Videos
|
National

Employee Bonus / ଗରିବୀରୁ ଶିଖିଲେ ମାନବିକତା, ୨୦ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ବୋନସ୍ ଦେଇ ଚର୍ଚ୍ଚାରେ ବ୍ୟବସାୟୀ

Rashmita Mishra
Browse all articles by Rashmita Mishra
·2 hours ago·2 min read
ଗରିବୀରୁ ଶିଖିଲେ ମାନବିକତା, ୨୦ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ବୋନସ୍ ଦେଇ ଚର୍ଚ୍ଚାରେ ବ୍ୟବସାୟୀ
Employee Bonus

Key Points

ସୁରତର ବ୍ୟବସାୟୀଙ୍କ ବଡ଼ ହୃଦୟ, ୨୦ କର୍ମଚାରୀଙ୍କୁ ଦେଲେ ଲକ୍ଷାଧିକ ଟଙ୍କାର ଦୀପାବଳି ବୋନସ୍ ।
ମିଠା ନୁହେଁ, ଟଙ୍କାର ବର୍ଷା... ପ୍ରତି କର୍ମଚାରୀଙ୍କୁ ଲକ୍ଷେରୁ ଅଧିକ ବୋନସ୍ ଦେଲେ ବ୍ୟବସାୟୀ ।
କର୍ମଚାରୀଙ୍କୁ ପରିବାର ଭାବନ୍ତି ବ୍ୟବସାୟୀ, ଦୀପାବଳିରେ ଦେଲେ ଏମିତି ଉପହାର ଯେ କାନ୍ଦି ପକାଇଲେ ମହିଳା କର୍ମଚାରୀ ।
ଗରିବୀରୁ ଶିଖିଲେ ମାନବିକତା, ୨୦ କର୍ମଚାରୀଙ୍କୁ ଲକ୍ଷାଧିକ ଟଙ୍କାର ବୋନସ୍ ଦେଇ ଚର୍ଚ୍ଚାରେ ସୁରତର ବ୍ୟବସାୟୀ ।

ଦୀପାବଳି ଅବସରରେ ସାଧାରଣତଃ କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ମିଠା, ନୂଆ ପୋଷାକ କିମ୍ବା କିଛି ଟଙ୍କା ବୋନସ୍ ଭାବେ ଦେଇଥାନ୍ତି । କିନ୍ତୁ ଗୁଜରାଟର ସୁରତର ଜଣେ କପଡ଼ା ବ୍ୟବସାୟୀ ନିଜ କର୍ମଚାରୀଙ୍କୁ ଏମିତି ଏକ ଉପହାର ଦେଇଛନ୍ତି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ନିଜର ୨୦ ଜଣ କର୍ମଚାରୀଙ୍କୁ ଦୀପାବଳି ବୋନସ୍ ଭାବେ ଜଣ ପିଛା ଏକ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ପ୍ରଦାନ କରିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ସୁରତରେ ଟେକ୍ସଟାଇଲ୍ ବ୍ୟବସାୟ କରୁଥିବା ରାମସ୍ୱରୂପ ମୁଣ୍ଡେ ଦୀପାବଳି ଅବସରରେ ନିଜ କର୍ମଚାରୀଙ୍କ ପାଇଁ ଏହି ବିଶେଷ ବ୍ୟବସ୍ଥା କରିଥିଲେ । ୧୦, ୨୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ର ବିଡ଼ାକୁ ଏକ ରୂପା ଭଳି ଦେଖାଯାଉଥିବା ଥାଳିରେ ସୁନ୍ଦର ଭାବେ ସଜାଇ ରଖାଯାଇଥିଲା । ପରେ ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବୋନସ୍ ଭାବେ ଦିଆଯାଇଥିଲା ।

ଏତେ ପରିମାଣର ଟଙ୍କା ଦେଖି କର୍ମଚାରୀମାନେ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ । କେହି ଖୁସିରେ ହସି ଉଠିଥିବା ବେଳେ ଜଣେ ମହିଳା କର୍ମଚାରୀ ଟଙ୍କା ଗ୍ରହଣ କରିବା ସମୟରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଏହି ସମୟରେ ବ୍ୟବସାୟୀଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ନିଜ ପିଲାଦିନର ଦାରିଦ୍ର୍ୟ ଶିଖାଇଛି ଅନ୍ୟଙ୍କ ଦୁଃଖ ବୁଝିବା
ଆଲୋଚନା ବେଳେ ରାମସ୍ୱରୂପ ମୁଣ୍ଡେ କହିଥିଲେ ଯେ, ଏଭଳି ବୋନସ୍ ଦେବା ପଛରେ ତାଙ୍କ ନିଜ ଜୀବନର ଅନୁଭୂତି ରହିଛି । ତାଙ୍କ ପିଲାଦିନ ଅତ୍ୟନ୍ତ ଗରିବୀରେ କଟିଥିଲା । ତେଣୁ ପର୍ବପର୍ବାଣୀ ସମୟରେ ପରିବାରର ଆବଶ୍ୟକତା ପୂରଣ କରିବା କେତେ କଷ୍ଟକର, ତାହା ସେ ଭଲଭାବେ ବୁଝିପାରନ୍ତି ।

ତାଙ୍କ କହିବା ଅନୁଯାୟୀ, କର୍ମଚାରୀମାନେ କେବଳ ଦୋକାନରେ କାମ କରୁଥିବା ଲୋକ ନୁହନ୍ତି, ସେମାନେ ତାଙ୍କ ପରିବାରର ଏକ ଅଂଶ । ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସେମାନଙ୍କର ବର୍ଷସାରା ପରିଶ୍ରମ ଓ ନିଷ୍ଠାର ବଡ଼ ଅବଦାନ ରହିଛି । ସେଥିପାଇଁ ଦୀପାବଳିରେ ପ୍ରତ୍ୟେକ କର୍ମଚାରୀଙ୍କ ହାତରେ ଏତେ ଟଙ୍କା ରହୁ, ଯାହାଦ୍ୱାରା ସେମାନେ ନିଜ ପରିବାର ପାଇଁ ଖୁସିରେ ପର୍ବର କିଣାକିଣି କରିପାରିବେ, ଏହା ହିଁ ତାଙ୍କର ଉଦ୍ଦେଶ୍ୟ ଥିଲା ।

କର୍ମଚାରୀଙ୍କ ଖୁସି ହିଁ ମୁଖ୍ୟ, ଭାଇରାଲ୍ ହେଉଛି ଭିଡିଓ

ବ୍ୟବସାୟୀ କହିଛନ୍ତି ଯେ, ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ ବୋନସ୍ ଦେବା ତାଙ୍କ ପାଇଁ କେବଳ ଏକ ଖର୍ଚ୍ଚ ନୁହେଁ, ବରଂ କର୍ମଚାରୀଙ୍କ ଖୁସି ଓ ପରିଶ୍ରମକୁ ସମ୍ମାନ ଜଣାଇବାର ଏକ ମାଧ୍ୟମ । ଏହି ନିଆରା ଉପହାରର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟୁଛି । ଲୋକମାନେ ବ୍ୟବସାୟୀଙ୍କ ଏହି ମହାନ ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । କର୍ମଚାରୀଙ୍କୁ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ଏତେ ବଡ଼ ଉପହାର ଦେବା ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: