Tech News / UPI , SBI ରେ ବଡ ପରିବର୍ତ୍ତନ , ଅଗଷ୍ଟ ୧ରୁ ବଦଳୁଛି ଏହି ସବୁ ନିୟମ

Key Points
SBI କାର୍ଡ ବ୍ୟବହାରକାରୀଙ୍କୁ ବଡ ଝଟ୍କା | ୟୁପିଆଇରେ ଆସୁଛି ବଡ ପରିବର୍ତ୍ତନ | ଅଗଷ୍ଟ ୧ରୁ ବଦଳୁଛି ଏହି ସବୁ ନିୟମ
ଅଗଷ୍ଟ ୧ରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ । ଯାହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟ ଉପରେ ପଡିବ । ୟୁପିଆଇ , ଏଲପିଜି ଗ୍ୟାସ୍ , କ୍ରେଡିଟ୍ କାର୍ଡ, ବ୍ୟାଙ୍କ ହଲିଡେ, ଏଟିଏଫର ଦାମ ଆଦିରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ବିଶେଷ ଭାବେ ଆମେ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ୟୁପିଆଇର କେଉଁ କେଉଁ ପରିବର୍ତ୍ତନ ଆସିଛି, ଆସନ୍ତୁ ପ୍ରଥମେ ଜାଣିବା ।
UPIର ନୂଆ ନିୟମ
ଡିଜିଟାଲ ପେମେଣ୍ଟ ପାଇଁ ବ୍ୟବହାର ହେଉଥିବା ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପାଇରେ ଅଗଷ୍ଟ ୧ରୁ ନୂଆ ନିୟମ ଲାଗୁ କରାଯାଇଛି । ଯଦି ଆପଣ ଦୈନନ୍ଦିନ ଜୀବନରେ ପେଟିଏମ, ଫୋନ୍ ପେ , ଗୁଗଲ ପେ କିମ୍ବା ଆଉ କିଛି ପେମେଣ୍ଟ ସିଷ୍ଟମ ବ୍ୟବହାର କରୁଛନ୍ତି, ତେବେ ଗ୍ରାହକଙ୍କୁ ୟୁପିଆଇ ଦ୍ଵାରା ଅଧିକ ସୁବିଧା ଯୋଗାଇ ଦେବାପାଇଁ ଏନପିସିଆଇ(NPCI) କିଛି ନୂଆ ନିୟମ ଲାଗୁ କରିଛି । ନିୟମ ମୁତାବକ ଆପଣ
୧- ୟୁପିଆଇ ଆପ୍ରେ ୨୪ ଘଣ୍ଟାରେ ୫୦ ଥର ନିଜର ବାଲାନ୍ସ ଚେକ୍ କରିପାରିବେ ।
୨- ପ୍ରତି ସଫଳ ଟ୍ରାନଜାକ୍ସନ ପରେ ବାଲାନ୍ସ ମେସେଜ ଆସିବ ।
୩- ଆପଣଙ୍କ ମୋବାଇଲ ନମ୍ବରରେ ଲିଙ୍କ ବ୍ୟାଙ୍କ ଆକାଉଣ୍ଟ ଦିନରେ ମାତ୍ର ୨୫ ଥର ଚେକ କରିପାରିବେ ।
୪- ଆପଣଙ୍କର ଅଟୋପେମେଣ୍ଟ ସିଷ୍ଟମ, ଯେମିତିକି ନେଟଫ୍ଲିକ୍ସ , ଆମାଜନ୍ ପ୍ରାଇମ ସବସ୍କ୍ରିପସନ୍ , EMI କିମ୍ବା SIP ପେମେଣ୍ଟ ବର୍ତ୍ତମାନ ୩ଟି ଫିକ୍ସ ଟାଇମ ସ୍ଲଟ୍ରେ କଟିବ । ତାହା ହେଉଛି ସକାଳ ୧୦ଟା ପୂର୍ବରୁ , ଅପରାହ୍ନ ୧ରୁ ସନ୍ଧ୍ୟା ୫ଟା ଯାଏଁ , ଏବଂ ରାତି ୯.୩୦ ପରେ ।
5- ସେହିପରି ଟ୍ରାନଜାକ୍ସନ ସଫଳ ହେଲା କି ନାହିଁ, ତାହା ଆପଣ ୧ ଦିନରେ ୩ ଥର ଚେକ କରିପାରିବେ । ଏବଂ ପ୍ରତିଥର ଚେକ କରିବା ଭିତରେ ୯୦ ସେକେଣ୍ଡ ବ୍ୟବଧାନ ରହିବ ।
୬- ସେହିପରି ପେମେଣ୍ଟ ରିଫଣ୍ଡ ରିକ୍ଵେଷ୍ଟ ୩୦ ଦିନରେ ୧୦ ଥର କରିପାରିବେ । ସେଥିରେ ମଧ୍ୟ ଗୋଟିଏ ଲୋକ ପାଇଁ ସର୍ବାଧିକ ୫ ଥର କରିପାରିବେ ।
