ମୃତଦେହ ନେଇ ଯିବା ବେଳେ ନଦୀରେ ଓଲଟିଲା ଡଙ୍ଗା: ୩ ଜଣଙ୍କ ମୃତ୍ୟୁ, ୭ ଉଦ୍ଧାର

ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ବେଳେ ଅଧା ବାଟରେ ଆଖି ବୁଜିଦେଲେ । ଚାଲିଗଲା ୩ ଜଣଙ୍କ ଜୀବନ । ଶନିବାର ସକାଳେ ଉତ୍ତରପ୍ରଦେଶ ସୀତାପୁରର ଶାରଦା ନଦୀରେ ଏକ ଡଙ୍ଗା ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି । ଖବର ଅନୁସାରେ, ସ୍ଥାନୀୟ ଗ୍ରାମବାସୀ ୭ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଅନ୍ତିମ ସଂସ୍କାରରେ ସାମିଲ୍ ହେବା ଲାଗି ଗାଁର କିଛି ଲୋକେ ଡଙ୍ଗାରେ ନଦୀ ପାର ହେଉଥିଲେ । ଦିନ ପ୍ରାୟ ୧୧ଟାରେ ରତନଗଞ୍ଜ ଗାଁ ନିକଟରେ ଏହି ଅଘଟଣ ଘଟିଛି । ଗାଁର ଦିନେଶ ଗୁପ୍ତାଙ୍କ ମୃତ୍ୟୁ ପରେ ତାଙ୍କ ମରଶରୀରକୁ ଡଙ୍ଗାରେ ନେଇ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ବେଳେ ଡଙ୍ଗା ଓଲଟି ପଡ଼ିଥିଲା ।
ମୃତଦେହ ସହ ଡଙ୍ଗାରେ ୧୨ରୁ ଅଧିକ ଲୋକ ଥିଲେ । ଡଙ୍ଗା ଓଲଟିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା । ସ୍ଥାନୀୟ ଲୋକ ପ୍ରଶାସନ ସହାୟତାରେ ତୁରନ୍ତ ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ୩ ଜଣଙ୍କ ମୃତଦେହ ମିଳିଥିବା ବେଳେ ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଜଣେ ନାବାଳିକାଙ୍କ ଅବସ୍ଥା ଗମ୍ଭୀର ରହିଥିବାରୁ ତାଙ୍କୁ ମେଡିକାଲ୍ ନିଆ ଯାଇଛି ।
📱 Get Argus News App
✨
୩ ମୃତକଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ଡଙ୍ଗା ଓଲଟିବା ପରେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ଵରାନ୍ଵିତ କରିଛନ୍ତି । ଅଧିକାରୀଙ୍କ ଅନୁସାରେ, ଡଙ୍ଗାରେ ଅଧିକ ଲୋକ ଥିବାରୁ ତାହା ଓଲଟି ପଡ଼ିଥିଲା ।