Crime News / ବୁଲାଇବା ବାହାନାରେ ନେଲା ୧୦୦୦ ଫୁଟ୍ ଖାଇକୁ ଠେଲିଦେଲା ପ୍ରେମିକ

Key Points
୫ ବର୍ଷର ପ୍ରେମର ଏମିତି ହେଲା ଅନ୍ତ !
ପ୍ରେମିକାକୁ ଖାଇକୁ ଠେଲି ଦୁର୍ଘଟଣାର ନାଟକ ।
ସେଲ୍ଫି ବେଳେ ଖସିଗଲା କହିଲା ଜେରା ବେଳେ ଖୋଲିଲା ରହସ୍ୟ ।
ମହାରାଷ୍ଟ୍ରରେ କେତନ ଅଗ୍ରୱାଲ ମାମଲା ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ନିଜ ପ୍ରେମିକାଙ୍କୁ ବୁଲିବାକୁ ଯିବା ବାହାନାରେ ଏକ ଜଳପ୍ରପାତ ନିକଟକୁ ନେଇଥିଲା । ପରେ ତାଙ୍କୁ ପ୍ରାୟ ୧,୦୦୦ ଫୁଟ୍ ଗଭୀର ଖାଇକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ଘଟଣାଟିକୁ ଏକ ଦୁର୍ଘଟଣା ବୋଲି ଦର୍ଶାଇବାକୁ ମଧ୍ୟ ସେ ଚେଷ୍ଟା କରିଥିଲା ।
ପୁଣେରେ ଘଟିଥିବା କେତନ ଅଗ୍ରୱାଲ ମାମଲା ସହ ଏହି ଘଟଣାର ସାମଞ୍ଜସ୍ୟ ରହିଛି । ସେହି ମାମଲାରେ କେତନଙ୍କ ମଙ୍ଗେତର ସିଆ ଗୋୟଲ ତାଙ୍କୁ ବୁଲାଇବା ବାହାନାରେ ଏକ ଦୁର୍ଗକୁ ନେଇ ସେଠାରୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ପରେ ଏହାକୁ ଦୁର୍ଘଟଣା ବୋଲି ଦର୍ଶାଇବାକୁ ଉଦ୍ୟମ କରାଯାଇଥିଲା ।
ଜଳପ୍ରପାତ ନିକଟରେ ପ୍ରେମିକାଙ୍କୁ ଖାଇକୁ ଠେଲିଦେଲା
ଏହି ଘଟଣା ମହାରାଷ୍ଟ୍ରର କୋହ୍ଲାପୁର ଜିଲ୍ଲାର ଭୁଦରଗଡ଼ ତାଲୁକା ଅନ୍ତର୍ଗତ ଅଞ୍ଚଳରେ ଘଟିଛି । ଅଭିଯୋଗ ଅନୁଯାୟୀ, ୨୫ ବର୍ଷୀୟ ଶ୍ରୀପାଦ ଦିନକର ୱାଡର ନିଜର ୨୩ ବର୍ଷୀୟ ପ୍ରେମିକା ତରନ୍ନୁମ ବଶୀର ନାଇକଙ୍କୁ ଶୁକ୍ରବାର ଦିନ ବୁଲାଇବା ବାହାନାରେ ନାଇକୱାଡ଼ି ଜଳପ୍ରପାତକୁ ନେଇଥିଲା । ସେଠାରେ ତରନ୍ନୁମ ଶ୍ରୀପାଦଙ୍କୁ କହିଥିଲେ ଯେ ଏହି ସମ୍ପର୍କ ଆଉ ଆଗକୁ ବଢ଼ିପାରିବ ନାହିଁ । ଆସନ୍ତା ମାସରେ ତାଙ୍କ ବିବାହ ଅନ୍ୟ ଜଣଙ୍କ ସହ ସ୍ଥିର ହୋଇଥିବା କଥା ମଧ୍ୟ ସେ ଜଣାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଇଞ୍ଜିନିୟରିଂ ଛାତ୍ରୀ ତରନ୍ନୁମ ନିଜ ନିଷ୍ପତ୍ତି ବଦଳାଇବାକୁ ମନା କରିବାରୁ ରାଗିଯାଇ ଶ୍ରୀପାଦ ତାଙ୍କୁ ଗଭୀର ଖାଇକୁ ଠେଲି ଦେଇଥିବା ଅଭିଯୋଗ ହୋଇଛି ।
କିପରି ଲୁଚାଇବାକୁ ଚେଷ୍ଟା କରିଥିଲା ଅପରାଧ ?
ନିଜ ଉପରେ ସନ୍ଦେହ ନ ହେବା ପାଇଁ ଶ୍ରୀପାଦ ଏକ ଯୋଜନା କରିଥିଲା । ଶନିବାର ଦିନ ସେ ସିଧା ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲା ଯେ, ସେମାନେ ଦୁହେଁ ଝରଣା ନିକଟରେ ସେଲ୍ଫି ନେଉଥିବା ସମୟରେ ତରନ୍ନୁମଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ଖାଇକୁ ପଡ଼ିଯାଇଥିଲେ । କିନ୍ତୁ ଶ୍ରୀପାଦଙ୍କ କଥାରେ ପୋଲିସର ସନ୍ଦେହ ହୋଇଥିଲା । ଏହାପରେ ତାଙ୍କୁ ଜେରା କରାଯାଇଥିଲା । ବାରମ୍ବାର ପଚରାଉଚରା ପରେ ସେ ନିଜ ଅପରାଧ ସ୍ୱୀକାର କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ପରେ ତାଙ୍କୁ ଗିରଫ କରାଯାଇଥିଲା ।
୧,୦୦୦ ଫୁଟ୍ ଗଭୀର ଖାଇରୁ ମିଳିଲା ମୃତଦେହ
ଘଟଣା ପରେ ପୋଲିସ ତରନ୍ନୁମଙ୍କ ମୃତଦେହ ଖୋଜିବା ଆରମ୍ଭ କରିଥିଲା । ଶେଷରେ ପ୍ରାୟ ୧,୦୦୦ ଫୁଟ୍ ଗଭୀର ଖାଇରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ କୋହ୍ଲାପୁରର ଏକ ହସ୍ପିଟାଲକୁ ପଠାଯାଇଥିଲା । ପୋଷ୍ଟମର୍ଟମ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
୫ ବର୍ଷ ଧରି ସମ୍ପର୍କରେ ଥିଲେ ଉଭୟ
ଅଧିକାରୀଙ୍କ ସୂଚନା ଅନୁସାରେ, ଶ୍ରୀପାଦ ଓ ତରନ୍ନୁମ ଗରଗୋଟିର ଶିବାଜୀନଗର ଅଞ୍ଚଳରେ ରହୁଥିଲେ । ଉଭୟ ପ୍ରାୟ ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଶ୍ରୀପାଦ ତରନ୍ନୁମଙ୍କୁ ଜଳପ୍ରପାତକୁ ନେଇଯିବା ପରଠାରୁ ସେ ନିଖୋଜ ଥିଲେ । ଅକ୍ଟୋବର ୯ ତାରିଖ ସକାଳଠାରୁ ତାଙ୍କର କୌଣସି ଖୋଜଖବର ମିଳୁନଥିଲା । ତରନ୍ନୁମଙ୍କ ମୃତ୍ୟୁ ପରେ ଗାଁରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଅଭିଯୁକ୍ତ ଜଣେ ନେତାଙ୍କ ଘନିଷ୍ଠ ବୋଲି ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି ।
📱 Get Argus News App
✨Related Topics
Explore more stories