ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର

Key Points
- ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର
- ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ରରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପେନ
- ରାଞ୍ଚି ବିଜୟ ସଂକଳ୍ପ ସମାବେଶରେ ମାଟି, ବେଟି ଓ ରୋଟିର ସୁରକ୍ଷା ପାଇଁ ଅମିତ୍ ଶାହଙ୍କ ଆହ୍ବାନ
- ସୋରେନ୍ ସରକାର ବିରୋଧରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଗର୍ଜନ
ଅର୍ଗସ ବ୍ୟୁରୋ: ନିର୍ଣ୍ଣାୟକ ପର୍ଯ୍ୟାୟରେ ସଂଗ୍ରାମ । ଝାଡ଼ଖଣ୍ଡରେ ମାଟି, ବେଟି ଓ ରୋଟିର ସୁରକ୍ଷା ପ୍ରତିଶ୍ରୁତି ଦେଇ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଶେଷ କରିଛି ବିଜେପି । ରାଜ୍ୟରେ ପରିବର୍ତ୍ତନର ନାରାକୁ ତେଜିବା ସହ ଓଡ଼ିଆ ବହୁଳ କ୍ଷେତ୍ର ସଢେଇକଳା ଓ ମଝଗାଓଁରେ ଜୋରଦାର ପ୍ରଚାର କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ । ଜୟ ଜଗନ୍ନାଥ ଧ୍ଵନିରୁ ଭାଷଣ ଆରମ୍ଭ କଲେ ମୋହନ ମାଝୀ। ସୋରେନ୍ ସରକାରକୁ କଲେ ଘନ ଘନ ଆକ୍ରମଣ। ଦୃଢ଼ୋକ୍ତି କଲେ ଆଉ 12 ଦିନରେ ଝାଡ଼ଖଣ୍ଡରେ ଅନ୍ତ ହେବ ଅତ୍ୟାଚାରୀ ଶାସନ। ଷଢେ଼ଇକଳା, ଖରସୁଆଁ, ଚାଇଁବସା, ବାହାଡ଼ାଗୋଡା, ସିଂହଭୂମ ଜିଲ୍ଲାର 14 ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ରର ପ୍ରାୟ 20 ଲକ୍ଷ ଭୋଟର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବାରୁ ଓଡି଼ଆ ଅସ୍ମିତା ଓ ଭାଷା ସୁରକ୍ଷା ପ୍ରତିଶ୍ରୁତି ଦେଇଛି ବିଜେପି । ମୋହନ ମାଝୀଙ୍କ ସହ ପ୍ରଚାରରେ ସାମିଲ ହୋଇଥିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସାରସକଣା ବିଧାୟକ ଭାଦବ ହାଁସଦା । ସଢେଇକଳା ପରେ ମଞ୍ଜଗାଓଁରେ ପ୍ରଚାର କରି ଜନତାଙ୍କ ସମର୍ଥନ ଲୋଡ଼ିଥିଲେ ମୁଖ୍ୟମନ୍ତ୍ରୀ ।
ଝାଡ଼ଖଣ୍ଡରେ ପୁରୁଣା ପ୍ରତିଶ୍ରୁତି ଦୋହରାଇ ଇଣ୍ଡି ମେଣ୍ଟ ନେତା ପ୍ରଚାର କରୁଥିବାବେଳେ ରାଜ୍ୟରେ ଅନୁପ୍ରବେଶକାରୀଙ୍କ ଉପଦ୍ରବ ଶେଷ କରିବା ସହ ମୂଳନିବାସୀ ଆଦିବାସୀଙ୍କୁ ନ୍ୟାୟ ପ୍ରଦାନର ପ୍ରତିଶ୍ରୁତି ଦେଇଛି ବିଜେପି । ରାଞ୍ଚିର ତମାରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପାଲାମୁରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଗଢବାରେ ଏମପି ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ, ବିଜେପି ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇ ଜେଏମଏମ, କଂଗ୍ରେସର ଶୋଷଣ ନୀତି ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି ।
ଝାଡ଼ଖଣ୍ଡରୁ ଜାତିଆଣ ରାଜନୀତିର ଅନ୍ତ କରି ସବକା ସାଥ୍, ସବକା ବିକାଶର ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି ସଂକଳ୍ପ ପତ୍ରରେ ସ୍ଥାନ ପାଇଥିବା 25 ବଡ଼ ପ୍ରତିଶ୍ରୁତି ରାଜ୍ୟର ଆଦିବାସୀ, ମହିଳା ଓ ଯୁବ ବର୍ଗ ମଧ୍ୟରେ ଉତ୍ସାହ ଭରିଛି । ପାଖେଇ ଆସୁଛି ଜନତାଙ୍କ ନିର୍ଣ୍ଣୟ ନେବାର ସମୟ । ଆସନ୍ତା 13 ତାରିଖରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ।
ଅଧିକ ପଢ଼ନ୍ତୁ ଦେଶ ଖବର: