Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡି : ୭୨ ସିଟ୍‌ରେ ପ୍ରାର୍ଥୀ ଦେଲା, ୮୦ ପ୍ରତିଶତଙ୍କୁ ରିପିଟ୍‌ କଲା

National

ବିଜେଡି : ୭୨ ସିଟ୍‌ରେ ପ୍ରାର୍ଥୀ ଦେଲା, ୮୦ ପ୍ରତିଶତଙ୍କୁ ରିପିଟ୍‌ କଲା

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବିଜେଡି : ୭୨ ସିଟ୍‌ରେ ପ୍ରାର୍ଥୀ ଦେଲା, ୮୦ ପ୍ରତିଶତଙ୍କୁ ରିପିଟ୍‌ କଲା

Key Points

  • ଡରି ଡରି ଟିକଟ ଦେଉଛ ବିଜେଡି
  • ୭୨ ସିଟ୍‌ରେ ପ୍ରାର୍ଥୀ ଦେଲା, ୮୦ ପ୍ରତିଶତଙ୍କୁ ରିପିଟ୍‌ କଲା
  • ବିବାଦୀୟଙ୍କୁ ଟିକଟ ଦେବା ପଛର କାରଣ କ'ଣ?

ଅର୍ଗସ ବ୍ୟୁରୋ: ଡରି ଡରି...ଭାବିଚିନ୍ତି ଟିକଟ ଦେଉଛି କି ବିଜେଡି ? କିଛି ଏମିତି କଥା ଏବେ ଚର୍ଚ୍ଚା ହେଉଛି । କାରଣ ଏହାରି ଭିତରେ ବିଜେଡି ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଯେଉଁଥିରେ ୭୨ ଜଣଙ୍କ ନାଁ ରହିଛି । ହେଲେ ଚର୍ଚ୍ଚା ଏଇଥି ଲାଗି ହେଉଛି କାରଣ, ଅଧିକାଂଶ ନେତା ପୁରୁଣା । ମାତ୍ର ୧୬ ଜଣଙ୍କୁ ନୂଆ କରି ମିଳିଛି ଟିକଟ । 

ଏବେ ବିଜେଡିରେ କିଛି ଠିକଠାକ ଚାଲିନି । କାରଣ ଆଶାୟୀଙ୍କ ସଂଖ୍ୟା ଏତେ ଅଧିକ ଯେ କାହାକୁ ଟିକଟ ମିଳିବ ? କାହାକୁ ମିଳିବନି ତାହାକୁ ନେଇ ଚିନ୍ତାରେ ଶୀର୍ଷ ନେତୃତ୍ଵ । ସେଇଥି ଲାଗି ତ ପ୍ରଥମ ପ୍ରାର୍ଥୀ ତାଲିକାରେ ପାଖାପାଖି ୫୬ ନେତାଙ୍କୁ ରିପିଟ କରି ଟିକଟ ଦେଇଛି ଶାସକ ଦଳ । କାରଣ ଗୁଇନ୍ଦା ରିପୋର୍ଟ ମିଳିଥିଲା କି, ଯଦି ନୂଆ ଚେହେରାଙ୍କୁ ଟିକଟ ଦେଉଛନ୍ତି ତାହାଲେ ଦଳ ହାରିବ । ଏହା ପରେ ବି କିଛି ଆସନରେ ଅର୍ଥାତ୍‌ ବିଜେଡି ଗଡରେ ହିଁ ନୂଆ ପ୍ରାର୍ଥୀ ଦେଇଛି ଦଳ । ଏଇ ଯେମିତି ବିଜେଡିର ଗଡ କୁହାଯାଉଥିବା ଯାଜପୁରରେ । ୨୦୦୯ରୁ ଲଗାତାର ବିଜୟ ହୋଇ ଆସୁଥିବା ପ୍ରଣବ ପ୍ରକାଶ ଦାସଙ୍କୁ ଏଥର ଯାଜପୁରରୁ ମିଳିନି ଟିକଟ । କିନ୍ତୁ ଚେହେରା ବଦଳାଇବା ପରେ ଯେ ବିଜେଡି ହାତରୁ ଯାଜପୁର ନଯିବ ସେକଥା କହିବ କିଏ ?

ଖାଲି ଏତିକି ନୁହେଁ ବରଂ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଦଳ  ମାତ୍ର ୧୨ ଜଣ ମହିଳାଙ୍କୁ ଦେଇଛି ଟିକଟ । ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଏଥର ବି ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଯଦିଓ ୨୦୧୯ରେ ହିଞ୍ଜିଳି ସହ ବିଜେପୁରରୁ ଲଢିଥିଲେ ନବୀନ, କିନ୍ତୁ ପରେ ବିଜେପୁର ସିଟ୍ ଛାଡ଼ି ଦେଇଥିଲେ। ଏଥର କିନ୍ତୁ ବିଜେପୁର ପାଇଁ ପୁଣି ଥରେ ରୀତା ସାହୁଙ୍କୁ ଦଳ ଟିକେଟ ଦେଇଛି । ଠିକ୍‌ ରିପିଟ ହୋଇଥିବା ନେତାଙ୍କ ମଧ୍ୟରୁ ବଡମ୍ବାରୁ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ସୋନପୁରରୁ ନିରଞ୍ଜନ ପୂଜାରୀ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ,  ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଆଳିରୁ ପ୍ରତାପ ଦେବ, ଘଷିପୁରାରୁ ବଦ୍ରି ନାରାୟଣ ପାତ୍ରଙ୍କ ବରିଷ୍ଠ ନେତା ରିପିଟ୍ ହୋଇଛନ୍ତି । ସେହିପରି ବୌଦ୍ଧରୁ ପ୍ରଦୀପ ଅମାତ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକ ଓ ଭଞ୍ଜନଗରରୁ ରିପିଟ୍ ହୋଇଛନ୍ତି ବିକ୍ରମ କେଶରୀ ଆରୁଖ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଜେଡିକୁ ଏବେ ଦାଗୀ ନେତା ହିଁ ଭରସା । ମହିଳା ବିରୋଧୀ ଅପରାଧ ଅଭିଯୋଗ ଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ନୟାଗଡ ପରୀ ମାମଲାରେ ବିବାଦୀୟ ନେତା ଅରୁଣ ସାହୁଙ୍କ ସହ ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ବିବାଦରେ ଥିବା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର ପୁଣି ଥରେ ପ୍ରାର୍ଥୀ ହୋଇଛନ୍ତି ।  ମୋଟ୍‌ ଉପରେ ଟିକଟକୁ ନେଇ ଚିନ୍ତାରେ ଅଛନ୍ତି ବିଜେଡି ସୁପ୍ରିମୋ । ସେଇଥି ଲାଗି ତ ୨୦୦୯ ପରେ ପ୍ରଥମଥର ୨୪ ନିର୍ବାଚନ ସମୟରେ ନିଜେ ଘୋଷଣା କରିଛନ୍ତି ପ୍ରାର୍ଥୀଙ୍କ ନାଁ । ତେବେ ସମୟ କହିବ ବିଜେଡିକୁ କେତେ ସାହା ହେଉଛନ୍ତି ଏଇ ନେତା ।
 

Argus Whatsapp Channel Mobile Top
Sponsored
BJD | Argus News