Videos
|
National

Paragliding Accident / ୬ ମିନିଟ୍‌ର ଉଡ଼ାଣ ପାଲଟିଲା ଶେଷ ଯାତ୍ରା… ପାରାଗ୍ଲାଇଡର୍‌ରୁ ଖସି ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·2 hours ago·2 min read
୬ ମିନିଟ୍‌ର ଉଡ଼ାଣ ପାଲଟିଲା ଶେଷ ଯାତ୍ରା… ପାରାଗ୍ଲାଇଡର୍‌ରୁ ଖସି ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ
India

Key Points

ବିର୍-ବିଲିଂରେ ପାରାଗ୍ଲାଇଡିଂ ବେଳେ ଅଘଟଣ, ୬ ମିନିଟ୍‌ରେ ଚାଲିଗଲା ୨୬ ବର୍ଷୀୟ ଶୁଭମ୍‌ଙ୍କ ଜୀବନ
ହିମାଚଳ ପ୍ରଦେଶର ବିଶ୍ୱ ପ୍ରସିଦ୍ଧ ପାରାଗ୍ଲାଇଡିଂ ସ୍ଥାନ ବିର୍-ବିଲିଂରେ ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା। ଆକାଶରେ ରୋମାଞ୍ଚକର ଉଡ଼ାଣ ଭରିବାର ମାତ୍ର ୬ ମିନିଟ୍ ପରେ ପାରାଗ୍ଲାଇଡର୍‌ରୁ ଖସିପଡ଼ି ଜୀବନ ହରାଇଛନ୍ତି ଜଣେ ୨୬ ବର୍ଷୀୟ ଯୁବକ। ମୃତକ ହେଉଛନ୍ତି ଗ୍ରେଟର ନୋଏଡାର ଶୁଭମ୍ ଡୋଭିୟାଲ୍। ପରିବାର ସହ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିବା ଶୁଭମ୍‌ଙ୍କ ପାଇଁ ପାରାଗ୍ଲାଇଡିଂର ଏହି ରୋମାଞ୍ଚକର ଅନୁଭୂତି ଶେଷରେ ମୃତ୍ୟୁର କାରଣ ପାଲଟିଛି। ପ୍ରାଥମିକ ତଦନ୍ତରେ ସୁରକ୍ଷା ହାର୍ନେସ୍‌ରେ ଯାନ୍ତ୍ରିକ ତ୍ରୁଟି ଥିବା ସନ୍ଦେହ କରାଯାଉଥିବା ବେଳେ, ଘଟଣାକୁ ନେଇ ପାଇଲଟ୍‌ଙ୍କ ବିରୋଧରେ ଅବହେଳାଜନିତ ମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ। ତେବେ ଠିକ୍ କେଉଁ କାରଣରୁ ଆକାଶରୁ ଖସିପଡ଼ିଲେ ଶୁଭମ୍? ସୁରକ୍ଷା ବ୍ୟବସ୍ଥାରେ ରହିଥିଲା କି ତ୍ରୁଟି? ଘଟଣାର ତଦନ୍ତ ଜାରି ରହିଛି।

ହସଖୁସିରେ ଯାଇଥିଲେ କିନ୍ତୁ ଏମିତି ଦୁର୍ଘଟଣା ଘଟିବ ବୋଲି କେବେ ଭାବି ନଥିବେ। ହସଖୁସିର ମାହୋଲ ସାଙ୍ଗେ ସାଙ୍ଗେ ଶୋକରେ ପରିଣତ ହୋଇଗଲା। ଉଡ଼ାଣ ଭରିବାର ୬ ମିନିଟ ପରେ ସେ ପାରାଗ୍ଲାଇଡର୍‌ରୁ ଖସିପଡ଼ି ଏକ ଜଙ୍ଗଲ ମଧ୍ୟରେ ପଡ଼ିଯାଇଥିଲେ। ଏହି ଘଟଣା ପରେ, ପୋଲିସ ପାଇଲଟଙ୍କ ବିରୋଧରେ ଅବହେଳା ଯୋଗୁଁ ମୃତ୍ୟୁ ଘଟାଇବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ସୁରକ୍ଷା ବେଲ୍ଟ କିମ୍ବା ହାର୍ନେସ୍‌ରେ (ଶରୀର ସହ ବାନ୍ଧି ରଖୁଥିବା ଉପକରଣ) କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି।

  • ଉଡ଼ାଣ ଭରିବାର ଛଅ ମିନିଟ୍ ପରେ ଘଟିଲା ଦୁର୍ଘଟଣା

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାର ବାସିନ୍ଦା ଶୁଭମ୍ ଡୋଭିୟାଲ୍ ନିଜ ଭଉଣୀ ଏବଂ ଅନ୍ୟ ତିନିଜଣ ସମ୍ପର୍କୀୟଙ୍କ ସହ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିଲେ। ମଙ୍ଗଳବାର ଦିନ ସେ ବିଲିଂ ଠାରୁ ବିନୟ କୁମାର ନାମକ ଜଣେ ସ୍ଥାନୀୟ ପାଇଲଟଙ୍କ ସହ ପାରାଗ୍ଲାଇଡିଂ କରିଥିଲେ। ଉଡ଼ାଣ ଆରମ୍ଭ ହେବାର ପ୍ରାୟ ଛଅ ମିନିଟ୍ ପରେ, ଶୁଭମ୍ ହଠାତ୍ ପାରାଗ୍ଲାଇଡର୍‌ରୁ ଖସିପଡ଼ିଥିଲେ ଏବଂ ନିର୍ଦ୍ଧାରିତ ଅବତରଣ ସ୍ଥାନ ନିକଟରେ ଥିବା ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ପଡ଼ିଯାଇଥିଲେ। ପଡ଼ିବାର ଆଘାତ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

  • ଦୁର୍ଘଟଣା ଘଟିବାପରେ ପରିବାର ଲୋକ ଜାଣିଥିଲେ

ସେହି ଦିନ ଶୁଭମ୍‌ଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପାରାଗ୍ଲାଇଡିଂ କରିଥିଲେ। ସେମାନେ ନିଜର ଉଡ଼ାଣ ଶେଷ କରି ଅବତରଣ ସ୍ଥାନରେ ପହଞ୍ଚିବା ପରେ ହିଁ ଏହି ଭୟଙ୍କର ଦୁର୍ଘଟଣା ବିଷୟରେ ଜାଣିବାକୁ ପାଇଲେ। ପରେ ପାଇଲଟ୍ ପରିବାରବର୍ଗଙ୍କୁ ଜଣାଇଲେ ଯେ ଉଡ଼ାଣ ସମୟରେ ଶୁଭମ୍ ତଳକୁ ଖସିପଡ଼ିଥିଲେ। ଘର ଲୋକ ପୁଅ ଚାଲିଯିବା କଥା ଶୁଣି ଛାତି ଫଟାଇ କାନ୍ଦୁଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୋଲିସର ସୂଚନା ଅନୁଯାୟୀ, ଭୟଙ୍କର ଦୁର୍ଘଟଣା ସତ୍ତ୍ୱେ ପାଇଲଟ୍ ବିନୟ କୁମାର ସୁରକ୍ଷିତ ଭାବେ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଥିଲେ। ତଳକୁ ଆସିବା ପରେ ସେ ଅନ୍ୟ ପାରାଗ୍ଲାଇଡିଂ ପାଇଲଟ୍ ଏବଂ ସ୍ଥାନୀୟ ଲୋକଙ୍କୁ ଜଣାଇଲେ ଯେ ଯାତ୍ରୀ ଜଣକ ତଳକୁ ଖସି ପଡ଼ିଛନ୍ତି। ତୁରନ୍ତ ତାଙ୍କୁ ଖୋଜିବା ପାଇଁ ଏକ ଅଭିଯାନ ଆରମ୍ଭ କରାଗଲା। ଅନେକ ଘଣ୍ଟା ଧରି ଖୋଜାଖୋଜି କରିବା ପରେ, ସନ୍ଧ୍ୟା ବିଳମ୍ବିତ ପ୍ରହରରେ ଏକ ଜଙ୍ଗଲିଆ ଅଞ୍ଚଳରୁ ଶୁଭମ୍‌ଙ୍କ ମୃତଦେହ ଉଦ୍ଧାର କରାଗଲା। ଘଟଣା ବିଷୟରେ ଖବର ପାଇବା ପରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।