ବଢ଼ିଲା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍ଙ୍କ କାର୍ଯ୍ୟକାଳ

ବଢ଼ିଲା ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦ୍ଙ୍କ କାର୍ଯ୍ୟକାଳ । ମନୋନୟନ କମିଟିର ସୁପାରିଶ କ୍ରମେ କ୍ୟାବିନେଟ ନିଯୁକ୍ତି କମିଟି ସୁଦଙ୍କ କାର୍ଯ୍ୟକାଳ ୨୪ ମେ ପରେ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଂଞ୍ଜୀବ ଖାନ୍ନା ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଯୋଗ ଦେଇଥିଲେ । ୨୫ ମେ ୨୦୨୩ ରେ ପ୍ରବୀଣ ସୁଦ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
ପ୍ରବୀଣ ସୁଦ କର୍ଣ୍ଣାଟକ କ୍ୟାଡରର ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀ। ସେ ସିବିଆଇ ନିର୍ଦ୍ଦେଶକ ଭାବରେ ଯୋଗଦେବା ସମୟରେ କର୍ଣ୍ଣାଟକ ପୋଲିସ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସିଭିଲ୍ ଇଞ୍ଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ମାତ୍ର ୨୨ ବର୍ଷ ବୟସରେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ ପ୍ରବୀଣ ସୁଦ ।