ବିଜେପି ରାଷ୍ଟ୍ରୀୟ ଅଧିବେଶନରେ ପିଏମ ମୋଦିଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: 24 ମହାଲଢ଼େଇ ପୂର୍ବରୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ। କର୍ମୀଙ୍କ ମନରେ ଭରିଲେ ଜୋଶ୍, 24 ରଣ ଜିତିବା ପୂର୍ବରୁ 100 ଦିନ ମଧ୍ୟରେ କଠିନ ପରିଶ୍ରମ କରି ଦେଶବାସୀଙ୍କ ବିଶ୍ବାସ ଜିତିବାକୁ 11 ହଜାରରୁ ଅଧିକ ବିଜେପି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନୂଆଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଦୁଇଦିନିଆ ବିଜେପି ରାଷ୍ଟ୍ରୀୟ ଅଧିବେଶନ ଶେଷ ହୋଇଛି । ସମ୍ମିଳନୀକୁ ସମ୍ବୋଧନ କରି ରାଜନୀତି ନୁହେଁ ରାଷ୍ଟ୍ରନୀତିକୁ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଏବେ ପ୍ରତି କ୍ଷେତ୍ରରେ ଭାରତର ଶ୍ରେଷ୍ଠତା ଦେଖୁଛି ସାରା ବିଶ୍ଵ । 2047 ସୁଦ୍ଧା ବିକଶିତ ଭାରତ ଗଠନ କରି ଦେଶବାସୀଙ୍କ ସ୍ଵପ୍ନ ସାକାର କରିବାକୁ ଦୃଢ଼ ସଂକଳ୍ପ ନେବାକୁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଲେ ଦେଶ ବିକାଶ ପାଇଁ ବିଜେପିର ପ୍ରତିବଦ୍ଧତାକୁ ଦେଖିସାରିଛନ୍ତି ବିରୋଧୀଙ୍କ ସମେତ ବିଶ୍ବବାସୀ । ଦେଶର ଆର୍ଥିକ, ସାଂସ୍କୃତିକ ବିକାଶକୁ ଦେଖି ବିରୋଧୀ ଦଳ ବି ଆଗାମୀ ନିର୍ବାଚନରେ ଏନଡିଏ- 400 ପାର୍ ନାରା ଦେଉଛନ୍ତି।
ଉଦବୋଧନ ସମୟରେ ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ସ୍ମୃତିଚାରଣ କରି ଭାବବିହ୍ବଳ ହେଲେ ମୋଦି। ଦେଶର ଗରିବ, ଚାଷୀ, ଯୁବବର୍ଗ ଓ ମହିଳାଙ୍କ ବିକାଶ ଦିଗରେ ସଂକଳ୍ପବଦ୍ଧ ହେବାସହ ପ୍ରତି ଭାରତୀୟଙ୍କ ଜୀବନ ପରିବର୍ତ୍ତନ ପାଇଁ ବହୁ ପଦକ୍ଷେପ ନେବାକୁ ବାକି ଅଛି ବୋଲି କହିଲେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ପୂର୍ବରୁ ବିରୋଧୀଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ। କହିଲେ ଅବ କୀ ବାର୍ 370 ପାର୍ ରଣନୀତି ନେଇ ଆଗକୁ ବଢୁଛି ବିଜେପି। ଅନ୍ୟପଟେ ଦୁର୍ନୀତିରେ ବୁଡ଼ିଛି INDI ମେଣ୍ଟ। ପରିବାରବାଦ, ଜାତିବାଦ ଓ ଭ୍ରଷ୍ଟାଚାରର ପୃଷ୍ଠପୋଷକ ଇଣ୍ଡି ମେଣ୍ଟ ଉପରୁ ଜନତାଙ୍କ ଆସ୍ଥା ତୁଟି ସାରିଛି । ଗତ 10 ବର୍ଷରେ ଗଣତନ୍ତ୍ର ସହ ଯୋଡ଼ି ହୋଇଛନ୍ତି ଦେଶର 60 କୋଟି ଲୋକ । ଦେଶରୁ ଆତଙ୍କବାଦ, ନକ୍ସଲବାଦର ଅନ୍ତ କରିବାରେ ସଫଳ ହୋଇଛି ପିଏମ ମୋଦିଙ୍କ ଲକ୍ଷ୍ୟ । ଦେଶକୁ ଗୋଟିଏ ସୂତ୍ରରେ ଯୋଡ଼ି ଉଜ୍ଜଳ ଭବିଷ୍ୟତ ପାଇଁ ପିଏମ ମୋଦି ମାର୍ଗଦର୍ଶନ କରିଥିବା କହିଛନ୍ତି ଗୃହମନ୍ତ୍ରୀ ।
ଆତ୍ମନିର୍ଭର ଭାରତର ଜୟଗାନ ସହ ବିକଶିତ ଭାରତ ସଂକଳ୍ପ ପୂରଣ ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିବେଶନରେ ସମସ୍ତ ରାଷ୍ଟ୍ରୀୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟ, ରାଷ୍ଟ୍ରୀୟ ପରିଷଦ ସଦସ୍ୟ, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ରାଜ୍ୟ ପଦାଧିକାରୀ, ରାଜ୍ୟ ମୋର୍ଚ୍ଚାର ରାଜ୍ୟ ସଭାପତି ଓ ସାଧାରଣ ସମ୍ପାଦକ, ସମସ୍ତ ପ୍ରକୋଷ୍ଠର ରାଜ୍ୟ ସଂଯୋଜକମାନେ ଯୋଗ ଦେଇଥିଲେ । ସମ୍ମିଳନୀ ଶେଷ ହେବା ସହ 2024 ପାଇଁ ସମ୍ମୁଖ ରଣ ପାଇଁ ପ୍ରସ୍ତୁତ ହୋଇଛନ୍ତି ଦଳୀୟ କର୍ମୀ ।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର