ପହେଲଗାମ୍ ଆତଙ୍କୀ ହମଲାରେ ପାକିସ୍ତାନ ଲିଙ୍କ୍ ନେଇ ମିଳିଲା ବଡ଼ ପ୍ରମାଣ

ପହେଲଗାମ୍ ଆତଙ୍କୀ ହମଲାରେ ପାକିସ୍ତାନ ଲିଙ୍କ୍ ନେଇ ବଡ଼ ପ୍ରମାଣ। ଡିଜିଟାଲ୍ ଫୁଟଫ୍ରିଣ୍ଟ ଓ ଅନ୍ୟ ସୂଚନାରୁ ସାମ୍ନାକୁ ଆସିଲା ବଡ଼ ଷଡଯନ୍ତ୍ରର ବଡ଼ ତଥ୍ୟ। ପହେଲଗାମର ବେସରନ୍ ଭାଲିରେ ନରସଂହାର ରଚିଥିବା ଆତଙ୍କବାଦୀମାନେ ବାରବାର ପାକିସ୍ତାନର କାରଚୀ ଓ ମୁଜଫରାବାଦର ଯୋଗାଯୋଗରେ ଥିଲେ। ସେଠାରୁ ମିଳୁଥିଲା ସେମାନଙ୍କୁ ନିର୍ଦ୍ଦେଶ ।
ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଆତଙ୍କୀ ହମଲାରେ ପାକିସ୍ତାନ ଲିଙ୍କ୍ ନେଇ କିଛି ଡିଜିଟାଲ୍ ପ୍ରମାଣ ବି ମିଳିଛି । ଖାଲି ସେତିକି ନୁହେଁ ସେନାରେ ବ୍ୟବହାର ହେଉଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରୁ ଆତଙ୍କବାଦୀମାନେ ଫାୟାରିଂ କରିଥିବା ନେଇ ମଧ୍ୟ ଖବର ଆସୁଛି ।
ଏଇ ନରସଂହାର ପାଇଁ ଦାୟୀ କରୁଥିବା ଟିଆରଏଫ୍ ଆତଙ୍କୀ ସଂଗଠନ ଲସ୍କର ଏ ତୋଏବାର ପ୍ରକ୍ସିଂ ଟିମ୍। ଲସ୍କର ଏ ତୋଏବାର ମୁଖ୍ୟ ହାଫିଜ ସଇଦି ପାକିସ୍ତାନରେ । ୨୦୦୮ ମୁମ୍ବାଇ ଆଟାକର ମାଷ୍ଟରମାଇଣ୍ଡ ମୋଷ୍ଟୱାଣ୍ଟେଡ୍ ହାଫିଜ୍ ପାକିସ୍ତାନ ସୁରକ୍ଷାରେ ।
ମଙ୍ଗଳବାର ପହଲଗାମରେ ମୃତ୍ୟୁର ବିଭୀଷିକା ରଚିଛନ୍ତି ଆତଙ୍କବାଦୀ। ଧର୍ମ ପଚାରି ମାରିଲେ ଗୁଳି। ଏ ହୃଦୟ ବିଦାରକ ଘଟଣା ଛାତି ଥରାଇ ଦେଇଛି ସମସ୍ତଙ୍କର। କି ଦୋଷ କରିଥିଲେ ସେମାନେ ? ସେମାନଙ୍କର ଦୋଷ କେବଳ ଏତିକି ସେମାନେ ହିନ୍ଦୁ ଥିଲେ।
ହୋଟେଲର ଘାସ ଗାଲିଚାରେ ପ୍ରକୃତିର ମଜା ନେଉଥାନ୍ତି ପର୍ଯ୍ୟଟକ। କିଏ ଖାଉଥାଏ, କିଏ ଖେଳୁଥାଏ ଆଉ କିଏ ସ୍ମୃତିକୁ ସାଇତି ରଖିବାକୁ କ୍ୟାମେରାରେ କଏଦ କରୁଥାନ୍ତି। ଆଉ ଏତିକି ବେଳେ ହଠାତ୍ ସେନା ଆଉ ପୋଲିସ ପୋଷାକ ବିନ୍ଧି ପ୍ରବେଶ କରନ୍ତି ତିନି ଚାରିଜଣ। ସୁରକ୍ଷା କର୍ମୀ ଭାବି ସମସ୍ତେ ସହଯୋଗ କରନ୍ତି। ପ୍ରଥମେ ସେମାନେ ପର୍ଯ୍ୟଟକଙ୍କ ପରିଚୟ ମାଗନ୍ତି।
ଆଉ ଯିଏ ହିନ୍ଦୁ ବୋଲି କୁହନ୍ତି ତାଙ୍କ ଉପରେ କରନ୍ତି ଅତର୍କିତ ଗୁଳି ଚାଳନା। ଘଟଣା ପରର ଭିଡିଓ ସାମ୍ନାକୁ ଆସିବା ପରେ ଯିଏ ଦେଖୁଛି ସିଏ ବିଚଳିତ ହୋଇ ଯାଉଛି। ଜଣେ ବ୍ୟକ୍ତି ଗୁଳିମାଡ଼ ପରେ ତଳେ ପଡ଼ିଛନ୍ତି। କିଛି ଦୂରତାରେ ତାଙ୍କ ପତ୍ନୀ ସାହାଯ୍ୟ ପାଇଁ ନେହୁରା ହେଉଥିବାର ଦୃଶ୍ୟ ସାରା ଦେଶକୁ ସ୍ତବ୍ଧ କରି ଦେଇଛି।