Videos
|
National

Rare Ants / ଅଜବ ଚୋରି.... ସୁନା, ରୁପା କି ଟଙ୍କା ନୁହେଁ, ଚୋରି ହେଲେ ହଜାର ହଜାର ବିରଳ ପିମ୍ପୁଡ଼ିଙ୍କ ବସା

Rashmita Mishra
Browse all articles by Rashmita Mishra
·1 hour ago·2 min read
ଅଜବ ଚୋରି.... ସୁନା, ରୁପା କି ଟଙ୍କା ନୁହେଁ, ଚୋରି ହେଲେ ହଜାର ହଜାର ବିରଳ ପିମ୍ପୁଡ଼ିଙ୍କ ବସା
Rare Ants

Key Points

ସୁନା ନୁହେଁ, ଚୋରି ହେଲା ହଜାର ହଜାର ବିରଳ ପିମ୍ପୁଡ଼ି
ମାଟି ତଳୁ ପୂରା ପିମ୍ପୁଡ଼ି ବସା ଗାଏବ, ଚକିତ ବ୍ରିଟେନ
ଏମିତି କି ଚୋର! ଅଭୟାରଣ୍ୟରୁ ଚୋରି କଲେ ପିମ୍ପୁଡ଼ିଙ୍କ ଘର
ବିରଳ ପିମ୍ପୁଡ଼ିଙ୍କ ଶେଷ ଆଶ୍ରୟସ୍ଥଳୀରେ ବଡ଼ ଚୋରି

ଚୋରି କଥା ଶୁଣିଲେ ଆମ ମନକୁ ପ୍ରଥମେ ସୁନା, ରୁପା, ଟଙ୍କା କିମ୍ବା ଗହଣା କଥା ଆସିଥାଏ । କିନ୍ତୁ ଯଦି କେହି ଗହଣା ବଦଳରେ ମାଟି ତଳୁ ପିମ୍ପୁଡ଼ିଙ୍କ ପୂରା ବସା ଉଖାଡ଼ି ଚୋରି କରିନିଏ, ତେବେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏଭଳି ଏକ ଅଜବ ଘଟଣା ବ୍ରିଟେନରେ ଘଟିଛି । ଏକ ସୁରକ୍ଷିତ ପ୍ରାକୃତିକ ଅଭୟାରଣ୍ୟରୁ ଚୋରମାନେ ଦୁନିଆର ଅତି ବିରଳ ପ୍ରଜାତିର ପିମ୍ପୁଡ଼ିଙ୍କ ପୂରା ବସା ଚୋରି କରି ନେଇଛନ୍ତି । ଏହି ଘଟଣା ବନ୍ୟଜନ୍ତୁ ପ୍ରେମୀଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତଙ୍କୁ ଚକିତ କରିଦେଇଛି ।

ଇଂଲଣ୍ଡରୁ ଗାଏବ ହେଲା ବିରଳ ପିମ୍ପୁଡ଼ିଙ୍କ ଘର
ରିପୋର୍ଟ ଅନୁଯାୟୀ, ଏହି ଘଟଣା ଇଂଲଣ୍ଡର ଡେଭନ ଅଞ୍ଚଳରେ ଘଟିଛି । ଏଠାରେ ଥିବା ଚୁଡଲି ନାଇଟନ୍ ହିଥ୍ ନେଚର ରିଜର୍ଭ (Chudleigh Knighton Heath Nature Reserve) ରେ ଏକ ଅତ୍ୟନ୍ତ ବିରଳ ପ୍ରଜାତିର ପିମ୍ପୁଡ଼ି 'ନ୍ୟାରୋ-ହେଡେଡ୍ ଆଣ୍ଟ୍' (Narrow-headed Ant) ଦେଖିବାକୁ ମିଳନ୍ତି । ଇଂଲଣ୍ଡରେ ଏହି ପ୍ରଜାତି ପାଇଁ ଏହା ଶେଷ ଆଶ୍ରୟସ୍ଥଳୀ ବୋଲି କୁହାଯାଉଛି ।

ଅକ୍ଟୋବର ମାସର ମଧ୍ୟଭାଗରେ ଗବେଷକମାନେ ନିୟମିତ ଯାଞ୍ଚ ପାଇଁ ଅଭୟାରଣ୍ୟକୁ ଯାଇଥିଲେ । ହେଲେ ସେଠାରେ ପହଞ୍ଚିବା ପରେ ସେମାନେ ଯାହା ଦେଖିଲେ, ତାହା ସେମାନଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ପିମ୍ପୁଡ଼ିଙ୍କ ପୁରୁଣା ବସା ଥିବା ସ୍ଥାନରେ ଏକ ବଡ଼ ଗାତ ଥିଲା ଏବଂ ମାଟିରେ କୋଦାଳରେ ଖୋଳାଯାଇଥିବା ଚିହ୍ନ ମଧ୍ୟ ରହିଥିଲା । ଚୋରମାନେ ମାଟି ଖୋଳି ପୂରା ବସାକୁ ଉଠାଇ ନେଇଥିବା ସନ୍ଦେହ କରାଯାଉଛି ।

କାହିଁକି ଏତେ ଖାସ୍ ଏହି ବିରଳ ପିମ୍ପୁଡ଼ି ?

ବନ୍ୟଜନ୍ତୁ ବିଶେଷଜ୍ଞଙ୍କ ଅନୁଯାୟୀ, ନ୍ୟାରୋ-ହେଡେଡ୍ ଆଣ୍ଟ୍ ସାଧାରଣ ପିମ୍ପୁଡ଼ି ନୁହନ୍ତି । ଏହି ପ୍ରଜାତିର ଏକ ବସାରେ ପ୍ରାୟ ୧,୦୦୦ରୁ ୫,୦୦୦ ପର୍ଯ୍ୟନ୍ତ ପିମ୍ପୁଡ଼ି ରହିପାରନ୍ତି । ଏମାନଙ୍କ ବସାରେ ଗୋଟିଏ କିମ୍ବା ଏକାଧିକ ରାଣୀ ପିମ୍ପୁଡ଼ି ମଧ୍ୟ ରହିଥାନ୍ତି । ଆଶ୍ଚର୍ଯ୍ୟର କଥା, ଗୋଟିଏ ରାଣୀ ପିମ୍ପୁଡ଼ି ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରେ । ତେଣୁ ଏକ ପୂରା ବସା ଚୋରି ହେବା କେବଳ କିଛି ପିମ୍ପୁଡ଼ି ହଜିଯିବା ଘଟଣା ନୁହେଁ, ବରଂ ସମଗ୍ର ପ୍ରଜାତିର ଅସ୍ତିତ୍ୱ ପ୍ରତି ବଡ଼ ବିପଦ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି ।

ବର୍ଷ ବର୍ଷର ପରିଶ୍ରମ ନଷ୍ଟ

ଡେଭନ୍ ୱାଇଲ୍ଡଲାଇଫ୍ ଟ୍ରଷ୍ଟର ଅଧିକାରୀ ଜୁଲିଆ ବାଲଫୋର କହିଛନ୍ତି ଯେ, ଏହି ଚୋରି ଜଙ୍ଗଲୀ ପକ୍ଷୀଙ୍କ ଅଣ୍ଡା ଚୋରାଚାଲାଣ ଭଳି ଗମ୍ଭୀର ଘଟଣା । ଏହି ପ୍ରଜାତିର ସଂଖ୍ୟା ବହୁତ ଧୀରେ ଧୀରେ ବଢ଼ିଥାଏ । ତେଣୁ ଗୋଟିଏ ପୂରା ବସା ଚୋରି ହୋଇଯିବା ଫଳରେ ବର୍ଷ ବର୍ଷ ଧରି ହୋଇଥିବା ସଂରକ୍ଷଣ ଓ ଗବେଷଣା ପ୍ରୟାସ ଉପରେ ପାଣି ପଡ଼ିଛି ।

ପୋଲିସ କରୁଛି ତଦନ୍ତ, ବଢ଼ିଲା ଅଭୟାରଣ୍ୟର ସୁରକ୍ଷା
ଘଟଣାର ଗମ୍ଭୀରତାକୁ ଦେଖି ମାମଲାଟିକୁ ଡେଭନ୍ ଏବଂ କର୍ଣ୍ଣୱାଲ୍ ପୋଲିସକୁ ହସ୍ତାନ୍ତର କରାଯାଇଛି । ପୋଲିସ ଏହି ଅଜବ ଚୋରି ଘଟଣାର ତଦନ୍ତ କରୁଛି । ଅଧିକାରୀମାନେ କହିଛନ୍ତି ଯେ, ସଂରକ୍ଷିତ ପ୍ରାକୃତିକ ସ୍ଥାନକୁ କ୍ଷତି ପହଞ୍ଚାଇବା ଏକ ଗମ୍ଭୀର ଅପରାଧ ।

ଏଥିସହ ପୋଲିସ ସାଧାରଣ ଲୋକଙ୍କୁ ଏହି ଚୋରି ସମ୍ପର୍କରେ କୌଣସି ସୂଚନା ଥିଲେ ଜଣାଇବାକୁ ଅନୁରୋଧ କରିଛି । ଅନ୍ୟପଟେ, ବାକି ରହିଥିବା ପିମ୍ପୁଡ଼ିଙ୍କ କଲୋନୀକୁ ସୁରକ୍ଷିତ ରଖିବା ପାଇଁ ୱାଇଲ୍ଡଲାଇଫ୍ ଟ୍ରଷ୍ଟ ପକ୍ଷରୁ ଅଭୟାରଣ୍ୟର ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ହଜାର ହଜାର ବିରଳ ପିମ୍ପୁଡ଼ିଙ୍କୁ ଚୋରି କରିଥିବା ଏହି ଚୋରମାନେ କିଏ ଏବଂ ସେମାନେ ଏହି ବସାକୁ କେଉଁଠାକୁ ନେଇଛନ୍ତି ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: