Caste Census: ୭୪ ବର୍ଷ ପରେ ପୁଣି ଜାତି ଜନଗଣନା, ସମାଜ ପାଇଁ ଲାଭ ନା କ୍ଷତି ? ପଢ଼ନ୍ତୁ..

ବୁଧବାର ମୋଦି କ୍ୟାବିନେଟ୍ ଏକ ବଡ଼ ନିଷ୍ପତ୍ତି ନେଇଛି। ସରକାର ଆଗାମୀ ଜନଗଣନାରେ ଜାତି ଜନଗଣନାକୁ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିରୋଧୀ ଦଳଗୁଡ଼ିକ ବହୁ ଦିନ ଧରି ଜାତି ଜନଗଣନା ପାଇଁ ଦାବି କରି ଆସୁଥିଲେ। ଏହା ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପଦକ୍ଷେପ ସାମାଜିକ ଏବଂ ଅର୍ଥନୈତିକ ସମାନତାକୁ ପ୍ରୋତ୍ସାହିତ କରିବ ଏବଂ ନୀତି ନିର୍ଦ୍ଧାରଣରେ ସ୍ୱଚ୍ଛତା ମଧ୍ୟ ସୁନିଶ୍ଚିତ କରିବ।
ଜାତି ଜନଗଣନା କ’ଣ ଏବଂ ଏହାର ଲାଭ ଓ କ୍ଷତି ବିଷୟରେ ଆସନ୍ତୁ ଜାଣିବା...
ଜାତି ଜନଗଣନା କ’ଣ?
ଜାତି ଜନଗଣନା ଏକ ପ୍ରକ୍ରିୟା ଯେଉଁଥିରେ ଦେଶର ଜନସଂଖ୍ୟାକୁ ଜାତି ଆଧାରରେ ବଣ୍ଟାଯାଇଥାଏ। ଭାରତରେ ପ୍ରତି ଦଶ ବର୍ଷରେ ଥରେ କରାଯାଉଥିବା ଜନଗଣନା ସାଧାରଣତଃ ବୟସ, ଲିଙ୍ଗ, ଶିକ୍ଷା, ନିଯୁକ୍ତି ଏବଂ ଅନ୍ୟାନ୍ୟ ସାମାଜିକ-ଆର୍ଥିକ ପାରାମିଟର ଉପରେ ତଥ୍ୟ ସଂଗ୍ରହ କରାଯାଏ। ସାମାଜିକ ଏକତାକୁ ପ୍ରୋତ୍ସାହିତ କରିବା ଏବଂ ଜାତି ବିଭାଜନକୁ ହ୍ରାସ କରିବା ପାଇଁ ୧୯୫୧ ପରେ ଜାତିଗତ ତଥ୍ୟ ସଂଗ୍ରହ ବନ୍ଦ କରିଦିଆଯାଇଥିଲା। କେବଳ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ଜନସଂଖ୍ୟା ତଥ୍ୟ ସଂଗ୍ରହ କରାଯାଏ । ଅନ୍ୟାନ୍ୟ ପଛୁଆ ବର୍ଗ (OBC) ଏବଂ ସାଧାରଣ ବର୍ଗ ଜାତି ପାଇଁ କୌଣସି ସରକାରୀ ତଥ୍ୟ ଉପଲବ୍ଧ ନାହିଁ।
କେନ୍ଦ୍ର କ୍ୟାବିନେଟର ନୂଆ ନିଷ୍ପତ୍ତି ଯୋଗୁଁ ୨୦୨୫ରେ ହେବାକୁ ଥିବା ଜନଗଣନାରେ ସମସ୍ତ ଜାତିର ତଥ୍ୟ ସଂଗ୍ରହ କରାଯିବ । ଯାହା କି ଏକ ବଡ଼ ପରିବର୍ତ୍ତନ କୁହାଯାଇପାରେ । ସାମାଜିକ-ଅର୍ଥନୈତିକ ନୀତିଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି, ବିଶେଷକରି ସେହି ସମ୍ପ୍ରଦାୟମାନଙ୍କ ପାଇଁ ଯେଉଁମାନେ ଏଥିରୁ ବଞ୍ଚିତ ରହିଛନ୍ତି।
ଜାତି ଜନଗଣନାର ଇତିହାସ
ଭାରତରେ ଜାତି ଜନଗଣନାର ଇତିହାସ ଔପନିବେଶିକ ଯୁଗରୁ ଆରମ୍ଭ ହୋଇଛି। ପ୍ରଥମ ଜନଗଣନା ୧୮୭୨ ମସିହାରେ କରାଯାଇଥିଲା ଏବଂ ୧୮୮୧ ରୁ ଏହି ପ୍ରକ୍ରିୟା ପ୍ରତି ଦଶ ବର୍ଷରେ ନିୟମିତ ଭାବରେ କରାଯିବା ଆରମ୍ଭ ହୋଇଥିଲା। ସେତେବେଳେ ଜାତି ତଥ୍ୟ ସଂଗ୍ରହ କରିବା ସ୍ୱାଭାବିକ ଥିଲା। ୧୯୫୧ ମସିହାରେ ସ୍ୱାଧୀନତା ପରେ, ଏହା ନିଷ୍ପତ୍ତି ନିଆଯାଇଥିଲା ଯେ ଜାତି ତଥ୍ୟ ସଂଗ୍ରହ କରିବା ସାମାଜିକ ଏକତା ପାଇଁ କ୍ଷତିକାରକ ହୋଇପାରେ। ଏହା ପରେ, କେବଳ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ତଥ୍ୟ ସଂଗ୍ରହ କରାଯାଇଥିଲା।
ତେବେ ଗତ କିଛି ବର୍ଷ ମଧ୍ୟରେ, ସାମାଜିକ ଏବଂ ରାଜନୈତିକ ପରିସ୍ଥିତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏବେ OBC ସମ୍ପ୍ରଦାୟ ପାଇଁ ସଂରକ୍ଷଣ ଏବଂ କଲ୍ୟାଣକାରୀ ଯୋଜନାର ଦାବି ବୃଦ୍ଧି ପାଇଛି। ଏପରି ପରିସ୍ଥିତିରେ, ଜାତି ଜନଗଣନାର ଦାବି ପୁଣି ଥରେ ଜୋର ଧରିବା ଆରମ୍ଭ କଲା। ୨୦୧୧ ମସିହାରେ, UPA ସରକାର ସାମାଜିକ-ଅର୍ଥନୈତିକ ଏବଂ ଜାତି ଜନଗଣନା (SECC) କରିଥିଲେ, କିନ୍ତୁ ଏହାର ତଥ୍ୟ ଅସଙ୍ଗତି ଯୋଗୁଁ ସାର୍ବଜନୀନ କରାଯାଇ ନଥିଲା। ବିହାର, ରାଜସ୍ଥାନ ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ସ୍ୱାଧୀନ ଭାବରେ ଜାତି ସର୍ଭେ କରିଥିଲେ, ଯାହାର ଫଳାଫଳ ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋର ଧରିଥିଲା ।
କଂଗ୍ରେସ, ଆରଜେଡି ଏବଂ ସମାଜବାଦୀ ପାର୍ଟି ଭଳି ବିରୋଧୀ ଦଳଗୁଡ଼ିକ ଦୀର୍ଘ ଦିନ ଧରି ଏହି ଦାବି କରିଆସୁଥିଲେ। ବିଜେପିର ସହଯୋଗୀ ଦଳ ଜେଡିୟୁ ମଧ୍ୟ ଜାତି ଜନଗଣନା ସପକ୍ଷରେ ଥିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନରେ ଏହାକୁ ଏକ ପ୍ରମୁଖ ମୁଦ୍ଦା ମଧ୍ୟ କରିଥିଲେ । ଏହାକୁ ସାମାଜିକ ନ୍ୟାୟର ଆଧାର ବୋଲି କହିଥିଲେ। ଆଞ୍ଚଳିକ ଦଳଗୁଡ଼ିକ ଅନୁଯାୟୀ ଜାତି ତଥ୍ୟ ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରିବ । କିନ୍ତୁ କେନ୍ଦ୍ର ସରକାର ଏହାକୁ ପ୍ରଶାସନିକ ଭାବରେ ଜଟିଳ ଏବଂ ସାମାଜିକ ଏକତା ପାଇଁ ବିପଦ ବୋଲି ବିବେଚନା କରୁଥିଲେ।
ଜାତି ଜନଗଣନାର ଲାଭ
ଜାତିଗତ ଜନଗଣନାକୁ ସମର୍ଥନ କରୁଥିବା ବର୍ଗଙ୍କ ବିଶ୍ୱାସ ରହିଛି ଯେ ଏହା ସାମାଜିକ ନ୍ୟାୟ ଏବଂ ସମାଜର ଶେଷ ପାହାଚରେ ଥିବା ଲୋକଙ୍କ ବିକାଶ ଦିଗରେ ଏକ କ୍ରାନ୍ତିକାରୀ ପଦକ୍ଷେପ ହୋଇପାରେ। ସେମାନଙ୍କ ବିଶ୍ୱାସ ଯେ ଜାତି ତଥ୍ୟ ସରକାରଙ୍କୁ ବିଭିନ୍ନ ସମ୍ପ୍ରଦାୟର ସାମାଜିକ-ଆର୍ଥିକ ଅବସ୍ଥାକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବ। ଉଦାହରଣ ସ୍ୱରୂପ, ଶିକ୍ଷା, ନିଯୁକ୍ତି ଏବଂ ସ୍ୱାସ୍ଥ୍ୟ ସେବାରେ କେଉଁ ଜାତି ସବୁଠାରୁ ଅଧିକ ବଞ୍ଚିତ ତାହା ଜାଣିହେବ। ଏହାଦ୍ୱାରା କଲ୍ୟାଣକାରୀ ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରାଯାଇ ପାରିବ।
ଏବେ ଓବିସି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ସଠିକ ଜନସଂଖ୍ୟା ଜଣାନଥିବାରୁ ସଂରକ୍ଷଣ ନୀତି କାର୍ଯ୍ୟକାରୀ କରିବା ଏବଂ ସମ୍ବଳକୁ ସୁଚାରୁରୂପେ ବଣ୍ଟନ କରିବାରେ ବାଧା ଉପୁଜୁଛି । ମଣ୍ଡଳ କମିଶନ (୧୯୮୦) ଓବିସି ଜନସଂଖ୍ୟା ୫୨% ବୋଲି ଆକଳନ କରିଥିଲେ, କିନ୍ତୁ ଏହି ଆକଳନ ପୁରୁଣା ତଥ୍ୟ ଉପରେ ଆଧାରିତ ଥିଲା। ନୂତନ ତଥ୍ୟ ସଂରକ୍ଷଣର ପରିସର ଏବଂ ବଣ୍ଟନକୁ ଅଧିକ ସ୍ୱଚ୍ଛ କରିପାରିବ।
ଜାତିଗତ ଜନଗଣନା ସେହି ସମ୍ପ୍ରଦାୟଗୁଡ଼ିକୁ ଚିହ୍ନଟ କରିବ ଯେଉଁମାନେ ଐତିହାସିକ ଭାବରେ ସମାଜର ତଳ ପାହାଚକୁ ଖସିଯାଇଛନ୍ତି। ଜାତିଗତ ତଥ୍ୟ ସାମାଜିକ ଅସମାନତାକୁ ଉଜାଗର କରିବ, ଯାହା ସରକାର ଏବଂ ସମାଜକୁ ଏହି ସମସ୍ୟାଗୁଡ଼ିକର ସମାଧାନ କରିବାର ସୁଯୋଗ ଦେବ। ଉଦାହରଣ ସ୍ୱରୂପ, ଯଦି କୌଣସି ନିର୍ଦ୍ଦିଷ୍ଟ ଜାତିର ଆୟ କିମ୍ବା ଶିକ୍ଷା ସ୍ତର ଜାତୀୟ ହାର ତୁଳନାରେ କମ୍ ଥାଏ, ତେବେ ଏହାକୁ ଉନ୍ନତ କରିବା ପାଇଁ ନୀତି ପ୍ରସ୍ତୁତ କରାଯାଇପାରିବ।
ଜାତି ଜନଗଣନା ହେଲେ କ'ଣ କ୍ଷତି ?
📱 Get Argus News App
✨
ଜାତି ଜନଗଣନାର ଅନେକ ଫାଇଦା ରହିଛି, କିନ୍ତୁ ଏହାର ସମ୍ଭାବ୍ୟ କ୍ଷତି ଏବଂ ବିପଦ ମଧ୍ୟ କମ୍ ନୁହେଁ। ସମାଲୋଚକଙ୍କ କହିବାନୁଯାୟୀ, ଏହା ସାମାଜିକ ଏବଂ ରାଜନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ସେମାନଙ୍କର ଯୁକ୍ତି ଯେ ଏହାଦ୍ୱାରା ସମାଜରେ ଥିବା ଜାତିଗତ ଭେଦଭାବକୁ ଆହୁରି ସାଂଘାତିକ କରିପାରେ । ଏହାସହ ଜାତି ତଥ୍ୟକୁ ରାଜନୈତିକ ଦଳଗୁଡ଼ିକ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରିପାରନ୍ତି। ଆଞ୍ଚଳିକ ଦଳ ଏବଂ ଜାତି ଆଧାରରେ ସଂଗଠିତ ଦଳଗୁଡ଼ିକ ଏହାର ସୁଯୋଗ ନେଇ ସାମାଜିକ ଧ୍ରୁବୀକରଣକୁ ପ୍ରୋତ୍ସାହିତ କରିପାରନ୍ତି। ଏହା ସାମାଜିକ ଉତ୍ତେଜନା ଏବଂ ହିଂସାର ସମ୍ଭାବନାକୁ ବୃଦ୍ଧି କରିପାରେ।
ଜାତିଗତ ଜନଗଣନାରେ କିଛି ସମ୍ପ୍ରଦାୟର ଆଶାଠାରୁ ଅଧିକ ଜନସଂଖ୍ୟା ସାମ୍ନାକୁ ଆସିପାରେ, ଯାହାଦ୍ୱାରା ସଂରକ୍ଷଣ ସୀମା ବୃଦ୍ଧି ପାଇଁ ଦାବି କରାଯାଇପାରେ । ଯାହା ସାମାଜିକ ଅଶାନ୍ତିକୁ ବୃଦ୍ଧି ମଧ୍ୟ କରିପାରେ। ଜାତିଗତ ଜନଗଣନାର ପ୍ରଭାବ କେବଳ ସାମାଜିକ ଏବଂ ଅର୍ଥନୈତିକ ନୀତି ପର୍ଯ୍ୟନ୍ତ ସୀମିତ ରହିବ ନାହିଁ। ଏହା ଭାରତର ରାଜନୀତିକୁ ମଧ୍ୟ ଗଭୀର ଭାବରେ ପ୍ରଭାବିତ କରିବାର ସମ୍ଭାବନା ରହିଛି।