Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ କହିବା ଅପରାଧ: ଶଙ୍କରାଚାର୍ଯ୍ୟ

Rashmita Mishra
Browse all articles by Rashmita Mishra
·1 year ago·2 min read
 ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ କହିବା ଅପରାଧ: ଶଙ୍କରାଚାର୍ଯ୍ୟ

Key Points

ଦୀଘା ଜଗନ୍ନାଥ ଧାମ ବିବାଦରେ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟଙ୍କ ବଡ଼ ବୟାନ
କହିଲେ ପୁରୀ ବ୍ୟତୀତ ଅନ୍ୟ ସ୍ଥାନକୁ ଜଗନ୍ନାଥ ଧାମ କହିବା ଅପରାଧ
ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଲୋଡ଼ିଲେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ
ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ମୋଦିଙ୍କୁ କଲେ ଅନୁରୋଧ
ଚାରିଆଡୁ ସମାଲୋଚନା ପରେ ବି ଯିଦରେ ଅଟଳ ବଙ୍ଗ ସରକାର
ଓଡ଼ିଆ- ବଙ୍ଗାଳି ବିଭେଦ ସୃଷ୍ଟି ପାଇଁ ଟିଏମସିର ଉଦ୍ୟମ ଜୋରଦାର
ମମତା ବାନାର୍ଜୀଙ୍କୁ ଶ୍ରୀମନ୍ଦିର ବରିଷ୍ଠ ସେବାୟତଙ୍କ ଚେତାବନୀ
କହିଲେ ଧାମ ନାଁ ନହଟିଲେ ଶ୍ରୀମନ୍ଦିରରେ ମମତାଙ୍କୁ ପୁରାଇ ଦେବୁନି
ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ସେବାରୁ ନିଲମ୍ବନ ପାଇଁ ବି ଉଠିଲା ଦାବି

ଦୀଘା ଜଗନ୍ନାଥ ଧାମ ବିବାଦ ଭିତରେ ସାମ୍ନାକୁ ଆସିଛି ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀଙ୍କ ବଡ଼ ବୟାନ। ସେ ସିଧା ସିଧା କହିଛନ୍ତି ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନ ହୋଇପାରିବନି ଜଗନ୍ନାଥ ଧାମ। କୌଣସି ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ କୁହାଯିବା ଅପରାଧ ଆଉ ଏକାକୁ ରୋକିବା ଆବଶ୍ୟକ ବୋଲି କହିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରାନନ୍ଦ ସରସ୍ବତୀ।

ଦୀଘା ଜଗନ୍ନାଥ ଧାମ ବିବାଦରେ ଚାରିଆଡୁ ସମାଲୋଚନା ପରେ ନରମିବା ବଦଳରେ ଆହୁରି ଉଗ୍ର ହେଉଛନ୍ତି ପଶ୍ଚମିବଙ୍ଗ ସରକାର। ଗତକାଲି ଦୀଘା ମନ୍ଦିର ଆଗରୁ ଜଗନ୍ନାଥ ଧାମ ଲେଖା ହଟାଇଦିଆଯାଇଥିବା ଚର୍ଚ୍ଚା ପରେ ଗତକାଲି ରାତିରେ ଆଉ ଦୁଇଟି ବଡ଼ ବଡ଼ ଜଗନ୍ନାଥ ଧାମ ଲେଖାଥିବା ସାଇନେଜ୍ ଲଗାଇ ଦିଆଯାଇଛି । ଗୋଟିଏ ସେଲଫି ପଏଣ୍ଟ ହଇଥିବା ବେଳେ ଅନ୍ୟଟି ହୋଡିଂ ଭାବେ ଲଗାଯାଇଛି। ତେବେ ଭକ୍ତଙ୍କୁ ଏହା କୌଣସି ମତେ ପ୍ରଭାବିତ କରିପାରି ନାହିଁ। ଏପରିକି ଦୀଘାକୁ ଆସୁଥିବା ବଙ୍ଗୀୟ ଭକ୍ତମାନେ ବି ଖୋଲାଖୋଲି ଭାବେ କହୁଛନ୍ତି ପୁରୀ ସହ ଏହା ତୁଳନୀୟ ନୁହେଁ। ପ୍ରକୃତ ଜଗନ୍ନାଥ ଧାମ ହେଉଛି ପୁରୀ।

ସେପଟେ ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନାକୁ ଆହାତ କରିଛି। ଆମ ଶାସ୍ତ୍ର ଅନୁଯାୟୀ କେବଳ ଗୋଟିଏ ଜଗନ୍ନାଥ ଧାମ ରହିଛି। ଯାହାକି ଓଡ଼ିଶାର ପୁରୀ । ତେଣୁ ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ ନାଁରେ ନାମିତ କରିବା ଧାର୍ମିକ ଦ୍ବନ୍ଦ୍ବ ସୃଷ୍ଟି କରିଛି। ଯାହାକି ହିନ୍ଦୁ ପରମ୍ପରା ବିରୋଧୀ। ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଆପଣଙ୍କର ଅନନ୍ୟ ଭକ୍ତି ଏବଂ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ଆପଣଙ୍କର ପ୍ରୟାସ ସର୍ବଦା ପ୍ରଶଂସନୀୟ। ତେଣୁ ଏ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ।

ସୁଦର୍ଶନଙ୍କ ଚିଠିକୁ ନେଇ ଉତକ୍ଷିପ୍ତ ମମତାଙ୍କ ତୃଣମୂଳ କଂଗ୍ରେସ। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ନେଇ ଆପତ୍ତି ଦର୍ଶାଇଛନ୍ତି ଟିଏମସି ନେତା ନିଲାଞ୍ଜନ ଦାସ । ବରଂ ଓଡ଼ିଆ- ବଙ୍ଗାଳି ବିବାଦ ସୃଷ୍ଟି ପାଇଁ କରିଛନ୍ତି ଉଦ୍ୟମ।

ଏହି ବିବାଦରେ ମମତା ବାନାର୍ଜୀଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର। କହିଛନ୍ତି ଜଗନ୍ନାଥ ଧାମ ନହଟାଇଲେ ମମତାଙ୍କୁ ଶ୍ରୀମନ୍ଦିରରେ ପୁରାଇ ଦିଆଯିବନି। ଏଥିସହ ଦାରୁ ବିବାଦରେ ଫସିଥିବା ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ସେବାରୁ ନିଲମ୍ବନ ପାଇଁ କରିଛନ୍ତି ଦାବି।

ଏପରିକି ପୁରୀରେ ବଙ୍ଗ ଭବନ ନିର୍ମାଣ ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଦିଆଯାଇଥିବା ମାଗଣା ଜମି ଫେରାଇ ଆଣିବାକୁ ଦାବି ଉଠିଛି। ପୂର୍ବରୁ ଆଇନ ମନ୍ତ୍ରୀ କହିସାରିଛନ୍ତି ଯଦି ପଶ୍ଚିମବଙ୍ଗ ସରକାର ଦୀଘା ଜଗନ୍ନାଥ ଧାମ ନାଁ ପ୍ରତ୍ୟାହାର ନକରନ୍ତି ତେବେ ଆଇନଗତ ପଦକ୍ଷେପ ନିଆଯିବ। କିନ୍ତୁ ଯେଉଁଭଳି ଭାବେ ମମତା ସରକାର ନିଜ ଯିଦରେ ଅଟଳ। ଏବେ ଆଇନଗତ ଲଢେଇ କରିବାର ସମୟ ଆସିଛି କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
calling-any-place-other-than-puri-as-jagannath-dham-is-a-crime-shankaracharya | Argus News