହତାଶ ଓ ବିଚଳିତ ହୋଇପଡିଛନ୍ତି ମାଓବାଦୀ। ଫଳରେ ସେମାନେ କରିଛନ୍ତି ଏମିତି କାପୁରୁଷ କାରନାମା। ବ୍ୟର୍ଥ ଯିବ ନାହିଁ ଯବାନଙ୍କ ବଳିଦାନ। ମାଓବାଦ ମୂଳୋତ୍ପାଟନ ପାଇଁ ଲଢ଼େଇ ଦୃଢ଼ତାର ସହ ଜାରି ରହିବ। ଛତିଶଗଡ଼ର ପୂର୍ବତମ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ୍ ହେଲେ ସେମାନେ ଏମାନେ କାପୁରୁଷ ଆକ୍ରମଣ କରନ୍ତି।
2026 ମାର୍ଚ୍ଚ ସୁଦ୍ଧା ସାରା ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ ପାଇଁ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଏଥିପାଇଁ ଜୋରଦାର ଅଭିଯାନ ବି ଚାଲିଛି । ଗତମାସ ଓଡ଼ିଶାରେ ଅନୁଷ୍ଠିତ ଡିଜି ସମ୍ମିଳନୀରେ ବି ନକ୍ସଲ ସଫା ନେଇ ରଣନୀତି ପ୍ରସ୍ତୁତ ହୋଇଛି। ନିକଟରେ ନାରୟଣପୁରରେ ଏନକାଉଣ୍ଟରରେ 7 ନକ୍ସଲ ନିପାତ ହୋଇଥିଲେ। ମୋଦି ସରକାରରେ 2014-2015 ତୁଳନାରେ ଗତ 10 ବର୍ଷରେ ନକ୍ସଲ ହିଂସା 53 ପ୍ରତିଶତ ହ୍ରାସ ପାଇଛି ।