ଦୈନନ୍ଦିନ ବହୁଳ ବ୍ୟବହାର ହେଉଥିବା ୟୁପିଆଇ ସିଷ୍ଟମ ଉପରେ ଚାପ କମ୍ ପଡିବା ପାଇଁ ଏପରି ନିୟମ ଏନପିସିଆଇ ଦ୍ଵାରା ଲାଗୁ କରାଯାଇଛି । ଏଥିସହ ଅନେକଥର ଟ୍ରାନଜାକ୍ସନ ଫେଲ ହେବା କାରଣରୁ ମଧ୍ୟ ଏପରି ପରିବର୍ତ୍ତନ କରାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ଏବଂ ଏପ୍ରିଲରେ ୟୁପିଆଇ ଡାଉନ ହେଉଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହାପରେ ଏମିତି ନିୟମ ଲାଗୁ ହେବାକୁ ଯାଉଛି । ସେହିପରି ଆଗକୁ ୟୁପିଆର ଫିଚରରେ ମଧ୍ୟ ପରିବର୍ତ୍ତନ ଆସିବ । ବିନା ପିନ୍ରେ ମଧ୍ୟ ଫିଙ୍ଗରପ୍ରିଣ୍ଟ କିମ୍ବା ଫେସ୍ର ବ୍ୟବହାରରେ ଆପଣ ଟଙ୍କା ପେମେଣ୍ଟ କରିପାରିବେ । କିନ୍ତୁ ବର୍ତ୍ତମାନ ଯାଏଁ ଏହି ଫିଚର ପରୀକ୍ଷଣ ଅବସ୍ଥାରେ ରହିଛି ।
ଏଲପିଜି ଗ୍ୟାସ୍ରେ ପରିବର୍ତ୍ତନ :
ପ୍ରତିମାସ ଭଳି ଅଗଷ୍ଟ ମାସରେ ମଧ୍ୟ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମରେ ପରିବର୍ତ୍ତନ ହେବାକୁ ଯାଉଥିବା କୁହାଯାଉଛି । ଜୁଲାଇ ୧ରେ ୧୯ କିଲୋ ସିଲିଣ୍ଡରର ଦାମ ୬୦ ଟଙ୍କା ଶସ୍ତା କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଗ୍ୟାସ ସିଲିଣ୍ଡରରେ ଦାମରେ କୌଣସି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଅଗଷ୍ଟ ୧ରେ ଏହି ଦାମରେ ପରିବର୍ତ୍ତନ ହୋଇ ଶସ୍ତା ହେବାକୁ ଯାଉଥିବା କୁହାଯାଉଛି ।
କ୍ରେଡିଟ୍ କାର୍ଡରେ ପରିବର୍ତ୍ତନ :
ଯଦି ଆପଣ ଏସବିଆଇ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଏକ ବଡ ଝଟକା ଲାଗିପାରେ । ଏସବିଆଇ(SBI) ୧୧ ଅଗଷ୍ଟରୁ ତାର କିଛି କ୍ରେଡିଟ କାର୍ଡରେ ମାଗଣା ବିମାନ ଦୁର୍ଘଟଣା ବୀମା ସୁବିଧାକୁ ବନ୍ଦ କରିବାକୁ ଯାଉଛି । ଯାହାର ପ୍ରଭାବ ଇଲାଇଟି( ELITE) ଏବଂ ପ୍ରାଇମ( PRIME) କାର୍ଡ୍ସ ଆଦିରେ ପଡିବ । ଏବେ SBI-UCO ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ, PSB ଏବଂ ଆଲ୍ଲାହାବାଦ ବ୍ୟାଙ୍କ ସହଯୋଗରେ ଜାରି କରାଯାଇଥିବା ELITE ଏବଂ PRIME କାର୍ଡରେ ଉପଲବ୍ଧ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ସୁବିଧାକୁ ବନ୍ଦ କରି ଦିଆଯିବ ।
ବ୍ୟାଙ୍କ ଛୁଟି :
ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାରିଖ ଘୋଷଣା କରିଥାଏ । ୱିକେଣ୍ଡ ଛୁଟି ପରେ ମଧ୍ୟ ଅନ୍ୟ ପର୍ବପର୍ବାଣୀ , ଏବଂ କିଛି ଜରୁରୀ ଦିନ ମାନଙ୍କରେ ଆରବିଆଇ ବ୍ୟାଙ୍କ ଛୁଟି ପାଇଁ ନିର୍ଦ୍ଦେଶ ଦେଇଥାଏ । ଅଲଗା ଅଲଗା ସ୍ଥାନ ପାଇଁ ଅଲଗା ଛୁଟି ଲାଗୁ କରାଯାଏ । ତେବେ ଅଗଷ୍ଟ ମାସରେ ବିଭିନ୍ନ ରାଜ୍ୟରେ ୧୬ଟି ଛୁଟି ରହିବ ।
ଏହି ସବୁ ପରିବର୍ତ୍ତନ ଅଗଷ୍ଟ ୧ରୁ ହେବାକୁ ଯାଉଛି ।