ହୋଲି ପାଇଁ ବ୍ରଜବାସୀ ମତୁଆଲା

ରଙ୍ଗର ପର୍ବ ହୋଲି ପାଇଁ ଏବେଠାରୁ ବ୍ରଜବାସୀ ମତୁଆଲା। ବ୍ରଜ୍ ଅର୍ଥାତ ମଥୁରା, ବୃନ୍ଦାବନ, ବରସାନା ଓ ନନ୍ଦଗାଓଁରେ କିଛି ଦିନ ଆଗରୁ ଆରମ୍ଭ ହୋଇଯାଇଛି ହୋଲି ଖେଳ। ଲଡୁମାର ହୋଲି, ଲଠମାର ହୋଲି ପରେ ଫୁଲରେ ହୋଲି ଖେଳିଛନ୍ତି ବ୍ରଜବାସୀ। ଫୁଲବାଲୀ ହୋଲି ଦିନ ଶ୍ରଦ୍ଧାଳୁ ଫୁଲ ଏବଂ ଫୁଲରୁ ପ୍ରସ୍ତୁତ ପ୍ରାକୃତିକ ରଙ୍ଗରେ ହୋଲି ଖେଳିଛନ୍ତି। ବୃନ୍ଦାବନର ବାଙ୍କେ ବିହାରୀ ମନ୍ଦିରରେ ଏହି ହୋଲି ଖେଳର ଦୃଶ୍ୟ ନିଆରା। ଏଠାରେ ମନ୍ଦିରର ପୂଜକ ଶ୍ରଦ୍ଧାଳୁଙ୍କ ଉପରେ ଫୁଲ ଓ ରଙ୍ଗ ବର୍ଷା କରିଥାନ୍ତି। ରଙ୍ଗଭରି ଏକାଦଶୀ ପାଇଁ 16 କିମିର ପରିକ୍ରମା ମାର୍ଗରେ ପ୍ରାୟ 10 ଲକ୍ଷ ଲୋକଙ୍କ ଭିଡ ଜମିଛି।
ମଥୁରାରେ ହୋଲିର ମଜା ନେବାକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ସକାଳୁ ସଂଧ୍ୟା ଯାଏଁ ବ୍ରଜରେ ଉଡୁଛି କେବଳ ରଙ୍ଗ। ଲକ୍ଷ ଲକ୍ଷ ଲୋକେ ପାରମ୍ପରିକ ହୋଲି ଖେଳର ମଜା ନେଉଛନ୍ତି। ସେହିପରି ରଙ୍ଗଭରୀ ଏକାଦଶୀରେ ଅଯୋଧ୍ୟା ଓ ସମ୍ଭଲରେ କଡ଼ା ସୁରକ୍ଷା ମଧ୍ୟରେ ଲୋକେ ଖେଳିଛନ୍ତି ହୋଲି।
ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶ୍ରୀକୃଷ୍ଣା, ରାଧାରାଣୀ ଏବଂ ଗୋପୀ ଏକସଙ୍ଗରେ ଫୁଲବାଲୀ ହୋଲି ଖେଳିଥିଲେ। ସେବେଠାରୁ ଏହି ହୋଲି ଖେଳ ପ୍ରଚଳିତ ରହିଛି ।

