ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ହେବ ବିଜେପି ସରକାର

ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀରେ ହେବ ବିଜେପି ସରକାର । ନୂଆ ସରକାରର ମଙ୍ଗ ଧରିବେ କିଏ। ତାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଯେଉଁ ନାଁକୁ ନେଇ ସବୁଠୁ ବେଶୀ ଚର୍ଚ୍ଚା ସେ ହେଲେ ଏଥରର ଜାଏଣ୍ଟ କିଲର। ନୂଆଦିଲ୍ଲୀ ଆସନରୁ ବିଜୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ହରାଇଥିବା ପରବେଶ ବର୍ମା । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଓ ନୂଆଦିଲ୍ଲୀ ଆସନ ମଧ୍ୟରେ ରହିଛି ଏକ ନିଆରା ସମ୍ପର୍କ । ଏହି ଆସନରୁ ବିଜୟୀ ହୋଇଥିବା ନେତା ହିଁ ସର୍ବାଧିକ ସମୟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିଛନ୍ତି । ପ୍ରଥମେ ସିଲା ଦୀକ୍ଷିତ 15 ବର୍ଷ ଓ ପରେ ଅରବିନ୍ଦ କେଜ୍ରିୱାଲ୍ ପ୍ରାୟ 10 ବର୍ଷ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ଏ ଦୁଇ ଜଣଙ୍କ କାର୍ଯ୍ୟକାଳକୁ ମିଶାଇଲେ 1993 ରୁ 2024 ଯାଏ ନୂଆଦିଲ୍ଲୀ ଆସନରୁ ବିଜୟୀ ପ୍ରାର୍ଥୀ ହିଁ ରହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକ ପରେ କେନ୍ଦ୍ରୀୟ ନେତୃତ୍ବ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିବେ ବୋଲି କହିଛନ୍ତି ନବନିର୍ବାଚିତ ବିଜେପି ବିଧାୟକ ।
ପରବେଶ ବର୍ମାଙ୍କ ସହ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା, ଆଶିଷ ସୁଦ, ପୱନ ଶର୍ମା, ସତୀଶ ଉପାଧ୍ୟାୟଙ୍କ ନାଁକୁ ନେଇ ବି ଜୋର ଧରିଛି ଚର୍ଚ୍ଚା । ଏଥର ଦିଲ୍ଲୀ ଲଢ଼େଇରେ ପୁଣି ମୋଦି ବ୍ରାଣ୍ଡ୍ ରେ ଲଢ଼ିଥିଲା ବିଜେପି । ଘୋଷଣା କରିନଥିଲା ମୁଖ୍ୟମନ୍ତ୍ରୀ ଚେହେରା । ଏବେ ସଂଖ୍ୟା ଗରିଷ୍ଠତା ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ବହୁ ନାଁ ଚର୍ଚ୍ଚାକୁ ଆସୁଥିବାବେଳେ କୁହାଯାଉଛି ମୋଦି-ଶାହ ହିଁ ନେବେ ଚୂଡ଼ାନ୍ତ ନିଷ୍ପତ୍ତି ।
📱 Get Argus News App
✨ଗୋଟିଏ ପଟେ ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁକୁ ନେଇ ଚର୍ଚ୍ଚା ଅନ୍ୟପଟେ ବିଜେପିର ସସପେନ୍ସ । ନିକଟ ଅତୀତରେ କେତେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ବିଜେପି ସମସ୍ତଙ୍କୁ ଦେଇଛି ଚକମା । ଛତିଶଗଡ଼, ମଧ୍ୟପ୍ରଦେଶ, ହରିୟାଣା ଏବଂ ଓଡ଼ିଶା ଭଳି ରାଜ୍ୟ ଏହାର ଉଦାହରଣ । ଏଣୁ ଏବେ ଦିଲ୍ଲୀରେ ବି ଚର୍ଚ୍ଚିତ ଚେହେରାଙ୍କ ଭିତରୁ କାହାକୁ ମୁକୁଟ ପିନ୍ଧାଇବେ ବିଜେପି ଖେଳିବ ସରପ୍ରାଇଜ୍ କାର୍ଡ ତା ଉପରେ ରହିବ ସମସ୍ତଙ୍କ ନଜର ।