ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ବୋଡ଼ୋଲ୍ୟାଣ୍ଡ ମହୋତ୍ସବ

ଅର୍ଗସ ବ୍ୟୁରୋ: ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧି ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି ବୋଡ଼ୋଲ୍ୟାଣ୍ଡ ମହୋତ୍ସବ। ପ୍ରଥମ ବୋଡ଼ୋଲ୍ୟାଣ୍ଡ ମହୋତ୍ସବକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ହୋଇଛନ୍ତି। ବୋଡ଼ୋଲ୍ୟାଣ୍ଡର ଭାଷା, ସାହିତ୍ୟର ପ୍ରଚାର ପ୍ରସାର ସହ ଅଞ୍ଚଳରେ ଶାନ୍ତି ରକ୍ଷା ଦିଗରେ ଏହି ଦୁଇ ଦିନିଆ ସାଂସ୍କୃତିକ ମହୋତ୍ସବର ଆୟୋଜନ କରାଯାଇଛି । ଯୁବପିଢ଼ିଙ୍କ ମଧ୍ୟରେ ଗବେଷଣାର ଜାଗରଣ ସୃଷ୍ଟି କରିବା ପାଇଁ ଭାରତୀୟ ଶିକ୍ଷଣ ମଣ୍ଡଳର ଯୁବକମାନଙ୍କ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଆଜିର ଯୁବପିଢ଼ି ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ବାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନିଜର ଅଂଶଗ୍ରହଣ ଦ୍ବାରା ଦେଶକୁ ଆତ୍ମନିର୍ଭରଶୀଳତା ଏବଂ ବିଶ୍ବ ନେତୃତ୍ବ ଆଡକୁ ନେଇପାରିବେ। ଜାତୀୟ ଶିକ୍ଷା ନୀତି - ୨୦୨୦ ଏ ଦିଗରେ ଏକ ଐତିହାସିକ ପଦକ୍ଷେପ।
ଏହି ନୀତି ମାଧ୍ୟମରେ ଭାରତର ପ୍ରାଚୀନ ଶିକ୍ଷା ବ୍ୟବସ୍ଥା ଯଥା ଯୋଗ, ବ୍ୟବହାରିକ ଜ୍ଞାନ ଏବଂ ନୈତିକ ଶିକ୍ଷାକୁ ପୁନରୁଦ୍ଧାର କରାଯାଉଛି। ଏହି ନୀତି କେବଳ ଆଧୁନିକ ଆବଶ୍ୟକତାକୁ ପୂରଣ କରିବ ନାହିଁ ବରଂ ଯୁବପିଢ଼ିଙ୍କୁ ଭାରତୀୟ ମୂଲ୍ୟବୋଧ ଏବଂ ବିଚାର ସହିତ ଯୋଡ଼ିବ।