Bus Crash / ଉତ୍ତରାଖଣ୍ଡରେ ଭୟାବହ ବସ୍ ଦୁର୍ଘଟଣା: ଖାଇକୁ ଖସିଲା ୩୫ ଯାତ୍ରୀଙ୍କ ବସ୍, ୮ ମୃ*ତ, ୨୦ ଉଦ୍ଧାର

Key Points
୭ ଜଣ ଯାତ୍ରୀଙ୍କ ମୃ*ତ୍ୟୁ
ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା
ଗୁଲାର ବଜାର ନିକଟରେ ବ୍ରିଜ ଉପରୁ ଖସିଲା ବସ୍
ଭାରସାମ୍ୟ ହରାଇ ୧୦୦ମିଟର ଖାଇକୁ ବସ ଖସିଲା
ଉତ୍ତରାଖଣ୍ଡର ଋଷିକେଶ ନିକଟ ଗୁଲର ବଜାର ଅଞ୍ଚଳରେ ଆଜି ସକାଳେ ଏକ ଭୟାବହ ବସ୍ ଦୁର୍ଘଟଣା ଘଟିଛି । ୩୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ପୋଲ ଉପରୁ ପ୍ରାୟ ୧୦୦ ମିଟର ତଳକୁ ଖାଇରେ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ୨୦ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଟିହରୀ ଜିଲ୍ଲାର ମୁନି କି ରେତି ଥାନା ଅଞ୍ଚଳରେ ସକାଳ ପ୍ରାୟ ୫ଟା ୩୦ ମିନିଟ୍ରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସମ୍ପର୍କରେ ରାସ୍ତାରେ ଯାଉଥିବା ଲୋକଙ୍କଠାରୁ ସୂଚନା ପାଇବା ପରେ ବ୍ୟାସୀ ଓ ଢାଲୱାଲା SDRF ପୋଷ୍ଟର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଯାଇଛି ।
ହରିଦ୍ୱାରରୁ ବଦ୍ରିନାଥ ଯାଉଥିଲା ବସ୍
ସୂଚନା ମୁତାବକ, ଦୁର୍ଘଟଣାଗ୍ରସ୍ତ ବସ୍ଟି ହରିଦ୍ୱାରରୁ ଶ୍ରଦ୍ଧାଳୁମାନଙ୍କୁ ନେଇ ବଦ୍ରିନାଥ ଅଭିମୁଖେ ଯାଉଥିଲା । ତେବେ ହଠାତ୍ ଚାଳକ ବସ୍ର ନିୟନ୍ତ୍ରଣ ହରାଇବାରୁ ଏହା ପୋଲ ଉପରୁ ତଳକୁ ଖାଇରେ ଖସିପଡ଼ିଥିଲା । ଦୁର୍ଘଟଣାରେ ବସ୍ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଛି ।
ଡାଏଲ୍ ୧୧୨କୁ UK09PA9779 ନମ୍ବର ବିଶିଷ୍ଟ ବସ୍ଟି ଗୁଲର ବଜାର ନିକଟ ଖାଇକୁ ଖସିପଡ଼ିଥିବା ନେଇ ସୂଚନା ମିଳିଥିଲା । ଖବର ପାଇ ମୁନି କି ରେତି ଥାନା, ଗୁଲର, ଶିବପୁରୀ ଓ ବ୍ୟାସୀ ପୋଲିସ ଚୌକିର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। SDRF, ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ ।
ପୋଲିସ ଓ SDRF ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଖାଇ ଭିତରକୁ ଓହ୍ଲାଇ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ୨୦ ଜଣ ଆହତଙ୍କୁ କ୍ରେନ୍ ସହାୟତାରେ ଉପରକୁ ଆଣି ରାସ୍ତା ପର୍ଯ୍ୟନ୍ତ ପହଞ୍ଚାଯାଇଥିଲା ।
ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ
SDRFର ବ୍ୟାସୀ ଓ ଢାଲୱାଲା ପୋଷ୍ଟର ଟିମ୍ ସହ ପୋଲିସ ଏବଂ ଅଗ୍ନିଶମ ବାହିନୀର ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । SDRF ସେନାନାୟକ ଅର୍ପଣ ଯଦୁବଂଶୀ, ନରେନ୍ଦ୍ରନଗର ଅଞ୍ଚଳାଧିକାରୀ ଏବଂ ମୁନି କି ରେତି ଥାନା ଅଧିକାରୀ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି । ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।
SDRF କମାଣ୍ଡାଣ୍ଟ ଅର୍ପଣ ଯଦୁବଂଶୀ ଦୁର୍ଘଟଣାର ସୂଚନାକୁ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ, ଦୁର୍ଘଟଣାର ପ୍ରକୃତ କାରଣ କ'ଣ ଏବଂ କେଉଁ ପରିସ୍ଥିତିରେ ବସ୍ଟି ନିୟନ୍ତ୍ରଣ ହରାଇଲା, ସେନେଇ ତଦନ୍ତ ଚାଲିଛି । ଦୁର୍ଘଟଣାଗ୍ରସ୍ତ ବସ୍କୁ ପୋଲିସ ଜବତ କରିଛି । ଏହି ଘଟଣା ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଅବଗତ କରାଯାଇଛି । ସେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।
📱 Get Argus News App
✨Related Topics
Explore more stories