ଆଜି ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ

ଅର୍ଗସ ବ୍ୟୁରୋ: ଆଜି ଉପସ୍ଥାପନ ହେବ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ । ମୋଦି ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସିବା ସହ ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପନ କରିବେ ନିଜର ଅଷ୍ଟମ ବଜେଟ୍ । ଚଳିତ ବଜେଟରେ କଣ ରହିଛି ବିଷେଶତ୍ବ , ତା ଉପରେ ନଜର
ଆଜି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ । ମୋଦି ୩.୦ର ପ୍ରଥମ ପୂର୍ଣ୍ଣ ବଜେଟ୍ ଆସିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ଅଷ୍ଟମ ବଜେଟ୍ ହେବାକୁ ଯାଉଛି, ଯାହା କି ଦେଶର କୌଣସି ଅର୍ଥମନ୍ତ୍ରୀଙ୍କ ପାଇଁ ନୂଆ ରେକର୍ଡ। ସଂସଦରେ ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ ହେବ ବଜେଟ ଦେଶର ଅଭିବୃଦ୍ଧିକୁ ଗତି ଦେବା ଲାଗି ଲୋକମାନେ ବ୍ୟୟ ବଢ଼ାଇବା ଜରୁରୀ ହୋଇ ପଡ଼ିଥିବାରୁ ଏଥର ବଜେଟ୍ରେ ଆୟକରରେ ହ୍ରାସ ହେବା ସମ୍ଭାବନା ରହିଛି। କୃଷି କ୍ଷେତ୍ର ଲାଗି ପଦକ୍ଷେପ, କେତେକ ଟିକସରେ ସଂଶୋଧନ, ପୁରୁଣା ଆୟକର ଢାଞ୍ଚା ସମ୍ପୂର୍ଣ୍ଣ ଉଚ୍ଛେଦ, ୧୦ ଲକ୍ଷ ଟଙ୍କା ଆୟ ଉପରେ ଟିକସ ଛାଡ଼ ଭଳି ଘୋଷଣା ହେବାର ଆଶା କରାଯାଉଛି। ବଜେଟ୍ରେ ରିଅଲ୍ ଇଷ୍ଟେଟ୍କୁ ଭିତ୍ତିଭୂମି ମାନ୍ୟତା ଦେବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଘୋଷଣା, ଭିତ୍ତିଭୂମି ବିକାଶ ଓ ପୁଞ୍ଜି ବ୍ୟୟ ଉପରେ ଗୁରୁତ୍ବ ଦିଆଯାଇଥିବ ବୋଲି ଅନୁମାନ କରାଯାଉଛି। ସବୁଥର ଭଳି କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ସଶକ୍ତୀକରଣ, ଗ୍ରାମୀଣ ବିକାଶକୁ ବଜେଟ୍ରେ ପ୍ରାଧାନ୍ୟ ମିଳିବ। ସରକାରଙ୍କ ପ୍ରମୁଖ ଯୋଜନା ଯଥା ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆଦିର ବ୍ୟୟବରାଦ ବଢ଼ିବା ସମ୍ଭାବନା ରହିଛି।